ଆସନ୍ତୁ ଜାଣିବା ଶ୍ରୀଗୁଣ୍ଡିଚା ମହାବେଦୀ ସଂପର୍କରେ କିଛି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ୟନାମ ହେଉଛ ଶ୍ରୀଗୁଣ୍ଡିଚା ଯାତ୍ରା। ବର୍ଷକୁ ଥରେ କାଳିଆ ଠାକୁର ନିଜ ଭାଇ ଭଉଣୀଙ୍କ ସହିତ ସ୍ୱୟଂ ରତ୍ନସିଂହାସନ ଛାଡି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ତାଙ୍କର ଦ୍ୱାଦଶ ଯାତ୍ରା ଭିତରୁ ଶ୍ରେଷ୍ଠ ଯାତ୍ରା ହେଉଛି ଗୁଣ୍ଡିଚା ଯାତ୍ରା। ପ୍ରଶ୍ନ ଉଠେ ଏ ଗୁଣ୍ଡିଚା ଯାତ୍ରା କଣ? କାହିଁକି ଏହି ମନ୍ଦିରକୁ ଚତୁର୍ଦ୍ଧା ବିଗ୍ରହ ସ୍ଵଂୟ ବିଜେ କରନ୍ତି, କଣ ରହିଛି ଏହି ସ୍ଥାନର ମହତ୍ତ୍ୱ?

ସ୍କନ୍ଦପୁରାଣ କୁହନ୍ତି ଏହି ଗୁଣ୍ଡିଚାଘର ବା ଗୁଣ୍ଡିଚା ମନ୍ଦିର ହେଉଛି ମହାପ୍ରଭୁଙ୍କ ଜନ୍ମବେଦୀ। ଏହି ସ୍ଥାନରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏକ କାଷ୍ଠ ନିର୍ମିତ ଗୃହରେ ଦାରୁ ବିଗ୍ରହଙ୍କୁ ପ୍ରତିଷ୍ଠା କରିଥିଲେ। ସର୍ବପ୍ରଥମେ ଦେବର୍ଷି ନାରଦଙ୍କ ଦ୍ଵାରା ସ୍ୱର୍ଗଲୋକରୁ ଶ୍ରୀନୃସିଂହ ଆସି ପ୍ରତିଷ୍ଠିତ ହୋଇଥିଲେ। ଏହାପରେ ଏହିସ୍ଥାନରେ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଅଶ୍ୱମେଧ ଯଜ୍ଞର ଆୟୋଜନ କରୁଥିଲେ। ଆଜି ବି ଏହିସ୍ଥାନରେ ଶ୍ରୀଯଜ୍ଞନୃସିଂହ ବିରାଜମାନ କରିଛନ୍ତି। ଅଶ୍ୱମେଧ ଯଜ୍ଞ ସମୟରେ ଦାନ କରାଯାଇଥିବା ଗୋମାତାଙ୍କ ଖୁରାରେ ଖୋଦିତ କୁଣ୍ଡ ବର୍ତ୍ତମାନ ଇନ୍ଦ୍ରଦ୍ୟୁମ୍ନ ସରୋବର ନାମରେ ଏହି ସ୍ଥାନରେ ବିଦ୍ୟମାନ।

ପୂର୍ବରୁ ଶ୍ରୀଜୀଉମାନେ ଏହି ସ୍ଥାନରେ ଏକ ଅସ୍ଥାୟୀ ଗୃହରେ ବିରାଜମାନ କରୁଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଶ୍ରୀମନ୍ଦିରକୁ ସ୍ଥାନାନ୍ତର କରାଯାଇଥିଲା। ପୌରାଣିକ କଥାବସ୍ତୁ ଆଧାରରେ ମହାରାଣୀ ଗୁଣ୍ଡିଚାଙ୍କ ଅନୁରୋଧ କ୍ରମେ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦେଶରେ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଏହି ଗୁଣ୍ଡିଚା ଯାତ୍ରା ପ୍ରାରମ୍ଭ କରିଥିଲେ।

ସମୟକ୍ରମେ ବିଭିନ୍ନ ରାଜାଙ୍କ ଶାସନ କାଳରେ ଅସ୍ଥାୟୀ ଗୁଣ୍ଡିଚାଘରକୁ ସ୍ଥାୟୀ ଭାବରେ ନିର୍ମାଣ କରିବାକୁ ପ୍ରଯତ୍ନ କରାଯାଇଥିଲା। ବର୍ତ୍ତମାନର ମନ୍ଦିରଟି ଚାରି ମଣ୍ଡପ ଭାଗରେ ନିର୍ମିତ। ଏସବୁ ହେଉଛି ରତ୍ନସିଂହାସନ ଥିବା ଗର୍ଭଗୃହ, ନାଟମଣ୍ଡପ, ଜଗମୋହନ ଓ ଭୋଗ ମଣ୍ଡପ। ଏହାବ୍ୟତୀତ ଶ୍ରୀମନ୍ଦିର ଢାଞ୍ଚାରେ ରହିଛି ରୋଷଶାଳା। ମନ୍ଦିର ବେଢାରେ ରହିଛି ସୁର୍ଯ୍ୟ ଯନ୍ତ୍ର। ବାହାର ବେଢାରେ ରହିଛି ଆନନ୍ଦ ବଜାର। ମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ରହିଛି ସିଂହଦ୍ଵାର ଓ ପ୍ରସ୍ଥାନ ପାଇଁ ରହିଛି ନାକଚଣା ଦ୍ୱାର। ପ୍ରବାଦ ରହିଛି ରାଣୀ ନିଜର ନାକଚଣା ବିକି ମହାପ୍ରଭୁଙ୍କ ପ୍ରସ୍ଥାନ ପାଇଁ ଏହିଦ୍ୱାର ନିର୍ମାଣ କରିଥିବାରୁ ଏହିଦ୍ୱାରର ନାମ ଏପରି ରହିଛି।

ବରଷକେ ଥରେ ମହାପ୍ରଭୁ ଏହି ମହାବେଦୀରେ ସାତଦିନ ଅବସ୍ଥାନ କରିଥାନ୍ତି। ଏହି ସମୟରେ ଭକ୍ତମାନେ ଯଦି ଥରେମାତ୍ର ମହାପ୍ରଭୁଙ୍କୁ ଦର୍ଶନ କରନ୍ତି ତେବେ ନୀଳାଚଳର ଦଶବର୍ଷ ଦର୍ଶନ ସହିତ ସମାନ ବୋଲି ଜନ ମାନସରେ ବିଶ୍ୱାସ ରହିଛି। ବୈଷ୍ଣବୀୟ ଚେତନାରେ ଏହା ହେଉଛି ନିତ୍ୟ ବ୍ରଜଭୁମି। ଯାହାର ପ୍ରତିଫଳନ ଦେଖିବାକୁ ମିଳେ ଗୁଣ୍ଡିଚା ମନ୍ଦିରରେ।ପ୍ରତିଦିନ ସନ୍ଧ୍ୟାଧୂପ ପରେ ଶ୍ରୀମଦନମୋହନ ରାସ ମଣ୍ଡପରେ ବିଜେହୋଇ ରାସ ବନ୍ଦାପନା ନୀତି ସମ୍ପର୍ଣ୍ଣ ହୋଇଥାଏ। ମହାପ୍ରଭୁଙ୍କ ଏହା ମାଧୁର୍ଯ୍ୟ ଲୀଳା। ବର୍ଷକ ଯାକ ଶ୍ରୀମନ୍ଦିରରେ ଲକ୍ଷ୍ମୀଙ୍କ ସହ ଐଶ୍ୱର୍ଯ୍ୟ ଲୀଳା କରିଥାନ୍ତି। ତେଣୁ ଏହା ଗୁପ୍ତ ବୃନ୍ଦାବନ ବୋଲି ମନେ କରାଯାଏ। କେତେକ ଏହାକୁ ଜଗନ୍ନାଥଙ୍କ ମାଉସୀ ଘର ବୋଲି କହିଥାନ୍ତି। ଏହା ବାସ୍ତବରେ ଭକ୍ତ ମାନସର ରସସିକ୍ତ କ୍ଷେତ୍ର, ଯଜ୍ଞବେଦୀ, ଆଡ଼ପ ମଣ୍ଡପ। କୋଟି କୈବଲ୍ୟ ନାଥଙ୍କ ଜନ୍ମଭୂମୀ।

Comments are closed.