ବିଜେପିର ଚାଷୀ ପ୍ରୀତିର ଅସଲ ମୁଖା ଖୋଲିଲା ବିଜେଡି

ଏଫସିଆଇର ଚାଷୀ ମାରଣ ନୀତିର ଜୋରଦାର ପ୍ରତିବାଦ

ସମ୍ବଲପୁର : ଧାନକିଣାରେ ଅବ୍ୟବସ୍ଥା ନେଇ ଦୀର୍ଘ ଦିନ ଧରି ବିଜେପି ଆନ୍ଦୋଳନ କରି ଆସୁଥିଲା । ବିଶେଷ କରି ପଶ୍ଚିମ ଓଡିଶାରେ ଗତ ଖରିଫ ଋତୁରୁ ଆନ୍ଦୋଳନ କରି ଚାଷୀଙ୍କ ପ୍ରିୟଭାଜନ ହେବାର ଚେଷ୍ଟା କରି ଆସୁଥିଲା ହେଲେ ଆଜି ବିଜେଡି ଏହାର କଡ଼ାଗଣ୍ଡା ହିସାବ ସହ ବିଜେପିର ଅସଲ ମୁଖା ଖୋଲି ଦେଇଛି । ଧାନକିଣାରେ ଏଫସିଆଇ ଏବଂ କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତିର ପର୍ଦ୍ଦାଫାସ କରି ଜୋରଦାର ପ୍ରତିବାଦ କରିଛି ଦଳ । ରାଜ୍ୟର ହକ୍ ଥିବା ୪୮୮୩ କୋଟି ଟଙ୍କା ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ପ୍ରଦାନ କରୁନଥିବା ବେଳେ ଏଫସିଆଇର ଅସହଯୋଗ ଯୋଗୁଁ ଚାଷୀ ଦହଗଞ୍ଜର ଶିକାର ହେଉଛି । ଏଭଳି ସ୍ଥିତିରେ ବିଜେପି ନିଜର ସରକାରଙ୍କ ଠାରୁ ଚାଷୀଙ୍କ ହକ୍ ନ ଆଣି ରାଜ୍ୟ ସରକାରଙ୍କୁ ବଦନାମ କରି ଚାଷୀଙ୍କ ପ୍ରିୟଭାଜନ ହେବାର ଚେଷ୍ଟା କରୁଛି । ଆଜି ସମ୍ବଲପୁରରେ ଜିଲ୍ଲା ବିଜେଡି ଏଫସିଆଇର ଜୋନାଲ୍ ଅଫିସ ଘେରାଉ ବେଳେ ଏଭଳି ଶାଣିତ ଆକ୍ରମଣ କରିଛି । ସେହିପରି ପଶ୍ଚିମ ଓଡିଶାର ସବୁ ଜିଲ୍ଲାରେ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି ।

ଜିଲ୍ଲା ବିଜେଡି ସଭାପତି ଇଂ ସିଦ୍ଧାର୍ଥ ଦାସଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଫାର୍ମ ରୋଡସ୍ଥିତ ଏଫସିଆଇର ଜୋନାଲ୍ ଅଫିସକୁ ଘେରାଉ କରାଯାଇଥିଲା । ଏଥିରେ ଜିଲ୍ଲାର ଦୁଇ ବିଧାୟକ , ପର୍ଯ୍ୟବେକ୍ଷକଙ୍କ ସମେତ ସବୁ ତୁଙ୍ଗ ନେତା ସାମିଲ ହୋଇ ବିଜେପି ଏବଂ କେନ୍ଦ୍ରକୁ ଜୋରଦାର ଟାର୍ଗେଟ କରିଛନ୍ତି । କେନ୍ଦ୍ର ଏବଂ ଏଫସିଆଇର ଚାଷୀ ମାରଣନୀତି ଯୋଗୁଁ ଧାନ କିଣାରେ ସମସ୍ୟା ହେଉଛି । ହେଲେ କେନ୍ଦ୍ର ସରକାରଙ୍କ ଠାରୁ ଓଡିଶାର ଚାଷୀଙ୍କ ହକ୍ ଆଣିବାର ଚେଷ୍ଟା ନ କରି ବିଜେପି ହୀନ ରାଜନୀତି କରୁଛି ବୋଲି ଆଜି ନେତାମାନେ ସମାଲୋଚନା କରିଥିଲେ ।

ଚୁକ୍ତି ମୁତାବକ କେନ୍ଦ୍ର ସରକାର ଧାନ କିଣା ବାବଦକୁ ଅଗ୍ରୀମ ଆକାରରେ ୯୦ ପ୍ରତିଶତ ଟଙ୍କା ରାଜ୍ୟକୁ ଦେବା କଥା । ହେଲେ ବର୍ତ୍ତମାନ ସୁଦ୍ଧା ଏହି ଟଙ୍କା ପ୍ରଦାନରେ ଅହେତୁକ ବିଳମ୍ବ କରି ଆସିଛନ୍ତି । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ୪୮୮୩.୫୩ ଟଙ୍କା କେନ୍ଦ୍ର ଓଡିଶାକୁ ଦେଇନି । ସେପଟେ , ବର୍ଷକୁ ବର୍ଷ ଧାନ କିଣା ପରିମାଣ ବୃଦ୍ଧି ପାଉଥିବା ବେଳେ ଏଫସିଆଇ ଧାନ ନେଇ ଚାଉଳ ଦେବାରେ ଖିଲାପ କରି ଆସୁଛି । ଏଥିରେ ମଧ୍ୟ ଅହେତୁକ ବିଳମ୍ବ ହେବା ଦ୍ୱାରା ଧାନ ଗଛିତ କରି ରଖିବାକୁ ରାଜ୍ୟ ସରକାରଙ୍କ ପାଖରେ ଗୋଦାମର ଅଭାବ ପଡୁଛି । ଆଉ ଏହି ବିଳମ୍ବ ପାଇଁ ପରୋକ୍ଷରେ ସମଗ୍ର ଧାନ କିଣା ପ୍ରକ୍ରିୟାକୁ ବିଭ୍ରାଟ କରି ଦେଉଛି ।

ତେବେ , ଏହି ସବୁ ପ୍ରସଙ୍ଗରେ ବାରମ୍ବାର କେନ୍ଦ୍ରକୁ ଅବଗତ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ବେଳେ ବିଜେପି ଜାଣିଶୁଣି ହୀନ ରାଜନୀତି କରୁଛି ବୋଲି ନେତାମାନେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ କେନ୍ଦ୍ର ଏବଂ ତାର କେନ୍ଦ୍ରୀୟ ସଂସ୍ଥା ରାଜ୍ୟର ଚାଷୀଙ୍କ ପ୍ରତି ଏଭଳି ଆଭିମୁଖ୍ୟକୁ ପରିବର୍ତ୍ତନ ନ କଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଥିଲା ।

ଏହି ପ୍ରତିବାଦ ସଭାରେ ପର୍ଯ୍ୟବେକ୍ଷକ ଇଂ ନଳିନୀକାନ୍ତ ପ୍ରଧାନ , ରେଢାଖୋଲ ବିଧାୟକ ତଥା ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ , କୁଚିଣ୍ଡା ବିଧାୟକ କିଶୋର ନାଏକ , ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମେତ ଦଳର ମହିଳା , ଛାତ୍ର ଓ ଯୁବ ଶାଖାର ସମସ୍ତ ତୁଙ୍ଗ ନେତା ସାମିଲ ହୋଇଥିଲେ ।

Comments are closed.