ନୂଆପଡା ପ୍ରତି ପୁଣି ପ୍ରତିବଦ୍ଧତା ଦେଖାଇଲେ ନବୀନ, ଉଦନ୍ତୀ ନଦୀରେ ଅନ୍ତଃନଦୀ ବ୍ୟାରେଜ ନିର୍ମାଣକୁ ମଞ୍ଜୁରୀ

ନୂଆପଡା: ନୂଆପଡା ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀ ପୁଣି ଥରେ ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଖାଇଛନ୍ତି । ଗତ ପାର୍ଚ୍ଚ ମାସରେ ୨୩୩୭ କୋଟି ବ୍ୟୟରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନୂଆପଡା ଜିଲ୍ଲାବାସୀଙ୍କ ଦୀର୍ଘ ଦଶନ୍ଧିର ଦୁଃଖ ଦୁର କରିଛନ୍ତି । ଆଉ ଏବେ ଏହି ଜିଲ୍ଲାର ସିନାପାଲି ଅଞ୍ଚଳର ଚାଷୀଙ୍କ ପାଇଁ ଅଙ୍ଗ ନଦୀ ଉପରେ ଏକ ଅନ୍ତଃନଦୀ ବ୍ୟାରେଜ୍ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଆଜି ଏକ ଭର୍ଚୁଆଲ ବୈଠକରେ ୫ଟି ସଚିବ ଏହି ପ୍ରକଳ୍ପ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିବା ପରେ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିବାକୁ ଯାଉଛି ।

ନୂଆପଡା ଜିଲ୍ଲାକୁ ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରି ଦୀର୍ଘ ଦଶନ୍ଧିର ଇପସିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ । ଏହି ପ୍ରକଳ୍ପ ଦ୍ବାରା ଉଭୟ ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାର ଏକ ବୃହତ ଅଂଶ ଏବେ ଶସ୍ୟ ଶ୍ୟମଳା ହୋଇପାରିଛି । ସେହି ଲୋକାର୍ପଣ ବେଳେ ନବୀନ ବାବୁ ନୂଆପଡା ଜିଲ୍ଲା ଜିଲ୍ଲା ସହ ବିଜୁ ବାବୁଙ୍କ ନିବିଡ ସଂପର୍କର କଥା ବି ମନେ ପକାଇଥିଲେ । ଆଉ ଏହି ଜିଲ୍ଲାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ସେ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଦୀର୍ଘ ଦଶନ୍ଧିରୁ ଦାବି ହୋଇଆସୁଥିବା ଉଦନ୍ତୀ ନଦୀ ଉପରେ ଅନ୍ତଃନଦୀ ବ୍ୟାରେଜ୍ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ।

୮୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ବାରା ୬ଟି ପଞ୍ଚାୟତର ଜଳକଷ୍ଟ ଦୂର ହେବ । ବିଶେଷ କରି ଜଳସେଚନ ଅଭାବରୁ ମରୁଡିର ଶିକାର ହୋଇଆସୁଥିବା ଏହି ଅଞ୍ଚଳ ଏବେ ଶସ୍ୟ ଶ୍ୟମଳା ହେବାକୁ ଯାଉଛି । ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ବୈଠକରେ ୫ – ଟି ସଚିବ ଭିକେ ପାଣ୍ଡିଆନ୍ ଏହି ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି । ଆଉ ଖୁବ୍ ଶୀଘ୍ର ଏହାର ନିର୍ମାଣ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ , ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଜଂନ ମେହେରଙ୍କ ସମେତ ଖଡିଆଳ ନିର୍ବାଚନ ମଣ୍ଡଳୀର ବହୁ ମହିଳା କର୍ମୀ ଯୋଗ ଦେଇଥିଲେ । ତେବେ , ଏହି ପ୍ରକାର ଘୋଷଣା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଏଥିପାଇଁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Comments are closed.