କରୋନାର ନୂଆ ହଟସ୍ପଟ୍ ପାଲଟିଛି ଇଣ୍ଡୋନେସିଆ, ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ | News Room Odisha

କରୋନାର ନୂଆ ହଟସ୍ପଟ୍ ପାଲଟିଛି ଇଣ୍ଡୋନେସିଆ, ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ

ଜାକର୍ତ୍ତା: ଇଣ୍ଡୋନେସିଆରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଭାରତରେ କରୋନାର ଦ୍ୱିତୀୟ ଲହରୀ ‌ ସମୟରେ ଯେଭଳି ସ୍ଥିତି ଥିଲା, ଇଣ୍ଡୋନେସିଆରେ ବି ଏବେ ସେହିପରି ଅବସ୍ଥା ଦେଖାଦେଇଛି | ବୁଧବାର ଇଣ୍ଡୋନେସିଆରେ ୫୪,୫୧୭ ନୂଆ କୋଭିଡ୍ ମାମଲା ରିପୋର୍ଟ ହୋଇଛି। ଇଣ୍ଡୋନେସିଆରେ ଏହା ଦୈନିକ ସଂକ୍ରମଣରେ ଏକ ରେକର୍ଡ । ସଂକ୍ରମଣର ଭୟଙ୍କର ଗତି ଯୋଗୁଁ ଇଣ୍ଡୋନେସିଆ ବର୍ତ୍ତମାନ ଏସିଆ ତଥା ବିଶ୍ଵର ନୂଆ କରୋନା ହଟସ୍ପଟ୍ ପାଲଟିଛି।

ଇଣ୍ଡୋନେସିଆ ହେଉଛି ବିଶ୍ୱର ଚତୁର୍ଥ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ | ଦେଶର ମୋଟ ଜନସଂଖ୍ୟା ୨୭ କୋଟିରୁ ଅଧିକ | ଦିନକୁ ଦିନ ଏହି ଦେଶରେ ସଂକ୍ରମଣ ବୃଦ୍ଧି ପାଉଛି । ଯଦି ଏହି ଧାରା ଅବ୍ୟାହତ ରହେ, ତେବେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପାରେ | ଶୁକ୍ରବାର ପ୍ରକାଶିତ ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାର ଜନସଂଖ୍ୟାର ଅର୍ଦ୍ଧେକ କରୋନାରେ ସଂକ୍ରମିତ ହୋଇପାରନ୍ତି। ଗତ ସପ୍ତାହରୁ ସେଠାରେ ଜରୁରୀକାଳୀନ ଲକଡାଉନ୍ ଲଗାଯାଇଛି।

ଜଣେ ଅଧିକାରୀ କହିଛନ୍ତି ଯେ ଯଦି ପରିସ୍ଥିତି ଶୀଘ୍ର ନିୟନ୍ତ୍ରଣକୁ ନ ଆସେ ତେବେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପଦରେ ପଡିପାରେ। ଯଦି କରୋନା ମାମଲା ଠିକ୍ ସମୟରେ ନିୟନ୍ତ୍ରିତ ନହୁଏ, ତେବେ ପରିସ୍ଥିତି ଆହୁରି ଭୟାବହ ହୋଇପାରେ | ଇଣ୍ଡୋନେସିଆର ସ୍ୱାସ୍ଥ୍ୟମନ୍ତ୍ରୀ ବୁଡି ସାଦିକିନ କହିଛନ୍ତି ଯେ ଦେଶର ଅନେକ ଡାକ୍ତରଖାନାରେ ଶଯ୍ୟା ଖାଲି ଅଛି, କିନ୍ତୁ ଡେଲଟା ଭାରିଆଣ୍ଟ ଯୋଗୁଁ ଅନେକ ପ୍ରଦେଶରେ କରୋନା ସଂକ୍ରମଣ ମାମଲା ବଢ଼ୁଛି।