ରାଜ୍ୟର ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ୪ଟି ଜିଲ୍ଲାରେ ସୃଷ୍ଟି ହୋଇପାରେ ସମସ୍ୟା

ଭୁବନେଶ୍ୱର- ରାଜ୍ୟରେ ଏ ବର୍ଷ ଠିକ୍ ସମୟରେ ମୌସୁମୀ ବାୟୁ ପ୍ରବେଶ କରିଥିଲେ ମଧ୍ୟ ଏ ଯାଏ ଆଶାନରୂପକ ବର୍ଷା ହୋଇନାହିଁ । ୩୦ଟି ଜିଲ୍ଲାରୁ ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଜୁନ ପହିଲାରୁ ଜୁଲାଇ ୧୩ ତାରିଖ ମଧ୍ୟରେ ରାଜ୍ୟରେ ୨୭୩ ଦଶମିକ ୬ ମିମି ବର୍ଷା ହୋଇଛି, ଯାହା କି ସ୍ୱାଭାବିକ ହାରଠାରୁ ୨୧ ପ୍ରତିଶତ କମ୍ । ଏହି ସମୟ ମଧ୍ୟରେ କୋରାପୁଟ ଜିଲ୍ଲାରେ ସର୍ବାଧିକ ୩୭୯ ଦଶମିକ ୩ ମିମି ବର୍ଷା ରେକର୍ଡ କରାଯାଇଛି । ଭଦ୍ରକ ଜିଲ୍ଲାରେ ଏହି ସମୟ ମଧ୍ୟରେ ସବୁଠାରୁ କମ୍ ୧୩୧ ଦଶମିକ ୧ମିମି ବର୍ଷା ହୋଇଛି ।
୨୦ରୁ ୫୯ ପ୍ରତିଶତ କମ୍ ବର୍ଷା ବା ନିଅଂଟିଆ ବର୍ଷାର ସମ୍ମୁଖୀନ ହୋଇଥିବା ଜିଲ୍ଲାଗୁଡିକ ହେଲା – ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ଦେବଗଡ, ସମ୍ବଲପୁର, ସୋନପୁର, ଝାରସୁଗୁଡା, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ , ଗଜପତି ଓ ରାୟଗଡା ।

୪ଟି ଜିଲ୍ଲାରେ ଯଦି ଆସନ୍ତା ୧୫ ଦିନ ମଧ୍ୟରେ ଭଲ ବର୍ଷା ନ ହୁଏ, ତାହା ହେଲେ ଚାଷକାମ ପ୍ରଭାବିତ ହେବା ଆଶଙ୍କା ରହିଛି । ସେହି ଜିଲ୍ଲାଗୁଡିକ ହେଲା- ଗଞ୍ଜାମ, ଯାଜପୁର, କେନ୍ଦୁଝର ଓ ଭଦ୍ରକ । ଏହି ଚାରି ଜିଲ୍ଲାରେ ସ୍ୱାଭାବିକ ହାରଠାରୁ ୪୦ ପ୍ରତିଶତ କମ୍ ବର୍ଷା ହୋଇଛି ।

Comments are closed.