ଇତିହାସ ରଚିଲେ ଶିରିଶା, ଅନ୍ତରୀକ୍ଷକୁ ଯିବାରେ ତୃତୀୟ ଭାରତୀୟ ବଂଶଜ

ନୂଆଦିଲ୍ଲୀ: ଭାରତୀୟ ବଂଶଜ ଶିରିଶା ବାନ୍ଦଲା ଇତିହାସ ରଚିଛନ୍ତି । ରବିବାର ସେ ତୃତୀୟ ଭାରତୀୟ ବଂଶଜ ଭାବେ ଅନ୍ତରୀକ୍ଷ ଯାତ୍ରା କରିଛନ୍ତି । ଏହି ୩୪ ବର୍ଷୀୟା ଏରୋନଟିକାଲ ଇଞ୍ଜିନିୟର ଏକ ଘରୋଇ ମହାକାଶ ଅଭିଯାନ ଅନ୍ତଗର୍ତ ଅନ୍ତରୀକ୍ଷ ଯାତ୍ରା କରିଛନ୍ତି । ବ୍ରିଟିଶ ଉଦ୍ୟୋଗପତି ରିଚାର୍ଡ ବ୍ରାନସନଙ୍କ ‘ଭର୍ଜିନ ଗାଲାକ୍ଟିକ’ର ମହାକାଶ ଟିମ୍‌ରେ ଶିରିଶାଙ୍କ ସହ ବ୍ରାନସନ ଓ ଅନ୍ୟ ଚାରି ସଦସ୍ୟ ସାମିଲ ଥିଲେ । ଏହି ଟିମ୍ ନ୍ୟୁ ମେକ୍ସିକୋରୁ ଗତକାଲି ଭାରତୀୟ ସମୟ ରାତି ୮ଟାରେ ‘ଭର୍ଜିନ ଗାଲାକ୍ଟିକ’ ସ୍ପେସ୍ ପ୍ଲେନରେ ଅନ୍ତରୀକ୍ଷ ଯାତ୍ରା କରିଥିଲେ । ଏହି ଯାତ୍ରା ୫୬ ମିନିଟ ଧରି ଚାଲିଥିଲା । ଅନ୍ତରୀକ୍ଷରେ ପ୍ରାୟ ୪ ମିନିଟ୍ ବିତାଇବା ପରେ ସେମାନେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି ।

ପୃଥିବୀ ପୃଷ୍ଠକୁ ଫେରିବା ପରେ ‘ଭର୍ଜିନ ଗାଲାକ୍ଟିକ’ର ପ୍ରତିଷ୍ଠାତା ବ୍ରନସନ ଭାରତୀୟ ବଂଶଜ ଶିରିଶାଙ୍କୁ ନିଜ କାନ୍ଧରେ ଉଠାଇ ମହାକାଶ ଅଭିଯାନ ସଫଳତାର ଖୁସି ମନାଇଥିଲେ ।

ମହାକାଶରେ ପାଦ ରଖିବାରେ ଶିରିଶା ହେଉଛନ୍ତି ତୃତୀୟ ଭାରତୀୟ ବଂଶଜ । ତାଙ୍କ ପୂର୍ବରୁ ସ୍ୱର୍ଗତା କଳ୍ପନା ଚାୱଲା ଓ ସୁନୀତା ୱିଲିୟମ୍ସ ମଧ୍ୟ ଅନ୍ତରୀକ୍ଷ ଯାତ୍ରା କରିଛନ୍ତି । ତେବେ ପ୍ରଥମ ତଥା ଏକମାତ୍ର ଭାରତୀୟ ରାକେଶ ଶର୍ମା ଅନ୍ତରୀକ୍ଷ ଯାତ୍ରା କରିଛନ୍ତି । ବାୟୁସେନାର ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମା ୧୯୮୪ରେ ସୋଭିଏତ ଇଣ୍ଟର କୋସ୍ମୋସ୍ କାର୍ଯ୍ୟକ୍ରମ ଅଧୀନରେ ସୁଏଜ ଟି-୧୧ ଯାନ ମାଧ୍ୟମରେ ଅନ୍ତରୀକ୍ଷ ଯାତ୍ରା କରିଥିଲେ ।
ଶିରିଶାଙ୍କ ଜନ୍ମ ଆନ୍ଧ ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ । ତେବେ ତାଙ୍କ ପିଲାଦିନ ଆମେରିକାର ହ୍ୟୁଷ୍ଟନ ସହରରେ କଟିଥିଲା । ଶିରିଶା ଯେବେ ଚାରି ବର୍ଷର ହୋଇଥିଲେ, ତାଙ୍କ ବାପାମା ଆମେରିକା ଚାଲିଯାଇଥିଲେ ।

Comments are closed.