ପେଗାସସ୍ ବିବାଦ ନେଇ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ, ଆଇଟି ମନ୍ତ୍ରୀ ଅଶ୍ବିନୀଙ୍କ ବିବୃତ୍ତି ବେଳେ ପେପର୍ ଚିରିଲେ ତୃଣମୂଳ କଂଗ୍ରେସ ସାଂସଦ

ନୁଆଦିଲ୍ଲୀ: ଇସ୍ରାଏଲ ସଫ୍ଟୱେର୍ ପେଗାସସ୍ ଦ୍ୱାରା ୩୦୦ ଭାରତୀୟଙ୍କ ଉପରେ ହୋଇଥିବା ଗୁଇନ୍ଦାଗିରି ଅଭିଯୋଗକୁ ନେଇ ଗୁରୁବାର ସଂସଦରେ ପ୍ରବଳ ହଟ୍ଟଗୋଳ ହୋଇଛି। ଗୁରୁବାର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ପ୍ରସଙ୍ଗରେ ଛିଡ଼ା ହୋଇ ବିବୃତ୍ତି ଦେବା ଆରମ୍ଭ କରିବା କ୍ଷଣି ତୃଣମୂଳ କଂଗ୍ରେସ ସାଂସଦମାନେ ହଙ୍ଗାମା କରିଥିଲେ। ତୃଣମୂଳ କଂଗ୍ରେସ ସାଂସଦମାନେ ପେପର୍ ଚିରି ଅଧ୍ୟକ୍ଷଙ୍କ ଚେୟାର ନିକଟରେ ଏକାଠି ହୋଇଥିଲେ। ରାଜ୍ୟସଭାକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ପାଟିତୁଣ୍ଡ କାରଣରୁ ବୈଷ୍ଣବ ତାଙ୍କ ବିବୃତ୍ତି ସଠିକ୍ ଭାବେ ରଖିପାରିନଥିଲେ | ଦୁଇଟି ସ୍ଥଗିତାଦେଶ ପରେ ଗୃହକାର୍ଯ୍ୟ ଅପରାହ୍ନ ୨ ଟାରୁ ଆରମ୍ଭ ହେବା ମାତ୍ରେ ଉପାଧ୍ୟକ୍ଷ ହରିବଂଶ ବିବୃତ୍ତି ଦେବାକୁ ବୈଷ୍ଣବଙ୍କୁ କହିଥିଲେ। ଏହି ସମୟରେ ବିରୋଧୀ ସଦସ୍ୟମାନେ ପୁଣି ହୋହଲ୍ଲା କରିଥିଲେ । ହଙ୍ଗାମା ମଧ୍ୟରେ ବୈଷ୍ଣବଙ୍କ ବିବୃତ୍ତି ଶୁଣାଯାଇନଥିଲା। ଉପାଧ୍ୟକ୍ଷ ବିରୋଧୀ ଦଳର ମନୋଭାବକୁ “ଅଣସଂସଦୀୟ” ବୋଲି କହିବା ସହ ଗୃହର ଟେବୁଲରେ ବିବୃତ୍ତି ରଖିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ଦଳର ସଦସ୍ୟଙ୍କ ଆଲୋଡ଼ନ ଯୋଗୁଁ ରାଜ୍ୟସଭାରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶୂନ୍ୟକାଳ ଏବଂ ପ୍ରଶ୍ନକାଳ ମଧ୍ୟ ସମ୍ଭବ ହୋଇପାରି ନାହିଁ | ଗୃହକାର୍ଯ୍ୟ ଆରମ୍ଭ ହେବାର ଅଳ୍ପ ସମୟ ପରେ ଏହାକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା | ପୁଣି ମଧ୍ୟାହ୍ନ ୧୨ ଟାରୁ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉପାଧ୍ୟକ୍ଷ ହରିବଂଶ ପ୍ରଶ୍ନକାଳ ପାଇଁ ସଦସ୍ୟଙ୍କ ନାମ ଡାକିଥିଲେ କିନ୍ତୁ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ।

Comments are closed.