ନୂଆପଡ଼ାକୁ ମିଳିଲା ୧୬ ବିଶେଷଜ୍ଞ ଡାକ୍ତର, ସୀମାନ୍ତ ଜିଲ୍ଲାରେ ସୁଧୁରିବ ସ୍ବାସ୍ଥ୍ୟସେବା

ନୂଆପଡ଼ା : ସୀମାନ୍ତ ନୂଆପଡ଼ା ଜିଲ୍ଲାରେ ଦିର୍ଘ ବର୍ଷ ଧରି ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ହୋଇ ପଡିଥିଲା। ରାଜ୍ୟ ସରକାର ଜିଲ୍ଲାବାସୀଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ୧୩ ଜଣ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ୩ ଜଣ ନୁଆଁ ବିଶେଷଜ୍ଞ ଡାକ୍ତର ନିଯୁକ୍ତ କରିଛନ୍ତି। ଏହି ଡାକ୍ତରଙ୍କ ଯୋଗଦାନ ପରେ ବହୁ ବର୍ଷର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ସୀମାନ୍ତ ତଥା ଉପାନ୍ତ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାରେ ସୁଧାର ଆସିବ ବୋଲି ଜିଲ୍ଲାବାସୀ ଆଶା ବାନ୍ଧିଛନ୍ତି।

ରାଜ୍ୟର ସୀମାନ୍ତ ତଥା ଉପାନ୍ତ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନୂଆପଡ଼ା ଜିଲ୍ଲା ସମେତ ପଡୋଶୀ ବରଗଡ, ବଲାଙ୍ଗୀର ଓ ପଡୋଶୀ ଛତିଶଗଡ ରାଜ୍ୟର ମହାସମୁନ୍ଦ ଜିଲ୍ଲାର ଲୋକେ ସ୍ବାସ୍ଥ୍ୟ ପାଇଁ ନିର୍ଭର କରନ୍ତି। ଜିଲ୍ଲା ମୁଖ୍ୟାଳୟରେ ରୋଗୀଙ୍କୁ ସବୋର୍ତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୩ ଶହ ବେଡ ବିଶିଷ୍ଟ ୭ ମହଲା କୋଠାଗୃହ ନିର୍ମାଣ ହୋଇଥିଲା। ଏଠି ଅନେକ ବିଭାଗରେ ଅଭିଜ୍ଞ ଡାକ୍ତର ପଦବୀ ଖାଳି ପଡିଥିବାରୁ ଲୋକେ ଉଚିତ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉ ଥିଲେ। ଜିଲ୍ଲାରେ ଶହେ ଜଣ ଡାକ୍ତର ଆବଶ୍ୟକତା ରହିଥିବା ବେଳେ କେବଳ ୫୯ ଜଣ ଡାକ୍ତର ନିଯୁକ୍ତ ହୋଇଥିଲେ। ଜିଲ୍ଲାବାସୀ ଅନେକ ଥର ଆନ୍ଦୋଳନ କରି ସରକାରଙ୍କୁ ଜଣାଇ ଆସୁଥିଲେ ବି କୌଣସି ସୁଫଳ ମିଳୁଥିଲା। ଏଭଳି ବର୍ଷ ବର୍ଷ ଧରି ଜିଲ୍ଲାରେ ଡାକ୍ତ ପଦବୀ ଖାଲି ରହୁଥିବାରୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇ ରହୁଥିଲେ। ଜିଲ୍ଲାବାସୀ ସାମାନ୍ୟ ରୋଗବ୍ୟାଧିରେ ରାୟପୁର, ବିଶାଖାପାଟଣା ଭଳି ରାଜ୍ୟ ବାହାର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଖର୍ଚ୍ଚାନ୍ତ ରେ ପଡିଥାନ୍ତି। ଏନେଇ ପ୍ରମେୟରେ ମଧ୍ୟ ଅନେକ ଥର ଖବର ପ୍ରକାଶନ ହୋଇଥିଲା। ଏବେ ସୀମାନ୍ତ ତଥା ଅନୁନ୍ନତ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି କରିବା ପାଇଁ ରାଜ୍ୟ ସରକାର ଆଗେଇ ଆସିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ନୂଆପଡ଼ା ଜିଲ୍ଲାକୁ ୧୦ ଜଣ ନୂତନ ଡାକ୍ତର ନିଯୁକ୍ତି ପ୍ରଦାନ କରିଛନ୍ତି। ସେଥିରେ ଏନେଥେସିଓଲୋଜି ଡା. ବିଦ୍ୟାପତି ପ୍ରଧାନ, ସାଧାରଣ ଔଷଧ ବିଭାଗର ଡା. ରାକେଶ ମହାନ୍ତୀ, ଡା. କମଳାକାନ୍ତ ସାହୁ, ସାଧାରଣ ସର୍ଜରୀ ଡା. ରଶ୍ମୀରଂଜନ ପଲାଇ, ଡା. ଦିଲିପ ସତପଥୀ, ଡା. ଜ୍ୟୋତି ଶଙ୍କର କର, ଡା. ଅନୁପମା ମିଶ୍ର, ଅସ୍ଥି ଶଳ୍ୟ ବିଭାଗ ପାଇଁ ଡା. ମନୋଜ ମଣ୍ତଲ, ପେରିଓଡୋଂଟିକ୍ସ ଡା. ଦେବଜାନୀ ବରାଲ, ଶିଶୁ ବିଶେଷଜ୍ଞ ଡା. ପ୍ରଦୀପ କହଁର ପ୍ରମୁଖ ୧୦ ଜଣ ନୂଆଁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଛନ୍ତି। ସେହିପରି ରାଜ୍ୟ ସରକାର ଙ୍କ ତରଫରୁ ୩ ଜଣ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ୩ ଜଣ ଏମବିବିଏସ ଡାକ୍ତର ନିଯୁକ୍ତି ଦେଇଛନ୍ତି। ଏଭଳି ଜିଲ୍ଲାରେ ମୋଟ ୧୬ ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ମିଲିଛି। ସେଥିରୁ ୧୩ ଜଣ ନୂତନ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ ତୁଳାଉଥିବା ବେଳେ ୩ ଜଣ ଡାକ୍ତଙ୍କୁ ଗ୍ରାମାଳରେ ନିଯୁକ୍ତ କରିଛନ୍ତି। ଏବେ ନୂତନ ଡାକ୍ତର ନିଯୁକ୍ତି ହେବା ପରେ ଜିଲ୍ଲାବାସୀ ସବୋର୍ତ୍ତମ ସ୍ବାସ୍ଥ୍ୟ ପାଇ ପାରିବେ ବୋଲି ଜିଲ୍ଲାବାସୀ ଆଶା କରିଛନ୍ତି। ଏନେଇ ସିଡିଏମଓ ଡା.କାଳୀପ୍ରସାଦ ବେହେରାଙ୍କୁ ପାଚରିବାରୁ, ଜିଲ୍ଲାରେ ଶହେ ଜଣ ଡାକ୍ତର ଆବଶ୍ୟକତା ରହିଥିବା ବେଳେ ୫୯ ଜଣ ଡାକ୍ତର ନିଯୁକ୍ତ ଥିଲେ। ଏବେ ରାଜ୍ୟ ରାଜ୍ୟ ସରକାର ୧୩ ଜଣ ଡାକ୍ତର ନିଯୁକ୍ତ କରିଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ୩ ଜଣଙ୍କୁ ଏକ ବର୍ଷର ଚୁକ୍ତି କରି ନିଯୁକ୍ତି ଦେଇଛୁ। ପୂର୍ବରୁ ଜିଲ୍ଲାରେ ଡାକ୍ତର ସମସ୍ୟା ରହିଥିବାରୁ ସ୍ବାସ୍ଥ୍ୟ ସେବାରେ ଅସୁବିଧାର ଦେଖା ଦେଉଥିଲା। ଏବେ ପ୍ରାୟ ବିଭାଗର ଡାକ୍ତର ଉପଲବ୍ଧ ରହିଛନ୍ତି। ଏବେ ସୀମାନ୍ତ ଜିଲ୍ଲାବାସୀଙ୍କୁ ଉନ୍ନତ ମାନର ସ୍ବାସ୍ଥସେବା ଉପଲବ୍ଧ ହେବ ବୋଲି କହିଛନ୍ତି ।

Comments are closed.