କରୋନା ଅପଡେଟ୍: ଦେଶରେ ଆଉ ୪୧,୩୮୩ ନୂଆ ମାମଲା, ୫୦୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ଥମି ନାହିଁ । ଦୈନିକ ସଂକ୍ରମଣ ପୁଣିଥରେ ୪୦ ହଜାର ଟପିଛି। ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ଆଉ ୪୧,୩୮୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଦିନକରେ ଏହି ମହାମାରୀରେ ୫୦୭ ରୋଗୀ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ବୁଧବାର ୪୨,୦୧୫ ନୂଆ ମାମଲା ରୁଜୁ ହୋଇଥିଲା। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଆଉ ୩୮,୬୫୨ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ଅର୍ଥାତ୍ ଗତକାଲି ସକ୍ରିୟ ମାମଲାରେ ଆଉ ୨୨୨୪ ରୋଗୀ ଯୋଡି ହୋଇଛନ୍ତି ।

ଦେଶରେ ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଚାରି ଲକ୍ଷରୁ ଅଧିକ ରହିଛି | ଏବେ ମୋଟ ୪ ଲକ୍ଷ ୯ ହଜାର ଲୋକ ଚିକିତ୍ସାଧୀନ ଅଛନ୍ତି । ଦେଶରେ ଏଯାବତ୍ ମୋଟ ତିନି କୋଟି ୧୨ ଲକ୍ଷ ୫୭ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୧୮ ହଜାର ୯୮୭ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ୩ କୋଟି ୪ ଲକ୍ଷ ୨୯ ହଜାର ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଜୁଲାଇ ୨୧ ପର୍ଯ୍ୟନ୍ତ ସାରା ଦେଶରେ ୪୧ କୋଟି ୭୮ ଲକ୍ଷ ଡୋଜ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ୨୨ ଲକ୍ଷ ୭୭ ହଜାର ଟିକା ଦିଆଯାଇଥିଲା। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ୪୫ କୋଟି ୯ ଲକ୍ଷ କରୋନା ପରୀକ୍ଷା କରାଯାଇଛି। ଗତକାଲି ୧୭.୧୮ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୩ ପ୍ରତିଶତରୁ କମ୍ ରହିଛି |

Comments are closed.