ବଦଳିଲା କାର୍ଯ୍ୟସୂଚୀ, ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ୍

କଲମ୍ବୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ୍ ପାଇଁ ନୂଆ ତାରିଖ ଘୋଷଣା ହୋଇଛି । ଏହି ସିରିଜ୍ ଏବେ ଜୁଲାଇ ୧୮ ରୁ ୨୯ ପର୍ଯ୍ୟନ୍ତ ଖେଳାଯିବ । ଶ୍ରୀଲଙ୍କା ଦଳରେ କରୋନା ମାମଲା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଏହି ସିରିଜ୍ ଜୁଲାଇ ୧୩ ରୁ ୨୫ ପର୍ଯ୍ୟନ୍ତ ହେବାର ଥିଲା ।

ବିସିସିଆଇ ଆନୁଷ୍ଠାନିକ ଭାବେ ଆଜି ନୂଆ କାର୍ଯ୍ୟସୂଚୀ ଘୋଷଣା କରିଛି। ପ୍ରଥମ ଦିନିକିଆ ଜୁଲାଇ ୧୮ରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଦିନିକିଆ ଜୁଲାଇ ୨୦ରେ ଏବଂ ଶେଷ ମ୍ୟାଚ୍ ଜୁଲାଇ ୨୩ରେ ଖେଳାଯିବ । ଏଥି ସହିତ ୨୫, ୨୭ ଏବଂ ୨୯ ଜୁଲାଇରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ ।

ପ୍ରଥମ କାର୍ଯ୍ୟସୂଚୀ ଅନୁଯାୟୀ, ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୧୩ରେ ଖେଳାଯାଇଥାଆନ୍ତା । ଦ୍ୱିତୀୟ ଜୁଲାଇ ୧୬ରେ ଏବଂ ତୃତୀୟ ଦିନିକିଆ ମ୍ୟାଚ୍ ଜୁଲାଇ ୧୮ରେ ଅନୁଷ୍ଠିତ ହୋଇଥାନ୍ତା | ଏହା ପରେ ଟି-୨୦ ସିରିଜ୍ ଖେଳାଯିବାର ଥିଲା | କିନ୍ତୁ ଗତ ତିନି ଦିନ ମଧ୍ୟରେ ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାଓ୍ବାର୍ ଏବଂ ଡାଟା ଆନାଲିଷ୍ଟ ଜି.ଟି ନିରୋଶନଙ୍କୁ କରୋନା ପଜିଟିଭ୍ ହେବା ପରେ ବିସିସିଆଇ ଏବଂ କ୍ରିକେଟ୍ ଶ୍ରୀଲଙ୍କା ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ସିରିଜକୁ କିଛି ଦିନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

Comments are closed.