ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେରାପଞ୍ଚମୀ ହେଉଛି ଏକ ଅନନ୍ୟ ପର୍ବ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହା ଏକ ଉଦାହରଣ। ନବଦିନ ବ୍ୟାପି ରଥଯାତ୍ରାର ମଧ୍ୟ ଭାଗରେ ଏହି ଉତ୍ସବ ପାଳନ କରାଯାଇଥାଏ। ରହସ୍ୟମୟ ଠାକୁର ସିଏ। ନିଜେ ରହସ୍ୟମୟ ହେବା ସହିତ ତାଙ୍କର ପ୍ରତ୍ୟେକ ଯାତ୍ରା ପଛରେ ରହିଛି ଅନେକ ରହସ୍ୟ। ରଥଯାତ୍ରାର ପଞ୍ଚମ ଦିନ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀରେ ହୋଇଥାଏ ହେରାପଞ୍ଚମୀ। ହେରା ବା ହେରିବା ଅର୍ଥ ଚାହିଁବା। ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ମହାଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇଥାନ୍ତି। କାରଣ ପବିତ୍ର ଗୁଣ୍ଡିଚାଯାତ୍ରା ବା ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯାତ୍ରା କରିଥାନ୍ତି। ପ୍ରିୟତମା ପତ୍ନୀ ମା ଲକ୍ଷ୍ମୀ ସାନ୍ତାଣୀ ସିଏ ସାଙ୍ଗରେ ନେଇନଥାନ୍ତି। ଏଥିପାଇଁ କ୍ରୋଧିତ ହୁଅନ୍ତି ସାଗର ଦୁହିତା ଶ୍ରୀଲକ୍ଷ୍ମୀ। ଓଡ଼ିଆ ପରମ୍ପରା ଅନୁସାରେ ସାଙ୍ଗରେ ବଡ଼ଭାଇ ଥିବାରୁ ଦେଢଶୁରଙ୍କୁ ସମ୍ମାନ ଦେଇ ଭାଇବୋହୁ ଲଷ୍ମୀଙ୍କୁ ସାଙ୍ଗରେ ନେବାକୁ ଉଚିତ ମଣିନଥାନ୍ତି ଓଡ଼ିଆ ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏକଥା କୁ ବୁଝିନପାରି ମହାଲକ୍ଷ୍ମୀ ନିଜର ଅସହ୍ୟ ବେଦନା ଜଣାନ୍ତି ଶ୍ରୀକ୍ଷେତ୍ର ରାଜେଶ୍ୱରୀ ଦେବୀ ବିମଳାଙ୍କୁ।
ଦେବୀ ବିମଳାଙ୍କ ପରାମର୍ଶ ଅନୁସାରେ ମା ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ରଥଯାତ୍ରାର ପଞ୍ଚମ ଦିନ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିର ଭଣ୍ଡାର ଘରେ ମା ଲକ୍ଷ୍ମୀଙ୍କର ମାଜଣ ସମ୍ପର୍ଣ୍ଣ ହୋଇଥାଏ। ପାଟ ଅଳଙ୍କାର ସହିତ ବେଶଭୂଷା ହୁଅନ୍ତି ଶ୍ରୀଦେବୀ। ତାପରେ ବଟବୃକ୍ଷ ତଳେ ଥିବା ବିମାନରେ ବିଜେ ହୁଅନ୍ତି। ବିମାନରେ ଘଣ୍ଟ ଘଣ୍ଟା ବାଜି ଶରଧାବାଲି ଠାରେ ଥିବା ନନ୍ଦିଘୋଷ ରଥ ନିକଟକୁ ଯାଆନ୍ତି। ରଥ ବନ୍ଦାପନା ସାରି ସିଂହଦ୍ଵାର ଦେଇ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ମାଆ ଲକ୍ଷ୍ମୀଙ୍କ ବିମାନକୁ ଜୟବିଜୟ ଦ୍ଵାର ନିକଟକୁ ନିଆଯାଏ। ସେହିଠାରେ ସେ ନିଜର ଓଢଣୀ ତଳୁ ମହାପ୍ରଭୁଙ୍କୁ କଣେଇକି ଦର୍ଶନ କରନ୍ତି। ଏହାପରେ ତୁରନ୍ତ ଲକ୍ଷ୍ମୀଙ୍କୁ ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପ୍ରାପ୍ତ ହୋଇଥାଏ। ମହାପ୍ରଭୁଙ୍କ ଠାରୁ କିଛିଦିନ ପରେ ସେ ଶ୍ରୀମନ୍ଦିରକୁ ଫେରିବେ ବୋଲି ପ୍ରତିଶ୍ରୁତି ପାଆନ୍ତି। କିନ୍ତୁ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ପୂର୍ଣ୍ଣରୂପେ ଦର୍ଶନ କରିପାରନ୍ତି ନାହିଁ। ସେଥିପାଇଁ ମହାଲକ୍ଷ୍ମୀ ରୁଷ୍ଟ ହୋଇ ନନ୍ଦିଘୋଷ ରଥର ଖଣ୍ଡିଏ କାଠ ଭାଙ୍ଗି ଦେଇ ଶ୍ରୀମନ୍ଦିରକୁ ଫେରି ଆସନ୍ତି। ହେରା ଗୋହରି ଦେଇ ଶ୍ରୀମନ୍ଦିରକୁ ଫେରି ଆସନ୍ତି। ଏହି ସମୟରେ କୌଣସି ବାଦ୍ୟ ବାଜି ନଥାଏ।କାରଣ ମହାଲକ୍ଷ୍ମୀ ନିଜକୁ ବହୁତ ଅପମାନିତ ମନେ କରିଥାନ୍ତି। ଅପର ପକ୍ଷରେ ମହାଲକ୍ଷ୍ମୀଙ୍କୁ ଦେଖି ମହାପ୍ରଭୁଙ୍କ ମନ ଉଚ୍ଚାଟ ହୋଇଥାଏ। ଠିକ ତା ପରଦିନ ଶ୍ରୀଜୀଉଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ସର୍ବ ପ୍ରଥମେ ତିନି ରଥର ଦକ୍ଷିଣୀ ମୋଡ଼ କରାଯାଏ। ମାନବୀୟ ଲୀଳାର ନିଛକ ଚିତ୍ର ଏହି ହେରା ପଞ୍ଚମୀ ଉତ୍ସବ । ଯାହା ଆମ ଜନଜୀବନ ସହିତ ଜଡିତ।
Comments are closed.