ଖୁବ୍‌ଶୀଘ୍ର ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣା ମିଳିବ ସ୍ପୁଟନିକ୍‌-ଭି

ନୂଆଦିଲ୍ଲୀ: ସାରା ଦେଶରେ କୋଭିଡ୍‌-୧୯ ବିରୋଧୀ ଟିକାକରଣ ଜାରି ରହିଛି । ଟିକାକରଣରେ ସମ୍ପ୍ରତି କୋଭାକ୍ସିନ, କୋଭିଶିଲ୍ଡ ସହ ସ୍ପୁଟନିକ-ଭି ଟିକା ବ୍ୟବହାର କରାଯାଉଛି । ରୁଷୀୟ ଟିକା ସ୍ପୁଟନିକ-ଭି ଏବେ ଦେଶର କିଛି ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲରେ ହିଁ ଦିଆଯାଉଛି । ତେବେ ଘରୋଇ ହସ୍ପିଟାଲରେ ଏହି ଟିକାର ପ୍ରତି ଡୋଜ୍ ପିଛା ପ୍ରାୟ ୧୨୦୦ ଟଙ୍କା ଦେବାକୁ ପଡୁଛି । ସ୍ପୁଟନିକ-ଭି ଏବେ ସରକାରୀ ଟିକା କେନ୍ଦ୍ରରେ ଉପଲବ୍ଧ ହେବ ଏବଂ ଏହା ମାଗଣାରେ ଲୋକଙ୍କୁ ଦିଆଯିବ । କେନ୍ଦ୍ରର କୋଭିଡ୍‌-୧୯ ୱାର୍କିଂ ଗ୍ରୁପ୍‌ର ଅଧ୍ୟକ୍ଷ ଡ.ଏନ୍‌କେ ଆରୋରା ଏହି ସୂଚନା ଦେଇଛନ୍ତି ।

ଡ.ଆରୋରା କହିଛନ୍ତି ଯେ, ଦେଶର ସବୁ ସରକାରୀ ଟିକା କେନ୍ଦ୍ରରେ ସ୍ପୁଟନିକ-ଭି ଟିକା ମାଗଣା ଉପଲବ୍ଧ ହେବ । ଏବେ ଏହି ଟିକା କେବଳ ଘରୋଇ ହସ୍ପିଟାଲରେ ଦିଆଯାଉଛି । କେନ୍ଦ୍ରର ମାଗଣା ଟିକାକରଣ ଅଭିଯାନରେ ଏହି ରୁଷୀୟ ଟିକାକୁ ବି ଉପଲବ୍ଧ କରାଇବାକୁ ଆମେ ଚାହୁଁଛୁ । କିନ୍ତୁ ଏହା ଟିକାର ସପ୍ଲାଏ ଉପରେ ନିର୍ଭର କରୁଛି ।

ସ୍ପୁଟନିକ-ଭି ଟିକାକୁ ୧୮ ଡିଗ୍ରୀ ସେଲସିୟସ ତାପପାତ୍ରାରେ ରଖିହେବ । ଆରୋରା କହିଛନ୍ତି ପୋଲିଓ ଟିକା ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ କୋଲ୍ଡ ଚେନ୍‌ରେ ସ୍ପୁଟନିକ-ଭି ଟିକା ରଖିବା ପାଇଁ ବ୍ୟବହାର କରାଯିବ । ଗ୍ରାମାଞ୍ଚଳରେ ମଧ୍ୟ ଏହି ଟିକା ଯେଭଳି ପହଞ୍ଚି ପାରିବ ତାହା ନିଶ୍ଚିତ କରାଯିବ । ପୋଲିଓ ଟିକାକରଣ ପାଇଁ କିଛି ଅଞ୍ଚଳରେ କୋଭିଡ୍ ଟିକାକରଣ ଅଭିଯାନ ମନ୍ଥର ପଡିଯାଇଛି । ଆଗାମୀ ଦିନରେ କୋଭିଡ୍ ଟିକାକରଣ ଅଭିଯାନକୁ ଆହୁରି ତ୍ୱାରନ୍ୱିତ କରାଯିବ ବୋଲି ଡ.ଆରୋରା କହିଛନ୍ତି ।

ଦେଶରେ ଏଯାବତ୍ ମୋଟ ୩୪ କୋଟି ଡୋଜ୍ ଦିଆଯାଇଛି । ଜୁଲାଇ ଶେଷ ସୁଦ୍ଧା ୧୨ରୁ ୧୬ କୋଟି ଟିକା ଅଧିକ ଦିଆଯିବ ବୋଲି ଡ.ଆରୋରା କହିଛନ୍ତି ।

Comments are closed.