କଳାକୃତିରେ ଶ୍ରୀଜଗନ୍ନାଥ ସଂସ୍କୃତି

ଘୋଷଯାତ୍ରା ଆସିଲେ ପ୍ରତିଟି ଓଡ଼ିଆର ମନ ଉଲ୍ଲସିତ ହୋଇ ଉଠେ। ବଡ଼ ଠାକୁରଙ୍କ ବଡ଼ ଯାତ ଇଏ। ତେଣୁ ଯିଏ ଯେମିତି ପାରିଲା ନିଜ ଅନୁସାରେ ମହାବାହୁଙ୍କୁ ଅର୍ପଣ କରିଥାଏ ନିଜ ଭକ୍ତିର ଅର୍ଘ୍ୟ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ତିନି ଶିଳ୍ପୀ ଜଗତର ନାଥଙ୍କ ଏହି ପବିତ୍ର ପର୍ବ ଅବସରରେ ନିଜର କଳାକୃତି ଜରିଆରେ ଚକାନୟନଙ୍କୁ ସମର୍ପିତ କରିଛନ୍ତି ନିଜର ଶ୍ରଦ୍ଧାସୁମନ।

ଗହମରେ ତିଆରି ହୋଇଛି ନନ୍ଦିଘୋଷ ରଥ ଯେଉଁଥିରେ ଅଛି ୧୬ ଚକ, ଏହାର ଉଚ୍ଚତା ମାତ୍ର ୮ ଇଞ୍ଚ। ଧାନରେ ପ୍ରସ୍ତୁତ କରାଯାଇଛି ୭ ଇଞ୍ଚର ତାଳଧ୍ବଜ ରଥ ଯେଉଁଥିରେ ରହିଛି ୧୪ ଚକ। ଚାଉଳରେ ନିର୍ମିତ ଦର୍ପଦଳନର ଉଚ୍ଚତା ୬.୫ ଇଞ୍ଚ ଓ ଏଥିରେ ୧୨ଟି ଚକ ରହିଛି। ଏହାକୁ ତିଆରି କରିଛନ୍ତି ବ୍ରହ୍ମପୁର ଶ୍ରୀରାମ ନଗରର ହରଗୋବିନ୍ଦ ମହାରଣା। ଶସ୍ୟରେ ବିଭିନ୍ନ ସୂକ୍ଷ୍ମ କଳାକୃତି ତିଆରି କରିବାରେ ପାରଙ୍ଗମ ହରଗୋବିନ୍ଦ ଏଥିପାଇଁ ୧୫ ଦିନ ସମୟ ନେଇଛନ୍ତି। ପୁରୀରେ ଯେମିତି ରଥ ନିର୍ମାଣ ହୁଏ, ସେହି ଢାଞ୍ଚାରେ ଏସବୁ ତିଆରି କରିବାକୁ ପ୍ରୟାସ କରିଛନ୍ତି ହରଗୋବିନ୍ଦ। ପ୍ରତି ରଥରେ ଠାକୁରଙ୍କ ସୂକ୍ଷ୍ମ ପ୍ରତିମୂର୍ତ୍ତି ମଧ୍ୟ ବିଜେ କରାଇଛନ୍ତି ସେ। ଟିଭି ଓ ମୋବାଇଲରେ ସମୟ କଟାଇବା ଅପେକ୍ଷା ଏଭଳି କିଛି କଳାକୃତି ତିଆରି କରନ୍ତୁ ଯାହା ଆମ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ତଥା ପ୍ରଚାର ପ୍ରସାରରେ ସହାୟକ ହେବ ବୋଲି କହନ୍ତି ସେ। ଉଲ୍ଲେଖଯୋଗ୍ୟ ଯେ- ଗତବର୍ଷ ଗୁଆ, ଗଣ୍ଠି ହଳଦୀ, ଜାଇଫଳରେ ତିନି ରଥ କରିଥିବା ବେଳେ ତା ପୂର୍ବରୁ ୫୧ ପ୍ରକାର ଖାଦ୍ୟ ଶସ୍ୟରେ ସେ ତିଆରି କରିଥିଲେ ନନ୍ଦିଘୋଷ ରଥର ପ୍ରତିକୃତି।

ବ୍ରହ୍ମପୁର ସାନ ରେଡିକା ସାହିର ଭଗବାନ ମହାରଣାଙ୍କ ପୁଅ ଦିଲ୍ଲୀପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉପହାର ଦେବାକୁ ତିଆରି କରିଛନ୍ତି ପୁରୀ ବଡ଼ ଦେଉଳର ଏକ ପ୍ରତିକୃତି। ପୁରୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖି ତାହାକୁ କାର୍ଯ୍ୟକାରୀ କରାଉଛନ୍ତି ସେଥିରେ ଅନୁପ୍ରାଣିତ ଏହି ୧୮ ବର୍ଷ ବୟସ୍କ ଯୁକ୍ତ ତିନି ବାଣିଜ୍ୟ ଛାତ୍ର ଜଣକ ନିଜ କୌଳିକ ବୃତ୍ତିକୁ ଆଧାର କରି ଏହି କଳାକୃତି ନିର୍ମାଣ କରିଛନ୍ତି। ପ୍ରାୟ ୧ ମାସ କାଳ ପରିଶ୍ରମ କରି ୪ ଇଞ୍ଚ ଓସାର, ୫.୬ ଇଞ୍ଚ ଲମ୍ବର ଶ୍ରୀମନ୍ଦିରର ପ୍ରତିକୃତି କାଠରେ ଡିଜାଇନ୍ କରିଛନ୍ତି ଦିଲ୍ଲୀପ। ରଥଯାତ୍ରା ଅବସରରେ ସେ ଅବିକଳ ପୁରୀ ଶ୍ରୀମନ୍ଦିରର କାଷ୍ଟ ଆକୃତି କରିଛନ୍ତି ଯେଉଁଥିରେ ମେଘନାଦ ପାଚେରୀ, ମୁଖ୍ୟ ମନ୍ଦିର, ଜଗମୋହନ, ଭୋଗ ମଣ୍ଡପ, ନୀଳଚକ୍ର, ପତିତପାବନ ବାନା, ଭିତର ବେଢ଼ାରେ ପ୍ରାୟ ୧୦ଟି ମନ୍ଦିର ଆଦି ଦେଖିବାକୁ ମିଳିବ। ପୁଣି ଚାରିପଟେ ରହିଛି ସିଂହ, ଅଶ୍ୱ, ବ୍ୟାଘ୍ର ଓ ହସ୍ତୀ ଦ୍ଵାର ଏବଂ ଅରୁଣ ସ୍ତମ୍ଭ, ୧ ଇଞ୍ଚର ପତିତପାବନ ବିଗ୍ରହ ଆଦି। ଏଥିପାଇଁ ତାଙ୍କୁ ମାଆ ଝୁନୁ ମହାରଣା, ଭାଇ ମନୋଜ ଓ ମାମୁଁ ସନ୍ନ୍ୟାସୀ ମହାରଣା ଉତ୍ସାହିତ କରିଥିଲେ। ନିଜ ହାତରେ ତିଆରି ଏହି କଳାକୃତିକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପ୍ରଦାନ କରିବାକୁ ଆଗ୍ରହ ରଖିଛନ୍ତି।

ରଥଯାତ୍ରା ଅବସରରେ ବ୍ରହ୍ମପୁର ବିଜିପୁର ନିବାସୀ ଯୁବ ବାଲୁକା ଶିଳ୍ପୀ ସତ୍ୟ ମହାରଣା କରିଛନ୍ତି ମାତ୍ର ୧ ମିଲିମିଟର କ୍ଷୁଦ୍ର ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି। ଏହା ପୂର୍ବରୁ ସେ କାଠରେ ତିଆରି କରିଥିଲେ ୧ ସେଣ୍ଟିମିଟର ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି। ତାହା ଏସିଆ ବୁକ୍ ଅଫ୍ ରେକର୍ଡସ୍ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିଲା। ଶ୍ରୀଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା ପୂର୍ବରୁ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ଏହି ତିନି କଳାକୃତି ବେଶ୍ ଆକର୍ଷଣୀୟ, ଆଧ୍ୟାତ୍ମିକ ଭାବସମ୍ପନ୍ନ ହୋଇଛି।

Comments are closed.