ପ୍ରଦର୍ଶନ କାର୍ଯ୍ୟକ୍ରମରେ ଚାଷୀଙ୍କୁ କୃଷି ସାମଗ୍ରୀ ବଦଳରେ ଡିବିଟି ମାଧ୍ୟମରେ ଅର୍ଥ ସହାୟତା ଦିଆଯିବ | News Room Odisha

ପ୍ରଦର୍ଶନ କାର୍ଯ୍ୟକ୍ରମରେ ଚାଷୀଙ୍କୁ କୃଷି ସାମଗ୍ରୀ ବଦଳରେ ଡିବିଟି ମାଧ୍ୟମରେ ଅର୍ଥ ସହାୟତା ଦିଆଯିବ

ଭୁବନେଶ୍ୱର: ହିତାଧିକାରୀ ଚାଷୀମାନଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ ଯୋଜନାରେ ଅଣୁସାର , କୀଟନାଶକ ଔଷଧ , ତୃଣନାଶକ ପଦାର୍ଥ ଆଦି ପ୍ରଦାନ କରାନଯାଇ ଡିବିଟି ମାଧ୍ୟମରେ ଏହାର ଅର୍ଥରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ । ଏହା ଦ୍ଵାରା ଚାଷୀମାନେ ସେମାନଙ୍କ ପସନ୍ଦର କୃଷି ସାମଗ୍ରୀ କିଣିବାକୁ ସ୍ୱତନ୍ତ୍ରତା ମିଳିବା ସହିତ ଏଥିରେ ଅଧ୍ୟକ ସ୍ଵଚ୍ଛତା ଅଣାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ , ଉଚ୍ଚଶିକ୍ଷା ମନ୍ତ୍ରୀ ଡ . ଅରୁଣ କୁମାର ସାହୁ କହିଛନ୍ତି । ମନ୍ତ୍ରୀ ଡ . ସାହୁଙ୍କ ନିର୍ଦ୍ଦେଶାନୁସାରେ ବିଭାଗ ପକ୍ଷରୁ ପ୍ରଦର୍ଶନ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଡିବିଟି ପ୍ରଦାନ କ୍ଷେତ୍ରରେ ନୂତନ ଏସ୍‌ଓପି ଜାରି କରାଯାଇଛି ।

ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ । ଯୋଜନାରେ ଯଥା ଜାତୀୟ ଖାଦ୍ୟ ସୁରକ୍ଷା ମିଶନ , ଜାତୀୟ ଉଦ୍ୟାନ କୃଷି ମିଶନ ଆଦିରେ ଅଣୁସାର ଏବଂ କୀଟଦମନ ନିମନ୍ତେ କୀଟନାଶକରେ ରିହାତି ଯୋଗାଇ ଦିଆଯାଉଛି । ମାଟିର ଉର୍ବରତା ନିମନ୍ତେ ଅଣୁସାର ପାଇଁ ସର୍ବାଧୂକ ୨ ହେକ୍ଟର ଜମି ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏଥିରେ ଚାଷୀମାନେ ନିଜ ପସନ୍ଦ ମୁତାବକ ଅଣୁସାର , କୀଟନାଶକ , ଜିପିସମ୍ , ବାୟୋ ଫର୍ଟିଲାଇଜର , ଅର୍ଗାନିକ୍ ସାରି ଆଦି କ୍ରୟ କରିବାର ସୁଯୋଗ ପାଉଥିଲେ ଓ ବିଭାଗ ପକ୍ଷରୁ ଏହାର ରିହାତି ଡିବିଟି ମାଧ୍ୟମରେ ପାଉଥିଲେ ।

ଅପର ପକ୍ଷରେ ପ୍ରଦର୍ଶନ କାର୍ଯ୍ୟକ୍ରମର ବିଭିନ୍ନ ଯୋଜନାରେ ଆବଶ୍ୟକୀୟ କୃଷି ସାମଗ୍ରୀ ବିଭାଗ ପକ୍ଷରୁ କ୍ରୟ କରାଯାଇ ଏ ପର୍ଯ୍ୟନ୍ତ ହିତାଧୁକାରୀଙ୍କୁ ବଣ୍ଟନ କରାଯାଉଥିଲା । କ୍ଷେତ୍ର କୃଷି ଅଧିକାରୀମାନେ ଟେଣ୍ଡର ମାଧ୍ୟମରେ ଅଣୁସାର , କୀଟନାଶକ , ତୃଣନାଶକ କ୍ରୟ କରି ହିତାଧିକାରୀମାନଙ୍କୁ ବଣ୍ଟନର ବ୍ୟବସ୍ଥା ଥିଲା । ମାତ୍ର ଏଥିରେ ଚାଷୀଙ୍କୁ ତାଙ୍କ ପସନ୍ଦର କୃଷି ସାମଗ୍ରୀ ଆଦି କ୍ରୟ ଓ ବ୍ୟବହାର ନିମନ୍ତେ ସୁଯୋଗ ମିଳୁନଥିଲା । ନୂତନ ବ୍ୟବସ୍ଥାରେ ଚାଷୀମାନଙ୍କୁ ସେମାନେ ଚାହୁଁଥିବା ଅଣୁସାର , କୀଟନାଶକ ଆଦି କ୍ରୟ କରିବା ନିମନ୍ତେ ସୁଯୋଗ ମିଳିବ ଏବଂ କ୍ରୟ ଅର୍ଥ ଡିବିଟି ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କୁ ପ୍ରଦାନ କରାଯିବ । ଏହା ଫଳରେ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନା ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ମିଳୁଥିବା ରିହାତି ଡିବିଟି ମାଧ୍ୟମରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯିବ ।