ଭାରତରେ କୋଭିଡ୍ ଟିକାକରଣକୁ ପୂରିଲା ୬ ମାସ, ୩୯ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଦିଆଗଲାଣି ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ବିରୋଧରେ ଚାଲିଥିବା ଟିକାକରଣକୁ ୬ ମାସ ‌ ପୁରିଛି । ଏହି ଛଅ ମାସରେ ମୋଟ ୩୯ କୋଟି ୫୩ ଲକ୍ଷ ୪୩ ହଜାର ୭୬୭ ଲୋକଙ୍କ ଟିକାକରଣ କରାଯାଇଛି। ଟିକାକରଣରେ ଉତ୍ତରପ୍ରଦେଶ ଆଗରେ ରହିଛି । ଉତ୍ତର ପ୍ରଦେଶରେ ଏଯାବତ୍ ସର୍ବାଧିକ ୩ କୋଟି ୯୫ ଲକ୍ଷ ୨୦ ହଜାର ୮୫ ଲୋକଙ୍କ ଟିକାକରଣ କରାଯାଇଥିବାବେଳେ ମହାରାଷ୍ଟ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୩ କୋଟି ୮୨ ଲକ୍ଷ ୬୮ ହଜାର ୩୨୩ ଟିକା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ୧୬ ଜାନୁଆରୀରେ ଭାରତରେ କରୋନା ଟୀକାକରଣ ଆରମ୍ଭ ହୋଇଥିଲା | ବ୍ୟାପକତା ଓ ଜନସଂଖ୍ୟା ଦୃଷ୍ଟିରୁ ଏହା ହେଉଛି ବିଶ୍ବର ସର୍ବବୃହତ କରୋନା ଟୀକାକରଣ ଅଭିଯାନ ।

ଟିକାକରଣ ପରିସଂଖ୍ୟାନକୁ ଦେଖିଲେ ଅନ୍ୟ ଦେଶ ତୁଳନାରେ ଭାରତ ଆଗରେ ଅଛି । ଆମେରିକାରେ ଏପର୍ଯ୍ୟନ୍ତ ୩୩.୫ କୋଟି ଡୋଜ୍ ଦିଆଯାଇଥିବା ବେଳେ ବ୍ରିଟେନରେ ୮.୧୧ କୋଟି, ଫ୍ରାନ୍ସରେ ୬.୨୩ କୋଟି, ବ୍ରାଜିଲରେ ୧୧.୭୨ କୋଟି ଏବଂ ଜର୍ମାନୀରେ ୮.୪୧ କୋଟି ଡୋଜ ଟିକା ଦିଆଯାଇଛି।

ଅଧିକ ଟୀକାକରଣ କରିଥିବା ରାଜ୍ୟ ମଧ୍ୟରେ ଗୁଜୁରାଟ ତୃତୀୟ ସ୍ଥାନରେ ରହିଛି। ଏପର୍ଯ୍ୟନ୍ତ ଏଠାରେ ୨ କୋଟି ୮୭ ଲକ୍ଷ ୬୨ ହଜାର ୫୦୨ ଡୋଜ ଦିଆଯାଇଛି। ରାଜସ୍ଥାନ ଚତୁର୍ଥ ସ୍ଥାନରେ ରହିଛି। ଏଠାରେ ୨ କୋଟି ୭୫ ଲକ୍ଷ ୬୨୨ ଟିକା ଦିଆଯାଇଛି। କର୍ଣ୍ଣାଟକ ୨ କୋଟି ୬୬ ଲକ୍ଷ ୧୪ ହଜାର ୬୦୮ ଡୋଜ ସହିତ ପଞ୍ଚମ ସ୍ଥାନରେ ରହିଛି।

Comments are closed.