ଟି-ସିରିଜ୍ ମାଲିକ ଭୂଷଣ କୁମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ, ମାମଲା ରୁଜୁ

ମୁମ୍ବାଇ: ଟି-ସିରିଜ୍ ମାଲିକ ତଥା ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ହୋଇଛି। ଏନେଇ ମୁମ୍ବାଇର ଡିଏନ୍ ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । କୁମାରଙ୍କ ବିରୋଧରେ ଜଣେ ୩୦ ବର୍ଷ ବୟସ୍କା ମହିଳା ବଳାତ୍କାର ଅଭିଯୋଗ ଆଣିଛନ୍ତି। ମହିଳା ଜଣକ କହିଛନ୍ତି ଯେ ଭୂଷଣ ତାଙ୍କୁ ତାଙ୍କ ପ୍ରୋଜେକ୍ଟରେ କାମ ଦେବାକୁ କହି ବିଭିନ୍ନ ସ୍ଥାନକୁ ନେଇ ତାଙ୍କୁ ବଳାତ୍କାର କରିଥିଲେ। ମହିଳାଙ୍କ କହିବାନୁସାରେ, ଏହି ଘଟଣା ୨୦୧୭ ରୁ ୨୦୨୦ ମଧ୍ୟରେ ଘଟିଥିଲା ​​।

ଏହି ମାମଲାରେ ପୋଲିସ ଭୂଷଣ କୁମାରଙ୍କ ବିରୋଧରେ ଆଇପିସିର ଧାରା ୩୭୬ (ବଳାତ୍କାର), ୪୨୦ (ଠକେଇ) ଏବଂ ୫୦୬ (ଧମକ) ଅଧୀନରେ ମାମଲା ରୁଜୁ କରିଛି। କୁହାଯାଇଛି ଯେ ଭୂଷଣ କୁମାର ବର୍ତ୍ତମାନ ମୁମ୍ବାଇ ବାହାରେ ଅଛନ୍ତି, ତେଣୁ ବର୍ତ୍ତମାନ ତାଙ୍କୁ ପଚରାଉଚରା କରିବା ସମ୍ଭବ ନୁହେଁ।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଭୂଷଣ କୁମାର ତାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ। ତେବେ ଏହି ଅଭିଯୋଗ ଉପରେ ଟି-ସିରିଜ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ଭୂଷଣ କୁମାର ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ଏବଂ ମୁମ୍ବାଇ ଫେରିବା ପରେ ପୋଲିସ ତାଙ୍କୁ ଏହି ମାମଲାରେ ପଚରାଉଚରା କରିବ।

ଏହା ପୂର୍ବରୁ ୨୦୧୮ରେ #MeToo ଆନ୍ଦୋଳନ ସମୟରେ ମଧ୍ୟ ଭୂଷଣ କୁମାରଙ୍କ ବିରୋଧରେ ଜଣେ ମହିଳାଙ୍କ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଭୂଷଣ କିନ୍ତୁ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ।

Comments are closed.