ରେଢାଖୋଲ ଆଦର୍ଶ ବିଦ୍ୟାଳୟ ପାଇଁ ୮.୬୦କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଉପାନ୍ତ ରେଢାଖୋଲ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଗୁରୁତ୍ବାରୋପ କରିଛନ୍ତି । ରେଢାଖୋଲରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ସକାଶେ ମୁଖ୍ୟମନ୍ତ୍ରୀ ୮ କୋଟି ୬୦ ଲଖ୍ୟ ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ବିଦ୍ୟାଳୟର କୋଠା ସହିତ ସମସ୍ତ ଭିତ୍ତିଭୂମି ନିର୍ମାଣ ହେବ ।

ରାଜ୍ୟରେ ଶିକ୍ଷାର ବିକାଶକୁ ଏକ ନୂଆ ଧାରା ଦେବା ଆରମ୍ଭ କରିଛି ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟ । ରାଜ୍ୟର ସମସ୍ତ ବ୍ଲକରେ ଏହା ପର୍ଯ୍ୟାୟକ୍ରମେ ସ୍ଥାପନ ହେବାରେ ଲାଗିଛି । ଏଥିପାଇଁ ରାଜ୍ୟ ସରକାର ବିପୁଳ ଅର୍ଥ ବ୍ୟୟ କରୁଛନ୍ତି । ଏହି କ୍ରମରେ ସରକାର ସମ୍ବଲପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ରେଢାଖୋଲ ବ୍ଲକ ର ଆଦର୍ଶ ବିଦ୍ୟାଳୟ ପାଇଁ ୮ କୋଟି ୬୦ ଲକ୍ଷ ୮ ହଜାର ଟଙ୍କା ମଞ୍ଜୁର କରିଛନ୍ତି ।

ଏଥିରୁ ପ୍ରାୟ ୭ କୋଟି ୧୨ ଲକ୍ଷ ବ୍ୟୟରେ ସ୍କୁଲ କୋଠା, ଡ୍ରେନେଜ, ରାସ୍ତା ଏବଂ ପାଚେରୀ ଆଦି ଭିତ୍ତିଭୂମି ନିର୍ମାଣ ହେବ । ସେହିପରି ଅବଶିଷ୍ଟ ଟଙ୍କାରେ ବିଦ୍ୟୁତ, ପାନୀୟଜଳ ଓ ପରିମଳ ଆଦି ବ୍ୟବସ୍ଥା କରାଯିବ । ଏନେଇ ଖୁବ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ କରି କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପ୍ରକଳ୍ପର ମଞ୍ଜୁରୀ ପାଇଁ ରେଢାଖୋଲ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ବିଧାୟକ ଇଂ ରୋହିତ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

Comments are closed.