ଅଲିମ୍ପିକ୍ସ ୧୯୦୦ରୁ ୧୯୪୮ : ଏକ ଦୃଷ୍ଟିପାତ

ବିଜନ କୁମାର ମହାପାତ୍ର

ଫ୍ରାନ୍ସ ଶିକ୍ଷାବିତ ଓ କ୍ରୀଡାପ୍ରେମୀ ବାରୋଁ ପିୟର ଡି କୁବୋର୍ଟିନଙ୍କ  ଅକ୍ଲାନ୍ତ ଉଦ୍ୟମ ପରେ ଅଲିମ୍ପିକ କ୍ରୀଡାର ପୁନରୁଦ୍ଧାର ହୋଇଥିଲା । ୧୮୯୬ରେ ଗ୍ରୀସ ରାଜଧାନୀ ଏଥେନସରେ ଆୟୋଜିତ ହୋଇଥିଲା ଆଧୁନିକ ଅଲିମ୍ପିକ କ୍ରୀଡାର ପ୍ରଥମ ସଂସ୍କରଣ । ଏଥିସହ ବିଶ୍ୱକ୍ରୀଡା ଇତିହାସରେ ଯୋଡି ହୋଇଥିଲା ଏକ ନୂଆ ଅଧ୍ୟାୟ । ଏବେ ଆସନ୍ତୁ ୧୯୦୦ ରୁ ୧୯୪୮ ମସିହା ଯାଏଁ ଆୟୋଜିତ ଅଲିମ୍ପିକ କ୍ରୀଡା ଓ ସେଗୁଡିକର ବିଶେଷତ୍ୱ ଉପରେ ନଜର ପକାଇବା ।

୧୯୦୦ ମସିହାରେ ପ୍ୟାରିସରେ ଆୟୋଜିତ ହୋଇଥିଲା ଦ୍ୱିତୀୟ ଅଲିମ୍ପିକ୍ସ । କୌତୁହଳର କଥା ହେଲା ଯେ, ବିଶ୍ୱ  ବାଣିଜ୍ୟ ମେଳା ବା ପ୍ରଦର୍ଶନୀର ଅଂଶ ବିଶେଷ ଭାବେ ଆୟୋଜିତ ହୋଇଥିଲା ଦ୍ୱିତୀୟ ଆଧୁନିକ ଅଲିମ୍ପିକ କ୍ରୀଡା । ବାଣିଜ୍ୟ ମେଳା ଯୋଗୁଁ ଅଲିମ୍ପିକ କ୍ରୀଡା ଗୌଣ ସାବ୍ୟସ୍ତ ହୋଇଥିଲା । କୌଣସି ଉଦଘାଟନୀ କି ଉଦଯାପନୀ ଉତ୍ସବ ଆୟୋଜିତ ହୋଇ ନ ଥିଲା । ପ୍ରତିଯୋଗିତା ମେ ୧୪ ତାରିଖରେ ଆରମ୍ଭ ହୋଇ ଅକ୍ଟୋବର ୨୮ରେ ଶେଷ ହୋଇଥିଲା । ଆୟୋଜନ ଦୃଷ୍ଟିରୁ ଆଦୌ ସଫଳ ହୋଇ ନ ଥିଲା ପ୍ୟାରିସ ଅଲିମ୍ପିକ୍ସ । ମହିଳାମାନେ ପ୍ରଥମ ଥର ପାଇଁ ଏଥିରେ ଅଂଶଗ୍ରହଣ କରିଥିଲେ । ଆଉ କ୍ରିକେଟ ପ୍ରଥମ ଥର ପାଇଁ ଏହି ଅଲିମ୍ପିକ୍ସରେ ଖେଳାଯାଇଥିଲା । ୨୮ଟି ଦେଶର ୯୯୭ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ୧୯ଟି କ୍ରୀଡାର ୯୫ଟି ଶୃଙ୍ଖଳାରେ ପ୍ରତିଯୋଗିତା ହୋଇଥିଲା ।

୧୯୦୪ ମସିହାର ଅଲିମ୍ପିକ କ୍ରୀଡା ଆମେରିକାର ସେଂଟ୍ ଲୁଇସରେ ଆୟୋଜିତ ହୋଇଥିଲା । କିନ୍ତୁ ଆୟୋଜନ ଦୃଷ୍ଟିରୁ ଏହା ବି ସଫଳ ନ ଥିଲା । ୧୯୦୦ ମସିହା କ୍ରୀଡା ପରି ଏହ ୧୯୦୪ ମସିହାର ସଂସ୍କରଣ ବି ଏକ ମେଳା ବା ପ୍ରଦର୍ଶନୀ – ଲୁଇସିଆନା ପରଚେଜ୍ ଏକ୍ସିବିସନର ସାଇଡ୍ ଶୋ ଥିଲା । ଋଷିଆ-ଜାପାନ ଯୁଦ୍ଧର ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିରୁ ବିଶ୍ୱର ଅନେକ ଦେଶର ପ୍ରତିଯୋଗୀ ଏହି କ୍ରୀଜାରୁ ଦୂରେଇ ରହିଥିଲେ । ୧୨ଟି ଦେଶର ପାଖାପାଖି ୬୫୦ଟି ପ୍ରତିଯୋଗୀଙ୍କ ମଧ୍ୟରୁ ୧୦୦ରୁ କମ୍ ହିଁ ଆମେରିକା ବାହାରର ପ୍ରତିଯୋଗୀ ଥିଲେ । ସେଥିମଧ୍ୟର କେବଳ ପଡୋଶୀ କାନାଡର ପ୍ରତିଯୋଗୀ ହିଁ ଅର୍ଦ୍ଧାଧିକ ଥିଲେ । ଏହି ଅଲିମ୍ପିକ୍ସରେ ଆମେରିକାର ଏକପାଖିଆ ପ୍ରାଧାନ୍ୟ ରହିଥିଲା । ବକ୍ସିଂର ପଦାର୍ପଣ ହୋଇଥିଲା ଏହି ଅଲିମ୍ପିକ୍ସରେ ।

ଆଧୁନିକ ଅଲିମ୍ପିକ୍ସର ଚତୁର୍ଥ ସଂସ୍କରଣ ୧୯୦୮ରେ ଲଣ୍ଡନରେ ଆୟୋଜିତ ହୋଇଥିଲା । ପ୍ରଥମ ଥର ପାଇଁ ଉଦଘାଟନୀ ଉତ୍ସବରେ ଆଥଲେଟଙ୍କ ପରେଡ୍ ହୋଇଥିଲା । ୨୨ଟି ଦେଶର ୨ ହଜାର ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଫିଲ୍‌ଡ ହକି ପ୍ରଥମ ଥର ପାଇଁ ଏହି ଅଲିମ୍ପିକ୍ସରେ ସ୍ଥାନ ପାଇଥିଲା ।

୧୯୧୨ରେ ସ୍ୱିଡେନ ରାଜଧାନୀ ଷ୍ଟକହୋମ ଥିଲା ପଞ୍ଚମ ଆଧୁନିକ ଅଲିମ୍ପିକ କ୍ରୀଡାର ଆୟୋଜକ । ଇଲେକ୍‌ଟ୍ରୋନିକ ଟାଇମିଂ ଡିଭାଇସ ଓ ପବ୍ଲିକ ଆଡ୍ରେସ ସିଷ୍ଟମ ପ୍ରଥମ ଥର ପାଇଁ ବ୍ୟବହାର ହୋଇଥିଲା । ୨୮ଟି ଦେଶର ୨୪୦୦ ପ୍ରତିଯୋଗୀ ଏହି ଅଲିମ୍ପିକ୍ସରେ ଭାଗ ନେଇଥିଲେ । ଆଧୁନିକ ପେଂଟାଥଲନ ଓ ମହିଳାଙ୍କ ପାଇଁ ସନ୍ତରଣ ଓ ଡାଇଭିଂ ଇଭେଂଟ୍ ଏଥିରେ ସ୍ଥାନ ପାଇଥିଲା । ବକ୍ସିଂ ପ୍ରତିଯୋଗିତାକୁ ଷ୍ଟକହୋମ ଅଲିମ୍ପିକ ଆୟୋଜନ କମିଟି ନିଜଆଡୁ ବାତିଲ କରିଦେବା ପରେ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ଆନ୍ତର୍ଜାତିକ ଅଲିମ୍ପିକ କମିଟି -ଆଇଓସି ସ୍ଥାନୀୟ ଆୟୋଜନ କମିଟିର ଭୂମିକାକୁ ସୀମିତ କରିଥିଲା । ଆମେରିକୀୟ ଜିମ୍ ଥୋର୍ପ ଥିଲେ ଷ୍ଟକହୋମ୍ ଅଲିମ୍ପିକ୍ସର ତାରକା କ୍ରୀଡାବିତ୍ । ଉଭୟ ପେଂଟାଥଲନ ଓ ଡେକାଥଲନ ପରି ଚ୍ୟାଲେଞ୍ଜିଂ ଇଭେଂଟରେ ପ୍ରାଧାନ୍ୟ ବିସ୍ତାର କରି ଦୁଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ଜିମ୍ ଥୋର୍ପ ।

୧୯୧୬ ମସିହାର ଅଲିମ୍ପିକ କ୍ରୀଡା ବର୍ଲିନରେ ହୋଇଥାଆନ୍ତା , କିନ୍ତୁ ପ୍ରଥମ ବିଶ୍ୱଯୁଦ୍ଧ ଯୋଗୁଁ ଏହା ଆୟୋଜନ ହୋଇ ପାରି ନ ଥିଲା ।

୧୯୨୦ରେ ବେଲଜିୟମର ଯୁଦ୍ଧବିଧ୍ୱସ୍ତ ଆଣ୍ଟୱର୍ପ ସହରରେ ଆୟୋଜିତ ହୋଇଥିଲା । ପ୍ରଥମ ବିଶ୍ୱଯୁଦ୍ଧରେ ପରାସ୍ତ ହୋଇଥିବା ଜର୍ମାନୀ, ଅଷ୍ଟ୍ରିଆ,ହଙ୍ଗେରୀ ଓ ତୁର୍କିକୁ ନିମନ୍ତ୍ରଣ କରାଯାଇ ନ ଥିଲା । ସୋଭିଏତ ସଂଘ ଏଥିରେ ଭାଗ ନେଇ ନ ଥିଲା । ଅର୍ଥନୈତିକ ସଂକଟ ଓ ପ୍ରତିକୂଳ ପାଗ ମଧ୍ୟରେ ଆୟୋଜିତ ହୋଇଥିଲା ଆଣ୍ଟୱର୍ପ ଅଲିମ୍ପିକ୍ସ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ଉତ୍ସାହ ବି ନ ଥିଲା । ପ୍ରଥମ ଥର ପାଇଁ ଅଲିମ୍ପିକ ପତାକା ଏହି ଅଲିମ୍ପିକ୍ସଠାରୁ ବ୍ୟବହାର କରାଗଲା ।

୨୯ଟି ଦେଶରୁ ୨ ହଜାର ୬୦୦ ଆଥଲେଟ୍ ଏହି ଅଲିମ୍ପିକ କ୍ରୀଡାରେ ଭାଗ ନେଇଥିଲେ । ୬୦ ମହିଳା ପ୍ରତିଯୋଗୀ ବି ଥିଲେ । ଟ୍ରାକ୍ ଆଣ୍ଡ ଫିଲଡରେ ଦୂରଗାମୀ ଦୌଡରେ ଫିନଲାଣ୍ଡର ପାଭୋ ନୁର୍ମି ଚମକିଥିଲେ । ୧୦ ହଜାର ମିଟର, ୧୦ ହଜାର ମିଟର କ୍ରସ୍ କଂଟ୍ରି ବ୍ୟକ୍ତିଗତ ଦୌଡ ଓ କ୍ରସ କଂଟ୍ରି ଟିମ୍ ରେସରେ ସ୍ୱର୍ଣ୍ଣ ଜିତିଥିଲେ ନୁର୍ମି ।

୧୯୨୪ରେ ପ୍ୟାରିସ ଥିଲା ଅଲିମ୍ପିକ କ୍ରୀଡାର ଆୟୋଜକ । ବ୍ୟବସ୍ଥିତ ଭାବେ ଆୟୋଜିତ ହୋଇଥିଲା ଏହି ଅଲିମ୍ପିକ କ୍ରୀଡା । ପ୍ରତିଯୋଗିତାର ସ୍ତର ଉଚ୍ଚ ରହିଥିଲା । ରେକର୍ଡ ସଂଖ୍ୟକ ୪୪ ଦେଶର ୩ ହଜାରରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଏଥିମଧ୍ୟରେ ଥିଲେ ୧୦୦ରୁ ଅଧିକ ମହିଳା ପ୍ରତିଯୋଗୀ । ଏହି ଅଲିମ୍ପିକ୍ସର ସଫଳ ପ୍ରତିଯୋଗୀ ଥିଲେ ଆମେରିକୀୟ ସନ୍ତରଣକାରୀ ଜନି ୱେସିମୁଲେର୍ । ସନ୍ତରଣରେ ତିନିଟି ସ୍ୱର୍ଣ୍ଣ ସହ ବ୍ରୋଞ୍ଜ ବିଜୟୀ ଆମେରିକୀୟ ୱାଟର ପୋଲୋ ଟିମ୍‌ର ସଦସ୍ୟ ଥିଲେ ୱେସିମୁଲେର୍ ।

୧୯୨୮ରେ ଅଲିମ୍ପିକ ଆୟୋଜନ କରିଥିଲା ନେଦରଲାଣ୍ଡସ ରାଜଧାନୀ ଆମଷ୍ଟରଡ୍ୟାମ୍ । ପ୍ରଥମ ଥର ପାଇଁ ମହିଳାମାନଙ୍କୁ ଟ୍ରାକ୍ ଆଣ୍ଡ୍ ଫିଲ୍ଡ ଓ ଜିମ୍ନାଷ୍ଟିକ୍ସରେ ଭାଗ ନେବା ପାଇଁ ଅନୁମତି ମିଳିଥିଲା । ଅଲିମ୍ପିକ ମଶାଲ ପ୍ରଜ୍ୱଳନର ପ୍ରଚଳନ ଏହି ଅଲିମ୍ପିକ୍ସରୁ ଆରମ୍ଭ ହୋଇଥିଲା । ୪୬ଟି ଦେଶରୁ ୩୦୦ ମହିଳାଙ୍କ ସମେତ ମୋଟ ୩ ହଜାର ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଜାପାନ ଟିମ୍ ସନ୍ତରଣ ପ୍ରତିଯୋଗିତାରେ ଅଧିକ ପଦକ ଜିତିଥିଲା । ଏହି ଅଲିମ୍ପିକ୍ସରୁ ଭାରତୀୟ ହକିର ସ୍ୱର୍ଣ୍ଣିମ ଜୟ ଯାତ୍ରା ଆରମ୍ଭ ହୋଇଥିଲା । ଧ୍ୟାନଚାନ୍ଦଙ୍କ ଏହା ଥିଲା ପ୍ରଥମ ଅଲିମ୍ପିକ୍ସ ।

୧୯୩୨ ମସିହା ଅଲିମ୍ପିକ୍ସର ଆୟୋଜକ ଥିଲା ଆମେରିକାର ଲସ ଆଞ୍ଜେଲ୍ସ । ଅର୍ଥନୈତିକ ସଂକଟର ପ୍ରଭାବ ପଡିଥିଲା ଏହି ଅଲିମ୍ପିକ୍ସରେ । ୩୭ଟି ଦେଶରୁ ମାତ୍ର ୩୭ ପ୍ରତିଯୋଗୀ ହିଁ ଏଥିରେ ଭାଗ ନେଇଥିଲେ । ବ୍ୟୟବହୁଳ ଯାତ୍ରା ଯୋଗୁଁ ଅନେକ ପ୍ରତିଯୋଗୀ ଭାଗ ନେଇ ନ ଥିଲେ । ପ୍ରଥମ ଥର ପାଇଁ ଅଂଶଗ୍ରହଣକାରୀ କ୍ରୀଡାବିତଙ୍କ ପାଇଁ କ୍ରୀଡା ଗ୍ରାମ ପ୍ରତିଷ୍ଠା କରାଯାଇଥିଲା । ୟୁନିଫର୍ମ ଅଟୋମାଟିକ ଟାଇମିଂ ଓ ଫଟୋ ଫିନିସ ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଥିଲା । ପ୍ରଥମ ଥର ପାଇଁ ରେସ୍ ୱାକିଂ ଏହି ଅଲିମ୍ପିକ୍ସରେ ଆୟୋଜିତ ହୋଇଥିଲା ।

୧୯୩୬ ମସିହାର ଅଲିମ୍ପିକ୍ସ ଆୟୋଜକ ଥିଲା ଜର୍ମାନୀର ବର୍ଲିନ ସହର । ହିଟଲରଙ୍କ ନାଜି ପାର୍ଟି ଥିଲା ଜର୍ମାନୀର ଶାସକ । ହିଟଲରଙ୍କ ଇହୁଦୀ ବିରୋଧୀ ଓ ବର୍ଣ୍ଣବୈଷମ୍ୟ ନୀତି ଅଲିମ୍ପିକ ଭାବନା ପ୍ରତି ସୃଷ୍ଟି କରିଥିଲା ଏକ ବଡ ଆହ୍ୱାନ । ବର୍ଲିନ କ୍ରୀଡା ବର୍ଜନ ହୋଇପାରେ ବୋଲି ସୃଷ୍ଟି ହୋଇଥିଲା ଆଶଙ୍କା । ନାଜିବାଦର ପ୍ରଚାର ଓ ପ୍ରସାର ପାଇଁ ହିଟଲର ଏହି ଅଲିମ୍ପିକକୁ ବ୍ୟବହାର କରିଥିଲେ । ୪୯ଟି ଦେଶର ପ୍ରତିଯୋଗୀ ବର୍ଲିନ ଅଲିମ୍ପିକ୍ସରେ ଭାଗ ନେଇଥିଲେ । ଅତ୍ୟାଧୁନିକ ମିଡିଆ କଭରେଜ ପାଇଁ ପ୍ରଶଂସିତ ହୋଇଥିଲା ବର୍ଲିନ ଅଲିମ୍ପିକ୍ସ । ଫଳାଫଳର ଦ୍ରୁତ ପ୍ରସାର ପାଇଁ ଟେଲେକ୍ସ ମେସିନ ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଥିଲା । ପ୍ରଥମ ଥର ପାଇଁ ସୀମିତ ଭାବେ ଅଲିମ୍ପିକ କ୍ରୀଡାର ଟେଲିଭିଜନ ପ୍ରସାରଣ ହୋଇଥିଲା । ପ୍ରଥମ ଥର ପାଇଁ ଅଲିମ୍ପିକ ଟର୍ଚ୍ଚ ରିଲେର ପ୍ରଚଳନ ହୋଇଥିଲା । ୧୨୯ଟି ଇଭେଂଟରେ ୪ ହଜାର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।

ଆମେରିକାର କୃଷ୍ଣକାୟ ଧାବକ ଜେସି ଓୱେନସ ଥିଲେ ୧୯୩୬ ଅଲିମ୍ପିକ୍ସର ସଫଳ କ୍ରୀଡାବିତ୍ । ତିନିଟି ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିବା ସହ ଆମେରିକାର ସ୍ୱର୍ଣ୍ଣ ବିଜୟୀ ୪ ଗୁଣା ୧୦୦ ମିଟର ରିଲେ ଟିମ୍‌ର ସଦସ୍ୟ ଥିଲେ ଓୱେନସ । ଓୱେନସ୍ ଓ ଅନ୍ୟ କୃଷ୍ଣକାୟ ଆଥଲେଟମାନଙ୍କ ସଫଳତା ହିଟଲରଙ୍କ ‘ଆର୍ଯ୍ୟନ ସୁପ୍ରିମାସି’ ଥିଓରୀ ଉପରେ ଥିଲା ଶକ୍ତ ପ୍ରହାର । ବାସ୍କେଟବଲ୍ ପ୍ରଥମ ଥର ପାଇଁ ଏହି ଅଲିମ୍ପିକ୍ସରେ ସ୍ଥାନ ପାଇଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ୧୯୪୦ର ହେଲସିଙ୍କି ଓ ୧୯୪୪ ମସିହାର ଲଣ୍ଡନ ଅଲିମ୍ପିକ କ୍ରୀଡ ବାତିଲ କରିବାକୁ ପଡିଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ପ୍ରଥମ ଅଲିମ୍ପିକ୍ସ ୧୯୪୮ ମସିହାରେ ଆୟୋଜିତ ହୋଇଥିଲା । ଆୟୋଜନ ଥିଲା ଲଣ୍ଡନ ନଗରୀ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପରାସ୍ତ ହୋଇଥିବା ଜର୍ମାନୀ ଓ ଜାପାନକୁ ଏହି ଅଲିମ୍ପିକ୍ସ ପାଇଁ ନିମନ୍ତ୍ରଣ କରାଯାଇ ନ ଥିଲା । ବିଜୟୀ ସୋଭିଏତ ସଂଘ ଅଂଶ ଗ୍ରହଣ କରି ନ ଥିଲା । ୫୯ଟି ଦେଶରୁ ୪ ହଜାର ପ୍ରତିଯୋଗୀ ଲଣ୍ଡନ ଅଲିମ୍ପିକ୍ସରେ ଭାଗ ନେଇଥିଲେ । ପ୍ରଥମ ଥର ପାଇଁ ମହିଳା ପ୍ରତିଯୋଗୀମାନେ ୨୦୦ ମିଟର, ଲଙ୍ଗଜମ୍ପ ଓ ସଟପୁଟରେ ଭାଗ ନେଲେ । ନେଦରଲ୍ୟାଣ୍ଡସ ୩୦ ବର୍ଷିୟା ମହିଳା ତଥା ଦୁଇ ସନ୍ତାନର ଜନନୀ ଫାନି ବ୍ଲାଙ୍କର୍ସ –କୋଏନ ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ୪ଟି ସ୍ୱର୍ଣ୍ଣ ଜିତିଥିଲେ ।

Comments are closed.