ଦିଲୀପ କୁମାରଙ୍କ ଉପରେ ବିଜେପି ନେତାଙ୍କ ବିବାଦୀୟ ଟ୍ୱିଟ୍

ନୂଆଦିଲ୍ଲୀ: କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାରଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧୀଙ୍କ ସମେତ ବହୁ ନେତା ଏବଂ ଫିଲ୍ମ ଜଗତ ଦିଲୀପ କୁମାରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ହେଲେ ଏହି ବର୍ଷୀୟାନ ଅଭିନେତାଙ୍କ ଉପରେ ହରିୟାଣା ବିଜେପିର ଆଇଟି ଏବଂ ସୋସିଆଲ ମିଡିଆ ମୁଖ୍ୟ ଅରୁଣ ଯାଦବ ବିବାଦୀୟ ଟ୍ୱିଟ୍ କରିଛନ୍ତି ।

ଅରୁଣ ଯାଦବ ଟ୍ୱିଟ୍ କରି କହିଛନ୍ତି ଯେ “ଫିଲ୍ମ ଜଗତରେ ହିନ୍ଦୁ ନାମ ରଖି ଅର୍ଥ ଉପାର୍ଜନ କରିଥିବା ମହମ୍ମଦ ୟୁସୁଫ ଖାନ (ଦିଲୀପ କୁମାର)ଙ୍କ ମୃତ୍ୟୁ ଭାରତୀୟ ଫିଲ୍ମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା! ଭଗବାନ ଦିବଂଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ | ଶ୍ରଦ୍ଧାଞ୍ଜଳି! ”

ଅରୁଣ ଯାଦବଙ୍କ ଏହି ଟ୍ୱିଟ ପରେ ଅନେକ ଲୋକ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରିଛନ୍ତି ।

ଅରୁଣଙ୍କୁ ଜବାବ ଦେଇ ଜଣେ ୟୁଜର୍ ବିକ୍ରମ ଏହାକୁ ଘୃଣା ସୃଷ୍ଟିକାରୀ ଟ୍ବିଟ୍ ବୋଲି କହିଥିଲେ । ଆଉଜଣେ ୟୁଜର କହିଥିଲେ ଯେ ଏଭଳି ଟ୍ବିଟ୍ କରିବା ପରିବର୍ତ୍ତେ କ୍ରମାଗତ ବଢ଼ି ଚାଲିଥିବା ପେଟ୍ରୋଲ-ଡିଜେଲ ଦର ଉପରେ ଆଲୋଚନା କର ।

ସେହିପରି ଅନ୍ୟ ଜଣେ ୟୁଜର୍ କହିଛନ୍ତି ଯେ ଏପରି ନାମ ରଖିବାରେ ଅସୁବିଧା କ’ଣ ? ଜଣେ ଲୋକର ହିନ୍ଦୁ ନା ମୁସଲମାନ ନାଁ ରହିବ ତାହା ତା’ ଉପରେ ନିର୍ଭର କରେ। ଧର୍ମର ଊର୍ଦ୍ଧ୍ୱକୁ ଉଠି ଜଣେ ଲୋକକୁ ମଣିଷ ଭାବେ ଦେଖାଯିବା ଉଚିତ୍ |

ଉଲ୍ଲେଖଯୋଗ୍ୟ ଯେ ଦିଲୀପ କୁମାରଙ୍କ ପ୍ରକୃତ ନାମ ହେଉଛି ମହମ୍ମଦ ୟୁସୁଫ ଖାନ। ସେ ୧୧ ଡିସେମ୍ବର ୧୯୨୨ରେ ପେଶାଓ୍ବାର(ପାକିସ୍ତାନ)ରେ ଜନ୍ମଗ୍ରହଣ କରିଥିଲେ। ଏହି କିମ୍ବଦନ୍ତୀ ଅଭିନେତା ଆଜି ସକାଳ ପ୍ରାୟ ୭:୩୦ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। କିଛି ଦିନ ପୂର୍ବରୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିଲୀପ କୁମାରଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୫ଟାରେ ଜୁହୁ କବରସ୍ତାନରେ କରାଯିବ।

Comments are closed.