ଏଫ୍ଆଇଆର୍ ରଦ୍ଦ ନେଇ ଦେଶମୁଖଙ୍କ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ: ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫ୍ଆଇଆର୍ ରଦ୍ଦ କରିବା ପାଇଁ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଦେଶମୁଖଙ୍କ ବିରୋଧରେ ସିବିଆଇ ଏଫ୍ଆଇଆରରେ କିଛି ଅଂଶକୁ ଚ୍ୟାଲେଞ୍ଜିଂ କରି ରାଜ୍ୟ ସରକାର କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି।

ଏହାପୂର୍ବରୁ ଜୁଲାଇ ୧୯ରେ ଦେଶମୁଖ କହିଥିଲେ ଯେ ଏହି ଆବେଦନ ଉପରେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ହିଁ ମୁଁ ମୋର ବୟାନ ରେକର୍ଡ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବି। ସୂଚନାଯୋଗ୍ୟ ଯେ ଏହି ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଡକାଇବା ସତ୍ତ୍ୱେ ଦେଶମୁଖ ପୂର୍ବରୁ ଇଡିରେ ହାଜର ହୋଇନଥିଲେ।

ବହୁ କୋଟି ଟଙ୍କା ଲାଞ୍ଚ ଏବଂ ବଟି ଆଦାୟ ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଦେଶମୁଖଙ୍କୁ ଚଳିତ ବର୍ଷ ଏପ୍ରିଲରେ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଏହି ମାମଲାର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ଅନିଲ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପାଲାଣ୍ଡେ (୫୧) ଏବଂ ବ୍ୟକ୍ତିଗତ ସହାୟକ କୁନ୍ଦନ ସିନ୍ଦେ (୪୫) ଙ୍କୁ ଗିରଫ କରିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଦେଶମୁଖଙ୍କ ପରିବାରର ୪.୫ କୋଟି ସମ୍ପତ୍ତି ଜବତ କରିଥିଲା ।

Comments are closed.