‘ବିଶ୍ବକର୍ମା’ଙ୍କ ସୁଖାନୁଭବର ବିଶ୍ବକର୍ମା ନବୀନ

ରାଜ୍ୟର ହିତସାଧନ ପାଇଁ, ଅନ୍ତର୍ଭୁକ୍ତିକରଣ ସର୍ବବ୍ୟାପୀ କରିବା ପାଇଁ, ବିଶେଷ କରି ବିପତ୍ତି ସହାୟତା ଫାଙ୍କ-ଶୂନ୍ୟ କରିବା ପାଇଁ ସମ୍ବେଦନଶୀଳ ପ୍ରଶାସନ ଭାବେ ନବୀନ-ସରକାରଙ୍କ ସଙ୍କଳ୍ପର ଏକନିଷ୍ଠତା ଓ ଯୋଜନାର ଧାରାବାହିକତା ନିରବଚ୍ଛିନ୍ନ।

ନରେଗାରେ କାର୍ଯ୍ୟରତ ରାଜ୍ୟର ୩୨ ଲକ୍ଷ ଶ୍ରମିକଙ୍କ ପାଇଁ ୩୫୨ କୋଟି ଟଙ୍କାର ସ୍ବତନ୍ତ୍ର କୋଭିଡ୍ ଆର୍ଥିକ ସହାୟତା; ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ଗରିବ ଶ୍ରେଣୀର ଲୋକଙ୍କୁ କରୋନା ମହାମାରୀ ସମୟରେ ବଞ୍ଚିବାର ରାହା ଦେବା ପାଇଁ ୧୬୯୦.୪୬ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍ ଯେଉଁଥିରୁ ଉପକୃତ ହୋଇଥିଲେ ରାଜ୍ୟର ଲକ୍ଷ ଲକ୍ଷ ଆଦିବାସୀ ଓ ଅନ୍ୟ ବର୍ଗର ଲୋକ; କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକଙ୍କ ସକାଶେ ୩୮୬ କୋଟିର ଅନୁଦାନ ପ୍ରଦାନ; କାଳିଆ ସ୍କିମରେ ୫୩ ଲକ୍ଷ ଚାଷୀଙ୍କ ସକାଶେ ୧୨୭୨ କୋଟି ଟଙ୍କା ପ୍ରଦାନ; ଲକଡାଉନ୍ ସମୟରେ କୋଭିଡ୍ ଦ୍ବାରା ପ୍ରଭାବିତ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ଯୋଗାଣ ପାଇଁ ୯୨୦ କୋଟିର ବ୍ୟୟବରାଦ; ଦୁଗ୍ଧ ଚାଷୀଙ୍କ ସକାଶେ ୧୧ କୋଟି ଟଙ୍କାର ଆର୍ଥିକ ସହାୟତା ଯାହା ଫଳରେ ଉପକୃତ ହୋଇଛନ୍ତି ଦେଢ଼ ଲକ୍ଷ ହିତାଧିକାରୀ; ଘରୋଇ ବସ୍ ଅପରେଟଙ୍କ ନିମନ୍ତେ ଶୁଳ୍କ ଛାଡ଼; ରାଜ୍ୟର ସହରାଞ୍ଚଳ ରାସ୍ତାକଡ଼ରେ କିଛି କିଣାବିକା କରି ପେଟ ପୋଷୁଥିବା ପ୍ରାୟ ୮୭୭୦୦ ଉଠା ବେପାରୀ (ଷ୍ଟ୍ରିଟ୍ ଭେଣ୍ଡର୍)ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ୨୬.୨୯ କୋଟିର ଅନୁଦାନ; କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପିଲା ଛୁଆଙ୍କ ଶିକ୍ଷାରୁ ଆରମ୍ଭ କରି ସେମାନଙ୍କ ଭରଣପୋଷଣ ପାଇଁ ‘ଆଶୀର୍ବାଦ’ ଭଳି ନୂଆ ଯୋଜନା ପ୍ରଣୟନ; ମହାମାରୀ ମୁକାବିଲାରେ ନିୟୋଜିତ ପ୍ରତି ଆଶା-କର୍ମୀଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ଉପକରଣ କ୍ରୟ ସକାଶେ ଏକକାଳୀନ ୧୦ ହଜାର ଟଙ୍କା ଅନୁଦାନ ପ୍ରଦାନ; ଗ୍ରାମୀଣ ଅର୍ଥନୀତିକୁ ସଜାଡି ଆଗେଇ ନେବା ପାଇଁ ୨୦୦ କୋଟିର ଆର୍ଥିକ ସହାୟତା; ସାମ୍ବାଦିକଙ୍କ ପାଇଁ ୧୫ ଲକ୍ଷରୁ ଆରମ୍ଭ କରି କରୋନା ଯୋଦ୍ଧା ଯେଉଁମାନେ କୋଭିଡ ଡ୍ୟୁଟି କରି ଜୀବନ ହାରିଛନ୍ତି ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁଦାନ…..। ତାଲିକା ଲମ୍ବା ଥିଲା।

ଏ ତାଲିକା ଆହୁରି ଲମ୍ବିଛି। ଏବେ ସେଥିରେ ଯୋଡି ହୋଇଛି ଆଉ ଏକ ସହାୟତା – ୨୬ ଲକ୍ଷ ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି ଟଙ୍କା ମହାମାରୀ କାଳରେ ସହାୟତା ଯୋଗାଇ ଦେଇଛନ୍ତି ସେମାନଙ୍କ ଦରଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ନିର୍ମାଣ ଶ୍ରମିକଙ୍କୁ ରଥଯାତ୍ରା ସମୟରେ ଭେଟି ଦେଇଛନ୍ତି କୋଭିଡ୍ ଆର୍ଥିକ ସହାୟତା। ପଞ୍ଜିକୃତ ପ୍ରତିଟି ନିର୍ମାଣ ଶ୍ରମିକ ପାଇଛନ୍ତି ୧୫୦୦ ଟଙ୍କା। ଗତବର୍ଷ ପ୍ରଥମ ଲହରୀ ସମୟରେ ଶ୍ରମିକଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ସମାନ ରାଶିର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଆଉ ଦ୍ବିତୀୟ ଲହରୀରେ ମଧ୍ୟ ଯେମିତି ଶ୍ରମିକଙ୍କ ପରିବାର କିଛିଟି ଆଶ୍ବସ୍ତ ହୋଇପାରିବେ, ସେଥିପାଇଁ ପୁଣି ଥରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ। ପ୍ରତିଟି ଓଡ଼ିଆ ପାଇଁ ସେ ଚିନ୍ତା କରି ଆସୁଛନ୍ତି। କୋଟି କୋଟି ଓଡ଼ିଶାବାସୀଙ୍କ ବିଶାଳ ପରିବାରର ସେ ମୁଖିଆ। ସବୁ ଓଡ଼ିଆ – ସେ କୃଷକ ହେଉ କି ଶ୍ରମିକ, ଡାକ୍ତର ହେଉ କି ଉଠା ବେପାରୀ – ସମସ୍ତଙ୍କ ପେଟପାଟଣା ଚିନ୍ତା ତା’ଙ୍କ ମୁଣ୍ଡରେ ରହିଛି। ନିର୍ମାଣ ଶ୍ରମିକ ମୁଖ୍ୟମନ୍ତ୍ରୀଙ୍କ ଦରଦୀ, ପ୍ରସାରୀ ଦୃଷ୍ଟିରୁ ବାଦ୍ ପଡି ନାହାନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଭଳି ଆର୍ଥିକ ସହାୟତା ଓ ଅନୁଦାନ ଆଭିମୁଖ୍ୟରୁ ଉପକୃତ ହୋଇଛନ୍ତି ଲକ୍ଷ ଲକ୍ଷ ଓଡ଼ିଶାବାସୀ। ସେ ଆଦିବାସୀ ହୁଅନ୍ତୁ କି କୃଷକ, ଶ୍ରମିକ ହୁଅନ୍ତୁ ବସ୍‌ କର୍ମଚାରୀ – ସମସ୍ତଙ୍କ ପରିବାର ଯେଭଳି ମହାମାରୀ ସଙ୍କଟ ସତ୍ତ୍ବେ ସ୍ବଚ୍ଛନ୍ଦରେ ଜୀଇଁପାରିବେ, ସେଥିପାଇଁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ସମୟରେ ଅର୍ଥିକ ସହାୟତା ଘୋଷଣା କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଏବେ ନିର୍ମାଣ ଶ୍ରମିକଙ୍କ ନିମନ୍ତେ ୩୮୫ କୋଟି ଟଙ୍କାର ଅନୁଦାନ ପ୍ରଦାନ କରି ସେ ମେହନତୀ ମଣିଷର ଝାଳବୁହା ପରିଶ୍ରମକୁ ସ୍ବୀକୃତି ଦେଇଛନ୍ତି।

ଏହି ଅନୁଦାନ ଘୋଷଣା ସମୟରେ ସେ କହିଥିବା କିଛି ପଦ କଥା ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ ମହନୀୟ, ସୁଶାସନର ସୂଚକ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବର ପରିଚାୟକ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି, ସେଥିରୁ ସେମାନଙ୍କୁ କେହି ବଞ୍ଚିତ କରିପାରିବେନି। ଅର୍ଥନୀତିରେ ଶ୍ରମିକମାନଙ୍କ ଅବଦାନ ବେଶ୍ ମହତ୍ତ୍ୱପୂର୍ଣ୍ଣ ବୋଲି ଦର୍ଶାଇବାକୁ ସେ କହିଥିଲେ ଯେ ଶ୍ରମିକଙ୍କ କଲ୍ୟାଣ ବିନା ଅର୍ଥନୀତି କେବେ ବି ସମୃଦ୍ଧ ହୋଇପାରିବ ନାହିଁ। ବିକାଶର ପ୍ରତିଟି ଇଟାରେ ରହିଛି ନିର୍ମାଣ ଶ୍ରମିକମାନଙ୍କ ତ୍ୟାଗ ଓ ପରିଶ୍ରମ। ଅନ୍ଧାରରେ ଦୀପ୍ତି ଭରି ଦେଉଥିବା ମହମବତୀ ଭଳି ଶ୍ରମିକଙ୍କୁ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ନିଜେ ଜଳି ନିର୍ମାଣ ଶ୍ରମିକ ଅନ୍ୟକୁ ଆଲୋକ ଦେଖାନ୍ତି। ନିଜେ କୁଡ଼ିଆ ଘରେ ରହୁଥିଲେ ହେଁ ଅନ୍ୟ ପାଇଁ ଭଲ ଘର, ରାସ୍ତା ଓ ସେତୁ ଆଦି ତିଆରି କରନ୍ତି। ଗରିବ ଲୋକର ତ୍ୟାଗକୁ ସମ୍ମାନ ଦ୍ବାରା ହିଁ ଆମେ ବିକାଶ ସହ ସମସ୍ତଙ୍କୁ ଯୋଡି ପାରିବା। ଆଉ ବାସ୍ତବରେ ସେ ନିର୍ମାଣ ଶ୍ରମିକଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ, ପ୍ରଗତିର ପଥରେ ସେମାନଙ୍କ କଠୋର ପରିଶ୍ରମକୁ ସ୍ବୀକୃତି ଦେବା ସକାଶେ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କୁ ସଶକ୍ତ କରାଇ ପାରିଛନ୍ତି।

ଅଂଶୀଦାରଙ୍କୁ ସମ୍ମାନ ରୀତିରେ ଏହି ସହାୟତା ବାବଦରେ ଘୋଷଣା ବେଳେ ନିମଗ୍ନ ନବୀନ ବିଭିନ୍ନ ଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ସହ ଭିଡିଓ କନଫରେନ୍ସ ଯୋଗେ କଥା ହୋଇଥିଲେ। ସେମାନଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ। ରାଜ୍ୟର ବିକାଶରେ ସେମାନେ ଯେଭଳି ସହଭାଗୀ, ସେମାନଙ୍କ ଆର୍ଥିକ ସ୍ବାଚ୍ଛନ୍ଦ୍ୟରେ ରାଜ୍ୟ ସରକାର ସେହିଭଳି ସମସ୍କନ୍ଧ ଉତ୍ତରଦାୟୀ ବୋଲି ଆଶ୍ବାସନା ଦେଇଥିଲେ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ସୁନ୍ଦରପୁର ଗ୍ରାମର ରବୀନ୍ଦ୍ର ପ୍ରଧାନ। ତାଙ୍କ ସହ ଥିଲେ ଛତ୍ରପୁର ବ୍ଲକ୍ ବଣବୁଲାପଲ୍ଲୀର ଯୋଗୀନ୍ଦ୍ର ପ୍ରଧାନ, ଗୈଦଲପଲ୍ଲୀର କେ.ସୀମାଦ୍ରି ପାତ୍ର, ଜି.ସରସ୍ବତୀ ରେଡ୍ଡୀ, ଗଞ୍ଜାମ ଵ୍ଲକ୍ ଖଣ୍ଡଦେଉଳିର ପଦ୍ମନାଭ ବାରିକ ଓ ରମ୍ଭାର ସନ୍ତୋଷ କୁମାର ଦାସ ପ୍ରମୁଖ। ମୋ ଖାତାକୁ ୧୫୦୦ ଟଙ୍କା ଆସିଛି, ପୂର୍ବ ବର୍ଷ ମଧ୍ୟ ମୋତେ ଏହି ସହାୟତା ରାଶି ମିଳିଥିଲା। ଏହି ସହାୟତା ପାଇଁ ଆପଣଙ୍କୁ ବହୁତ ବହୁତ କୃତଜ୍ଞତା ବୋଲି କହିଥିଲେ ରବୀନ୍ଦ୍ର ପ୍ରଧାନ। ଭିଡିଓ କନଫରେନ୍ସ ପରେ ଶ୍ରମିକମାନଙ୍କ ମୋଟାମୋଟି ମତ ଏୟା ଥିଲା ଯେ ଆମକୁ ବିଶ୍ବକର୍ମାର ସ୍ଥାନ ଦେଇ ମୁଖ୍ୟମନ୍ତ୍ରୀ ଆମକୁ ଗୌରବାନ୍ବିତ କରିଛନ୍ତି। ଆମର ମର୍ଯ୍ୟାଦା ବଢ଼ାଇଛନ୍ତି।

ସେହିପରି ଅନ୍ୟାନ୍ୟ ଜିଲ୍ଲା ଯଥା କଟକର ନବଘନ ପରିଡା କୁହନ୍ତୁ ବା ବରଗଡ଼ର କେଶବ ପ୍ରଧାନ ଅଥବା ସୁଦରଗଡର ରେଣୁ ମିଞ୍ – ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଇଥିଲେ। ଏ ବିପଦ ସମୟରେ ବଞ୍ଚିବାର ରାହା ଦେଇଥିବା ପ୍ରକାଶ କରିଥିଲେ। ବ୍ରହ୍ମପୁରର ଜଣେ ନିର୍ମାଣ ଶ୍ରମିକ ଖଲି ଗୌଡ କହିଛନ୍ତି ଯେ ଏହି ସହାୟତା ନିର୍ମାଣ ଶ୍ରମିକଙ୍କ ଅସୁବିଧା ବେଳେ ଦାନାପାଣି ଚିନ୍ତା ଦୂର କରିବାରେ ସହାୟକ ହେବ। କୋଦଳାର ନିର୍ମାଣ ଶ୍ରମିକ ରାମହରି କହିଛନ୍ତି ଯେ କେବଳ କୋଭିଡ୍ ନୁହେଁ, ବରଂ ଝିଅର ବାହାଘର ହେଉ କି ଛୁଆମାନଙ୍କ ପାଠପଢା ଅଥବା ସାଇକେଲ କିଣା ବିଭିନ୍ନ ସମୟରେ ରାଜ୍ୟ ସରକାର ଆମକୁ ସହାୟତା ଦେଇ ଆସୁଛନ୍ତି। ଖୋର୍ଦ୍ଧାର ମହିଳା ନିର୍ମାଣ ଶ୍ରମିକ ପ୍ରିୟା ବାରିକ କହିଛନ୍ତି ଯେ ମହିଳା ନିର୍ମାଣ ଶ୍ରମିକଙ୍କ ପରିବାର ପାଇଁ ଏହା ଏକ ବଡ ସହାୟତା। ପରିବାର ଲୋକଙ୍କ ପେଟ ପୋଷିବାକୁ ଆମେ କରୁଥିବା କଷ୍ଟକୁ ବୁଝିପାରି ନବୀନ ଆଜ୍ଞା ଟଙ୍କା ଦେଉଛନ୍ତି। ଫୁଲବାଣୀର ସାନନ୍ଦ କହଁରଙ୍କ ମତରେ ଆମର ଏଠି ଅଧିକ କାମ ମିଳେନି। ଅର୍ଥ ଦେଇ ପେଟ ପାଇଁ ଦାନା ଯୋଗାଡ଼ କରି ଦେଇଛନ୍ତି ନବୀନ ପଟ୍ଟନାୟକ। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ତଥା ନିର୍ଦ୍ଦେଶ କ୍ରମେ ରାଜ୍ୟରେ ନିର୍ମାଣ ଶ୍ରମିକଙ୍କ ପାଇଁ ୩୨ ଗୋଟି ଭିନ୍ନ ଭିନ୍ନ ଯୋଜନା ଲାଗୁ କରାଯାଇଛି।

Comments are closed.