ଇଂଲଣ୍ଡ କ୍ରିକେଟ୍ ଦଳର ୭ ସଦସ୍ୟ କୋଭିଡ ପଜିଟିଭ୍ | News Room Odisha

ଇଂଲଣ୍ଡ କ୍ରିକେଟ୍ ଦଳର ୭ ସଦସ୍ୟ କୋଭିଡ ପଜିଟିଭ୍

ଲଣ୍ଡନ: ଇଂଲଣ୍ଡ ଦିନିକିଆ ଦଳର ୭ ଜଣ ସଦସ୍ୟ କୋଭିଡ ପଜିଟିଭ ହୋଇଛନ୍ତି । ସଂକ୍ରମିତ ସଦସ୍ୟଙ୍କ ମଧ୍ୟରେ ତିନିଜଣ ଖେଳାଳି ଅଛନ୍ତି ବୋଲି ମଙ୍ଗଳବାର ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ପକ୍ଷରୁ କୁହାଯାଇଛି ।
ଆକ୍ରାନ୍ତମାନେ ଦଳର ଅନ୍ୟ ସଦସ୍ୟମାନଙ୍କ ସହ ସଂସ୍ପର୍ଶରେ ମଧ୍ୟ ଆସିଥିବା କୁହାଯାଇଛି।

ବ୍ରିଷ୍ଟଲରେ ସୋମବାରର ପିସିଆର ଟେଷ୍ଟ ପରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହା ସ୍ପଷ୍ଟ କରିଛି। ଇଂଲଣ୍ଡ, ୱେଲ୍ସ ଏବଂ ବ୍ରିଷ୍ଟଲ୍ ଜନ ସ୍ୱାସ୍ଥ୍ୟ ପ୍ରାଧିକରଣର ସହଯୋଗରେ ସଂକ୍ରମିତ ସଦସ୍ୟଙ୍କୁ ଜୁଲାଇ ୪ରୁ ବ୍ରିଟେନ ସରକାରଙ୍କ କ୍ବାରେଣ୍ଟାଇନ ପ୍ରୋଟୋକଲ୍ ଅନୁସାରେ ଆଇସୋଲେସନରେ ରଖାଯାଇଛି ।
ଇସିବି କହିଛି ଯେ ପାକିସ୍ତାନ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ। ପାକିସ୍ତାନ ବିପକ୍ଷ ଏହି ସିରିଜରେ ବେନ ଷ୍ଟୋକ୍ସ ଇଂଲଣ୍ଡ ଦଳର ଅଧିନାୟକ ହେବେ। ଶିବିରରେ ନିରାପଦ ପ୍ରବେଶ ନିଶ୍ଚିତ କରିବାକୁ, ଭ୍ରମଣକାରୀ ଦଳ ଏବଂ ସପୋର୍ଟ ଦଳର ସଦସ୍ୟଙ୍କ ପିସିଆର୍ ଟେଷ୍ଟ କରାଯିବ ଏବଂ ସେମାନେ ବ୍ରିଜିଂ ପ୍ରୋଟୋକଲ୍ ପାଳନ କରିବେ |