ବୌଦ୍ଧରେ ଆର୍ଶିବାଦ ଯୋଜନା ନେଇ ସମୀକ୍ଷା, ୫୩୦ ଅନାଥ ଶିଶୁ ଚିହ୍ନଟ

ବୌଦ୍ଧ : ସରକାରଙ୍କ ଆର୍ଶୀବାଦ ଯୋଜନା ପାଇଁ ବ୍ୟାପକ ସଚେତନତା କରିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି । ଗୁରୁବାର ଏନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଏନେଇ ସବୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ , ଏହି ସମୀକ୍ଷା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଗତ ଅପ୍ରେଲ ୧ ତାରିଖ ପରଠାରୁ ଜିଲ୍ଲାରେ ମୋଟ୍ ୫୩୦ ଅନାଥ ଶିଶୁ ଚିହ୍ନଟ ହୋଇଥିବା ଜଣାପଡିଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏପ୍ରିଲ ୧ , ୨୦୨୦ ତାରିଖ ପରେ ଯଦି କୌଣସି ଶିଶୁ ନିଜ ପିତାମାତାଙ୍କୁ ହରାଇଥିବେ ସେମାନଙ୍କୁ ଏହି ଯୋଜନାରେ ଆବେଦନ କରିବା ପାଇଁ ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାଏକ ଯୋଗ ଦେଇ ଏହି ଯୋଜନା ନେଇ ବିଷଦ ଭାବେ ବୁଝାଇଥିଲେ । କୋଭିଡ୍ ସମୟରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ଥଇଥାନ କରିବାକୁ ନାଏକ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପିଡି ଡିଆରଡିଏ ବବିତାରାଣୀ ଦଳବେହେରା ଯୋଗଦେଇ ଏଭଳି ଶିଶୁଙ୍କୁ କିପରି ଚିହ୍ନଟ କରି ସରକାରଙ୍କ ସାମାଜିକ ସୁରକ୍ଷା ତଥା ଆବାସ ଯୋଜନାରେ ସାମିଲ କରାଯିବ ସେନେଇ ପ୍ରକାଶ କରିଥିଲେ । ଏହାଛଡା ଏହାର ସୁଫଳ ପାଇଁ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା କରିବା ପାଇଁ କହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ସ୍ଵାଗତ , ଅତିଥ ପରିଚୟ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୫୩୦ ଜଣ ଶିଶୁଙ୍କୁ ପ୍ରାଥମିକ ଭାବେ ଚିହ୍ନଟ କରାଯାଇଛି । ସେଥିରୁ ୮୫ଜଣ ସଂପୂର୍ଣ୍ଣ ତଥ୍ୟ ସହ ଆବେଦନ କରି ସାରିଛନ୍ତି । ଏହି ଅବସରରେ ‘ ଶିଶୁମାନଙ୍କ ପାଇଁ ଗୋଟିଏ ଦିନ ’ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଜିଲ୍ଲାଶିକ୍ଷା ଅଧିକାରୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ଜିଲ୍ଲା ଶ୍ରମ ଅଧିକାରୀ , ଚାଇଲ୍ଡଲାଇନ , ସିଡିପିଓ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରାଜେନ୍ଦ୍ର ମଲ୍ଲିକ , ବସନ୍ତ ଦିସିରି , ଚିତ୍ରସେନ ସାହୁ , ସହଦେବ ନାଏକ ସହଯୋଗ କରିଥିବା ବେଳେ ସମରସେନ ସିଂ ଧନ୍ୟବାଦ ଦେଇଥିଲେ ।

Comments are closed.