ରିଲ୍ ନୁହେଁ ରିୟଲ ହିରୋ ହୁଅ, ଟିକସ ଫାଙ୍କି ନେଇ ଅଭିନେତା ବିଜୟଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ଚେନ୍ନାଇ: ବିଦେଶରୁ ଅଣାଯାଇଥିବା ରୋଲ୍ସ ରୟସ ଘୋଷ୍ଟ କାର୍ ପାଇଁ ଉଦ୍ଦିଷ୍ଟ ଟିକସ ପୈଠ ନ କରିବା ଦକ୍ଷିଣ ଭାରତର ସୁପରଷ୍ଟାର ବିଜୟଙ୍କୁ ମହଙ୍ଗା ପଡ଼ିଛି । ଏହି ମାମଲାରେ ମାଡ୍ରାସ୍ ହାଇକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି । ରିଲ୍ ନୁହେଁ ବରଂ ରିୟଲ ହିରୋ ହେବାକୁ ଚେଷ୍ଟା କର ବୋଲି ବିଜୟଙ୍କୁ ହାଇକୋର୍ଟ ତାଗିଦ୍ କରିଛନ୍ତି । ଏହାସହ କୋର୍ଟ ଏହି ଲୋକପ୍ରିୟ ଅଭିନେତାଙ୍କ ଉପରେ ୧ ଲକ୍ଷ ଜରିମାନା ଲଗାଇବା ସହ ଦୁଇ ସପ୍ତାହ ଭିତରେ ଟ୍ୟାକ୍ସ ସହ ଜରିମାନା ରାଶି ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଜୟଙ୍କ ଭଳି ପ୍ରତିଷ୍ଠିତ ଅଭିନେତା ଠିକ୍ ସମୟରେ ଟିକସ ପୈଠ କରିବା ଉଚିତ । ଯେଉଁ ଅଭିନେତାଙ୍କୁ ପ୍ରଶଂସକ ପ୍ରକୃତ ହିରୋ ବୋଲି ଭାବୁଛନ୍ତି, ସେମାନେ କେବଳ ରିଲ୍ ହିରୋରେ ସୀମିତ ରହିବା ଉଚିତ ନୁହେଁ । ସେମାନଙ୍କୁ ରିୟଲ୍ ହିରୋ ବି ହେବାକୁ ପଡ଼ିବ ବୋଲି କୋର୍ଟ ମତବ୍ୟକ୍ତ କରିଛନ୍ତି ।

୨୦୧୨ରେ ବିଜୟ ଇଂଲଣ୍ଡରୁ ବିଳାସପୂର୍ଣ୍ଣ ରୋଲ୍ସ ରୟସ ଘୋଷ୍ଟ କାର୍ ମଗାଇଥିଲେ । ଏହାର ଦାମ୍ ହେଉଛି ୮ କୋଟି ଟଙ୍କା । ଏହା ଦାମୀ କାର୍ ଉପରେ ଏଣ୍ଟ୍ରି ଟ୍ୟାକ୍ସ ଭାବେ ବିଜୟଙ୍କୁ ୧.୫ କୋଟି ପୈଠ କରିବାର ଥିଲା । ତେବେ ଟିକସ ପୈଠ କରିବା ପରିବର୍ତ୍ତେ ବିଜୟ ଏହାକୁ ହାଇକୋର୍ଟ ଚ୍ୟାଲେଞ୍ଜ କରିଥିଲେ ।

ବିଜୟଙ୍କ ଆବେଦନର ଶୁଣାଣି ଜୁଲାଇ ୮ରେ ହୋଇଥିଲା । ଏହି ଆବେଦନ ପାଇଁ ବିଜୟଙ୍କୁ ହାଇକୋର୍ଟ ସମାଲୋଚନା କରିବା ସହ ତାଙ୍କ ଆବେଦନ ଖାରଜ କରିଛନ୍ତି । ବିଜୟଙ୍କ ଭଳି ପ୍ରତିଷ୍ଠିତ ଅଭିନେତା ଟିକସ ପୈଠ କରି ପ୍ରକୃତ ହିରୋ ହୁଅନ୍ତୁ ବୋଲି କାର୍ଟ କହିଛନ୍ତି ।

Comments are closed.