ନୂଆ ଦିନ, ଖୁସି ଜୀବନ – ଜନଜାତି ଭ୍ରାତୃତ୍ବର ପଥସାଥୀ ‘ନବୀନ’

ଏ ଦେଶରେ ବହୁ ସ୍ବାତନ୍ତ୍ର୍ୟରେ ଭରା ଏକ ପ୍ରାନ୍ତ ହେଉଛି ଆମ ରାଜ୍ୟ ଓଡ଼ିଶା। ଆମ ରାଜ୍ୟର ବିବିଧତାର ବିଶେଷ ପରିଚୟ ହେଉଛି ଏଠି ବସବାସ କରୁଥିବା ବିଭିନ୍ନ ଆଦିବାସୀ ଗୋଷ୍ଠୀ। ପ୍ରତି ଗୋଷ୍ଠୀର ରହିଛି ନିଆରା ପରିଚୟ, ସ୍ବତନ୍ତ୍ର ସଂସ୍କୃତି, ନିଜସ୍ବ-ଭିତ୍ତିକ ଭିନ୍ନ ଜୀବନଶୈଳୀ। ସେମାନେ ହେଉଛନ୍ତି ପ୍ରାଚୀନ ଅଧିବାସୀ; ପ୍ରକୃତି କୋଳରେ ପରିପାଳିତ; ପ୍ରକୃତି ସହ ଏକାକାର।

ଓଡିଶା କାହିଁ କେଉଁ ଆବହମାନ କାଳରୁ ଆଦିବାସୀଙ୍କ ଆବାସସ୍ଥଳ ରହି ଆସିଛି। ପ୍ରାୟ ୧ କୋଟି ଜନସଂଖ୍ୟା ବିଶିଷ୍ଟ ଆଦିବାସୀମାନେ ଓଡ଼ିଆ ସଂସ୍କୃତି ଓ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚିତ ହୋଇ ଆସୁଛନ୍ତି। ସେମାନେ ପ୍ରକୃତିର ସଂରକ୍ଷକ। ସେମାନେ ନିରନ୍ତରତା ସାଙ୍ଗକୁ ଏ ପ୍ରାନ୍ତର ପରିବର୍ତ୍ତନର ପରିବାହକ। ରାଜ୍ୟର ବିକାଶ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ବିନା ଅସମ୍ପୂର୍ଣ୍ଣ ବୋଲି କୁହାଯାଇ ପାରେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସର୍ବଜନ-ହିତାୟ ଉପରେ ଆଧାରିତ ଓଡ଼ିଶା ସରକାର ଆଦିବାସୀଙ୍କ ବିକାଶ ଲାଗି ଅନେକ ପଦକ୍ଷେପ ଗ୍ରହଣ କରି ଆସିଛନ୍ତି। ସାମ୍ପ୍ରତିକ ସମୟରେ ଯେତେବେଳେ ସାରା ବିଶ୍ବ ଏକ ବଡ଼ ଧରଣର ସ୍ୱାସ୍ଥ୍ୟ ସଙ୍କଟର ସାମନା କରୁଛି, ଆଦିବାସୀମାନେ ସେଥିରୁ ଅଛୁଆଁ ହୋଇ ରହିନାହାନ୍ତି। ରାଜ୍ୟ ସରକାର ଆଦିବାସୀ ଗୋଷ୍ଠୀଙ୍କ ବିକାଶକୁ ଗୁରୁତ୍ବ ଦେଇ ଆସୁଛନ୍ତି। ସେମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଭିଭିଭୂମି ସୃଷ୍ଟି କରିବା, ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା ଏବଂ ସେମାନଙ୍କ ଜୀବନ ଜୀବିକା ନିମନ୍ତେ ବ୍ୟାପକ ଭାବେ ସହାୟକ ହେବାରେ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି ଓଡ଼ିଶା ସରକାର। ଶାସନ ପ୍ରଶାସନର ନଜରରେ ବନବାସୀମାନେ ରହି ଆସିଥିବା ବେଳେ, ମୁଖ୍ୟମନ୍ତ୍ରୀ ଆଦିମ ଅଧିବାସୀ (ପିଭିଟିଜି- ପାର୍ଟିକୁଲାର୍ ଭଲନରେବଲ୍ ଟ୍ରାଇବଲ୍ ଗ୍ରୁପ୍)ଙ୍କ ସଶକ୍ତିକରଣ ନିମନ୍ତେ ଅଧିକ ଗୁରୁତ୍ବ ଦେଇ ଆସିଛନ୍ତି। ଭାରତୀୟ ସମ୍ବିଧାନର ଧାରା ୪୬ର ପ୍ରକୃତ ମର୍ମର ମହତ୍ତ୍ବକୁ ବଜାୟ ରଖି ଓଡ଼ିଶା ସରକାର ସେମାନଙ୍କ ଉନ୍ନତି ନିମନ୍ତେ ଲଗାତାର ପ୍ରୟାସ ଜାରି ରଖି ଆସିଛନ୍ତି। ଆଦିମ ଅଧିବାସୀଙ୍କ ନିମନ୍ତେ ନିକଟରେ ଘୋଷିତ କୋଭିଡ୍- ୧୯ ସ୍ୱତନ୍ତ୍ର ଆର୍ଥିକ ସହାୟତା ହିଁ ଦର୍ଶାଇଦିଏ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଚୀନ ବନବାସୀଙ୍କ ଲାଗି କେତେ ଯତ୍ନବାନ।

ଓଡ଼ିଶା କ୍ଷେତ୍ରରେ ନିଆରା କଥା ଏୟା ଯେ ଦେଶର ମୋଟ ଆଦିବାସୀ ଜନସଂଖ୍ୟାର ଏକ ଦଶମାଂଶ ଆମ ରାଜ୍ୟରେ ବାସ କରନ୍ତି। ଦେଶର ବନବାସୀ ଗୋଷ୍ଠୀସମୂହର ତୃତୀୟ ସର୍ବବୃହତ୍ ଅଂଶ ଓଡ଼ିଶାରେ ରହୁଛନ୍ତି। ରାଜ୍ୟର ୧୨ଟି ଜିଲ୍ଲାରେ ରୁହନ୍ତି ଲୁପ୍ତ ହେବାକୁ ବସିଥିବା ୧୩ ଗୋଟି ନିର୍ଦ୍ଦିଷ୍ଟ ଆଦିମ ଅଧିବାସୀ ଗୋଷ୍ଠୀ। ସମାଜର ଏହି ସୀମିତ ଓ କ୍ରମେ ହ୍ରାସ ପାଇ ଆସୁଥିବା ଗୋଷ୍ଠୀ ଛୋଟ ଛୋଟ ବସତିରେ ରାଜ୍ୟରେ ବିକ୍ଷିପ୍ତ ଭାବେ ରହି ଆସୁଛନ୍ତି। କିନ୍ତୁ ସେମାନଙ୍କ ପ୍ରତି ରାଜ୍ୟ ପ୍ରଶାସନ ଯଥାଯଥ ବିଶେଷ ଦୃଷ୍ଟି ଦେଇ ଆସୁଛି। ଯଦିଓ ସେମାନଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ବେଶ୍ କମ, କିନ୍ତୁ ଐତିହ୍ୟ, ସଂସ୍କୃତି, କଳା ଓ କାରୁକାର୍ଯ୍ୟ ସଙ୍ଗୀତ, ଜୈବ ବିବିଧତା ସଂରକ୍ଷଣରେ ସେମାନଙ୍କ ଅବଦାନ ଓ ଭୂମିକା ଅତୀବ ମହତ୍ତ୍ୱପୂର୍ଣ୍ଣ।

ବିପର୍ଯ୍ୟୟ ସୃଷ୍ଟିକାରୀ ମହାମାରୀ ସଙ୍କଟ କାଳରେ ସମାଜର ଏଇ ବିଶେଷ ବର୍ଗର ଲୋକଙ୍କ ସଂରକ୍ଷଣ ସକାଶେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ଆର୍ଥିକ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ଏହା ସେମାନଙ୍କ ଲାଗି ଅତୀବ ସହାୟକ ହେବା ନିଶ୍ଚିତ। ରାଜ୍ୟର ୧୭ଟି ପୁରାତନ ମଲ୍ଟି ପ୍ରୋଜେକ୍ଟ ଏଜେନ୍ସି (ଏମପିଏ) ଅନ୍ତର୍ଗତ ୫୪୧ ଗାଁର ୨୭୩୦୮ ଘରେ ୧ ଲକ୍ଷ ୩୪ ହଜାର ଜନସଂଖ୍ୟା ଏବଂ ନୂତନ ଭାବେ ଚିହ୍ନଟ ୧୧୩୮ ପିଭିଟିଜି ଗ୍ରାମ ଯେଉଁଠି ୩୬୯୦୬ ଘର ରହିଛି। ଆହୁରି ମଧ୍ୟ ବର୍ତ୍ତମାନର ଏମପିଏରେ ଆହୁରି ୧ ଲକ୍ଷ ୬୦ ହଜାର ୪୦୧ ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ କେଉଁଝର, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ ୩ ଅତିରିକ୍ତ ଏମପିଏ ପ୍ରତିଷ୍ଠା କରାଯାଇଛି।

ପିଭିଟିଜିଙ୍କ ପାଇଁ କୋଭିଡ୍- ୧୯ ଆର୍ଥିକ ରିଲିଫ୍ ପ୍ୟାକେଜ୍ ଅନ୍ତର୍ଗତ ସମସ୍ତ କୋଭିଡ୍ ପ୍ରଭାବିତ ପିଭିଟିଜିଙ୍କୁ ମାଗଣାରେ ମାସ୍କ ଓ ସାନିଟାଇଜର୍, ପ୍ରଭାବିତ ଘର ପରିବାର ପିଛା ୨୫ ଶହ ଟଙ୍କା ମୂଲ୍ୟର ଶୁଖିଲା ରାସନ୍ ସାମଗ୍ରୀ କିଟ୍ ପ୍ରଦାନ ବ୍ୟବସ୍ଥା ରହିଛି। ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଏଭଳି ପ୍ରତି ବ୍ୟକ୍ତିଙ୍କୁ ଦୈନିକ ୧୦୦ ଟଙ୍କା ହିସାବରେ ମୋଟ ୧୪୦୦ ଟଙ୍କା ଭତ୍ତା ପ୍ରଦାନ ବ୍ୟବସ୍ଥା ରହିଛି। ଏଥିସହ ଆଦିମ ଅଧିବାସୀ ବସତିର ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଚିହ୍ନଟ ଲାଗି ସ୍ବାସ୍ଥ୍ୟ ପରୀକ୍ଷଣ କରଯିବାକୁ ପଦକ୍ଷେପ ନିଆଯାଉଛି। ପିଭିଟିଜି ଗ୍ରାମରେ କାର୍ଯ୍ୟରତ ଗୋଷ୍ଠୀ ସମ୍ବଳ ବ୍ୟକ୍ତି (ସିଆରପି)ଙ୍କୁ ୪ ମାସ ପାଇଁ ପ୍ରତି ମାସ ପିଛା ଅଧିକ ୧୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ। ଏମପିଏ ଅଧୀନରେ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ସ୍ବାସ୍ଥ୍ୟ କିଟ୍ ସାଙ୍ଗକୁ ଜୀବନ ବୀମା ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

ଗଜପତି ଜିଲ୍ଲା ସୌରା ଜନଜାତିର ସୁକୁଦେବ ମଣ୍ଡଳ କହନ୍ତି ମହାମାରୀ ଲାଗି ଆମେ ଘୋର ସମସ୍ୟାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ୫ ହଜାର ଟଙ୍କାର ସହାୟତା ଆମ ପାଇଁ ଠିକ୍ ସମୟରେ ଆଶ୍ୱସ୍ତି ଆଣି ଦେଇଛି। ଆମେ ଜୀବିକା ପୋଷଣ ଲାଗି ବନଜାତ ଦ୍ରବ୍ୟ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ। କିନ୍ତୁ ଲକଡାଉନ୍ ଲାଗି ଆମେ ବଣକୁ ଏସବୁ ସଂଗ୍ରହ କିମ୍ବା ବଜାରରେ ବିକ୍ରି ଲାଗି ବହୁତ ସମସ୍ୟା ଭୋଗୁଥିଲୁ। ଏଇ ଆର୍ଥିକ ସହାୟତା ମୋ ପରିବାରକୁ ବେଶ୍ ସହାୟକ ହେବ।

ଉପରୋକ୍ତ ପଦକ୍ଷେପ ବ୍ୟତୀତ, ରାଜ୍ୟ ସରକାର ଆଦିବାସୀ ଗ୍ରାମମାନଙ୍କରେ ସଙ୍ଗରୋଧ କେନ୍ଦ୍ର ସ୍ଥାପନ, ଏମପିଏ ସ୍ତରରେ କୋଭିଡ୍ ଯତ୍ନ କେନ୍ଦ୍ର ପ୍ରତିଷ୍ଠା ଲାଗି ପାଣ୍ଠି ବ୍ୟବସ୍ଥା ମଧ୍ୟ କରିଛନ୍ତି। ଆର୍ଥିକ ସହାୟତାରୁ ପିଭିଟି ଗୋଷ୍ଠୀର ୬୪ ହଜାର ୨୧୪ ସଦସ୍ୟ ସିଧାସଳଖ ଉପକୃତ ହେବେ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କହିବା ପ୍ରକାରେ “ସଙ୍କଟ ସମୟରେ ଆପଣମାନେ ଏକା ନୁହଁନ୍ତି। ମୁଁ ଆପଣଙ୍କୁ ନିଶ୍ଚିତ କରିବାକୁ ଚାହେଁ ଯେ ରାଜ୍ୟ ସରକାର ସର୍ବଦା ଆପଣଙ୍କ ସହ ରହିଛି”। ଏଇ ଦୁଇ ପଦରୁ ମୁଖ୍ୟମନ୍ତ୍ରୀଙ୍କ ଏମାନଙ୍କ ପ୍ରତି ଚିନ୍ତା ଓ ଯତ୍ନର ଭାବନା ସୁସ୍ପଷ୍ଟ। ନବୀନ ସରକାର ଯେ ଜୀବନପ୍ରଦାୟୀ ଓ ସମସ୍ତଙ୍କୁ ଆଶ୍ୱସ୍ତ କରିବା ଭଳି ସରକାର ଏହା ନିଶ୍ଚିତ।

ଏହି ପିଭିଟିଜି ମୁଖ୍ୟତଃ ରାଜ୍ୟର ୧୬୭୯ ଗ୍ରାମରେ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୩୧୪ ଜଣ କହନ୍ତି-୧୯ ସଂକ୍ରମିତ ହୋଇଥିଲେ। ସରକାର କୋଭିଡ୍ ପରିଚାଳନା ଦୃଷ୍ଟିରୁ ଏଭଳି ଗ୍ରାମମାନଙ୍କରେ ୧୮ଟି ଆମ୍ବୁଲାନ୍ସର ବ୍ୟବସ୍ଥା କରାଇଥିଲେ। ଏଥିସହ ତୃଣମୂଳ ସ୍ତରରେ କାର୍ଯ୍ୟରତ ଆଶା, ଅଙ୍ଗନବାଡି କର୍ମୀମାନେ ପ୍ରତିଟି ପିଭିଟିଜି ଗାଁରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସର୍ଭେ ଓ ପରୀକ୍ଷା ଯଥା ଥର୍ମାଲ ସ୍କ୍ରିନିଂ ଓ ବିଶୋଧନକୁ ନିଶ୍ଚିତ କରାଇଥିଲେ।

ମହାମାରୀର ଦ୍ବିତୀୟ ଲହରୀରେ ଦେଖିବାକୁ ମିଳିଥିଲା ଯେ କରୋନା ବନବାସୀଙ୍କ ଆବାସସ୍ଥଳରେ ଅନୁପ୍ରବେଶ କରିଥିଲା ଯେଉଁଠି ଆଖିଦୃଶିଆ ପିଭିଟିଜି ଜନସଂଖ୍ୟା ରହି ଆସୁଛନ୍ତି। ତେବେ ରାଜ୍ୟ ସରକାରଙ୍କ ତ୍ବରିତ ପଦକ୍ଷେପର ସୁଫଳ ଏୟା ଥିଲା ଯେ ମହାମାରୀକୁ ଆରମ୍ଭରୁ ନିୟନ୍ତ୍ରଣ କରାଯାଇ ପାରିଲା। ଫଳରେ ଏକ ବିରାଟ ସଙ୍କଟକୁ ଟାଳି ଦିଆଗଲା। ମେ ମାସରେ ଯେତେବେଳେ ରାଜ୍ୟରେ ମହାମାରୀ ପ୍ରକୋପ ଶୀର୍ଷରେ ଥିଲା ସେତେବେଳେ ଏହି ଅବକ୍ଷୟମୁଖୀ ପିଭିଟି ଗୋଷ୍ଠୀର ୪୫ ଜଣ ସଂକ୍ରମିତ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରେ ରାୟଗଡ଼ାର ଡଙ୍ଗରିଆ କନ୍ଧ, ମାଲକାନଗିରିର ବୋଣ୍ଡା ଜନଜାତି ଆଦି ଥିଲେ। ରାଜ୍ୟ ସରକାର ତତ୍ପରତା ଦେଖାଇ ଦୁର୍ଗମ, ଅପହଞ୍ଚ ଆଦିମ ବନବାସୀ ଗ୍ରାମକୁ ସ୍ବାସ୍ଥ୍ୟ କର୍ମୀ ଓ ଟିମ୍ ପଠାଇଥିଲେ। ପରୀକ୍ଷା ଓ ଟିକାକରଣ ପାଇଁ ଏହି ଗୋଷ୍ଠୀମାନଙ୍କୁ ବୁଝାସୁଝା କରି ରାଜି କରାଯାଇ ପାରିଥିଲା। ଉଲ୍ଲେଖନୀୟ ଭାବେ ପିଭିଟିଜି ଜନସମୁଦାୟର ମାତ୍ର ୩୫୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ହେଁ କାହାର ଜୀବନହାନୀ ଘଟି ନଥିଲା। ତୃଣମୂଳସ୍ତରରେ ତ୍ବରିତ ପଦକ୍ଷେପ ନେବା ଲାଗି ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ରାପିଡ୍ ରେସପନ୍ସ ଟିମ୍ ଗଠନ କରିଥିଲେ।

ରାଜ୍ୟ ସରକାର ନିଜ ନିଆରା ଓଡ଼ିଶା ପିଭିଟିଜି ସଶକ୍ତୀକରଣ ଓ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ (ଓପେଲିପ୍) ଜରିଆରେ ଆଦିମ ଅଧିବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା, ସେମାନଙ୍କ ମଧ୍ୟରେ ଦାରିଦ୍ର୍ୟ ଲୋପ କରିବାକୁ କାର୍ଯ୍ୟ କରି ଆସୁଛନ୍ତି। ଏହି କାର୍ଯ୍ୟକ୍ରମ ୩୨୦୯୦ ପିଭିଟିଜି ଘର ପରିବାରର ଉତ୍ତମ ଜୀବନ ଜୀବିକା ଓ ଖାଦ୍ୟ ତଥା ପୁଷ୍ଟିଗତ ସୁରକ୍ଷାକୁ ନିଶ୍ଚିତ କରିପାରିଛି। ସେହିପରି ୧୪ ହଜାର ଅନ୍ୟ ଆଦିବାସୀ ଘର ପରିବାର ତଥା ୧୬୩୫୬ ଗରିବ ଅନୁସୂଚିତ ଜାତି ଘର ପରିବାରକୁ ମଧ୍ୟ ସହାୟକ ହୋଇପାରିଛି ଓପେଲିପ୍। ମହାମାରୀ ବେଳରେ ରାଜ୍ୟ ସରକାର ପିଭିଟିଜିଙ୍କୁ ଟିକାକରଣ ସାଙ୍ଗକୁ ସଂକ୍ରମଣ ତୁରନ୍ତ ଚିହ୍ନଟ ଲାଗି ନିୟମିତ ପରୀକ୍ଷା ଉପରେ ବିଶେଷ ଗୁରୁତ୍ଵ ଦେଇ ଆସିଥିଲେ। ତୃଣମୂଳସ୍ତରରେ କାର୍ଯ୍ୟରତ କର୍ମଚାରୀ ଯେଉଁମାନେ ଅତୀବ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇ ସୁଦ୍ଧା ଏହାକୁ ସୂଚାରୁ ରୂପେ ତୁଲାଇ ପାରିଥିଲେ ସେମାନେ ଧନ୍ୟବାଦର ପାତ୍ର, ଏଥିରେ ଦ୍ବିମତ ନାହିଁ। ଏପରିକି ଅନେକ କ୍ଷେତ୍ର କର୍ମଚାରୀଙ୍କୁ ପାହାଡ଼ିଆ ଅଞ୍ଚଳରେ ପ୍ରତିକୂଳ ଅବସ୍ଥା ସତ୍ତ୍ବେ ୫ କିମି ଦୂରତା ଅତିକ୍ରମ କରିବାକୁ ପଡ଼ିଥିଲା। ସେମାନଙ୍କ ପରିଶ୍ରମ ହେତୁ ଟିକାକରଣ କାର୍ଯ୍ୟକ୍ରମ ବେଶ୍ ସଫଳ ହୋଇପାରିଲା।

ମୟୁରଭଞ୍ଜ ଜିଲ୍ଲା ଯଶୀପୁରର ମହେଶ୍ବରୀ ଦେହୁରୀଙ୍କ ମତରେ, ଆମେ ବହୁତ ଖୁସି ଯେ ସମ୍ମାନସ୍ପଦ ମୁଖ୍ୟମନ୍ତ୍ରୀ ପିଭିଟିଜିଙ୍କ ପାଇଁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। କୋଭିଡ୍ ସଙ୍କଟ ସମୟରେ ଆମ ପେଟପାଟଣା ପାଇଁ ଏହି ଅର୍ଥ ବହୁତ ଉପାଦେୟ ହେବ। ମୁଖ୍ୟମନ୍ତ୍ରୀ ଆମ ପାଇଁ ମୁକ୍ତ କୋଭିଡ୍ ପରୀକ୍ଷା, ଟିକାକରଣ ଓ ଚିକିତ୍ସା ବ୍ୟବସ୍ଥା କରାଇଦେଲେ। ଏଥିପାଇଁ ତାଙ୍କୁ ଆମ ସମସ୍ତଙ୍କ ତରଫରୁ କୃତଜ୍ଞତା ଜଣାଉଛି।

ଓଡ଼ିଶା ସରକାର ପିଭିଟିଜି ଗୋଷ୍ଠୀଙ୍କ ସଶକ୍ତିକରଣ ଲାଗି ବିଭିନ୍ନ କାର୍ଯ୍ୟକଳାପ ଜାରି ରଖିଛନ୍ତି। ସେମାନଙ୍କୁ ଉନ୍ନତ କୃଷି ଉପକରଣ, ଅଧିକ ଅମଳକ୍ଷମ ବିହନ ଓ କୀଟନାଶକ ତଥା ସାର ଯୋଗାଣ କରାଯାଉଛି। ସରକାରୀ ପଦକ୍ଷେପର ଫଳ ଏୟା ହେଉଛି ଯେ ଭିନ୍ନ ଭିନ୍ନ ଅଞ୍ଚଳରେ ସେମାନଙ୍କୁ ସୁହାଇବା ଭଳି ସପୁରୀ ପଣସ, ଟମାଟ, ମାଣ୍ଡିଆ, ଆମ୍ବ, କଦଳୀ, ହଳଦୀ, ଅଦା, ମକା ଆଦି ଚାଷବାସ ନିମନ୍ତେ ପ୍ରୋତ୍ସାହନ ଦିଆଯାଉଛି ଯାହାଦ୍ବାରା ସେମାନେ ଅଧିକ ଆୟ ଉପାର୍ଜନ କରିବାକୁ ସକ୍ଷମ ହୋଇପାରୁଛନ୍ତି। ଆଉ ଏହାର ସୁଫଳ ଏଥିରୁ ସ୍ପଷ୍ଟ ଯେ ପିଭିଟିଜି ଗୋଷ୍ଠୀଙ୍କ ଆର୍ଥିକ ସ୍ଥିତି ଲଗାତାର ଉନ୍ନତ ହୋଇ ଚାଲିଛି। ସେମାନଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀ ଏବେ ରାଜ୍ୟର କୋଣ ଅନୁକୋଣରେ ସହଜ ସୁଲଭରେ ଉପଲବ୍ଧ। ଉତ୍ତମ ଗୁଣାତ୍ମକ ମାନ ଲାଗି ଏହାର ବେଶ୍ ଚାହିଦା ମଧ୍ୟ ରହୁଛି।

ସରକାରଙ୍କ ଅନ୍ୟାନ୍ୟ ଯୋଜନା ଯଥା ଆଦିବାସୀ ଛାତ୍ରଛାତ୍ରୀଙ୍କ ସକାଶେ ବୃତ୍ତି, ଆବାସିକ ଶିକ୍ଷା, ବିଭିନ୍ନ କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ୟାଙ୍କ୍ ଋଣ ଯୋଗାଣ, ଜମି ଅଧିକାର ପ୍ରଦାନ ଦ୍ବାରା ପିଭିଟିଜିଙ୍କ ଜୀବନ ଲଗାତାର ବିକଶିତ ହୋଇ ଚାଲିଛି। ଏକ ପ୍ରମୁଖ ଆଦିବାସୀ ଗୋଷ୍ଠୀ ଯାହା ମାଲକାନଗିରି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ରହୁଛନ୍ତି ସେଇ ବୋଣ୍ଡା ଜନଜାତିକୁ ଏଇ କଠିନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ୍ ବେଶ୍ ସହାୟକ ହୋଇପାରିଛି। ଖଇରିପୁଟ ବ୍ଲକ୍ ବନ୍ଧଗୁଡ଼ାର ମଙ୍ଗଳା ମୁଗୁଦୁଲିଙ୍କ ପ୍ରତିକ୍ରିୟା ଏୟା ଯେ ଆମର ବୋଣ୍ଡା ପରିବାର ଏହି ସହାୟତା ପାଇ ବେଶ୍ ଆନନ୍ଦିତ। ସରକାରୀ କଳ ଆମ ବାବଦରେ ତଥ୍ୟ ସଂଗ୍ରହ କରି ମୁଦୁଲିପଡ଼ାର ସମସ୍ତ ପରିବାରକୁ ଅର୍ଥ ପ୍ରଦାନ କରିଥିଲେ। ଆମ ବୋଣ୍ଡା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ।

ଗତ ଦୁଇ ଦଶନ୍ଧି ଧରି ଆଦିବାସୀ ବିଶେଷତଃ ପିଭିଟିଜିଙ୍କ ବିକାଶ ଲାଗି ରାଜ୍ୟ ସରକାରଙ୍କ ଲଗାତାର ପ୍ରଚେଷ୍ଟା ଫଳରେ ଆଦିମ ଜନଜାତିଙ୍କ ଜୀବନ ସ୍ତରରେ ବେଶ୍ ସୁଧାର ଆସିପାରିଛି। ସେମାନଙ୍କ ସାମଗ୍ରିକ ବିକାଶ ଆଗକୁ ବଢିଚାଲିଛି। ଆବଶ୍ୟକତାକୁ ଦେଖି ରାଜ୍ୟ ସରକାର ମଧ୍ୟ ସେମାନଙ୍କ ସକାଶେ ବ୍ୟୟବରାଦ ବୃଦ୍ଧି କରି ଚାଲିଛନ୍ତି। ସମାଜର ଏହି ସମ୍ବେଦନଶୀଳ ପ୍ରାଚୀନ ଅଧିବାସୀ ସମୁଦାୟର ସଶକ୍ତିକରଣ ଦିଗରେ ଓଡ଼ିଶା ଏବେ ସାରା ଦେଶରେ ଏକ ଆଦର୍ଶ ଉଦାହରଣ ଭାବେ ପ୍ରତୀୟମାନେ ହେଉଛି। ଲଗାତାର ବିକାଶମୂଳକ ପଦକ୍ଷେପ ଦ୍ବାରା କେବଳ ଯେ ଏମାନଙ୍କ ଉପରେ ମହାମାରୀର ପ୍ରକୋପକୁ ନିଷ୍ଫଳ କରାଯାଇ ପାରିଛି, ତା ନୁହେଁ,ଏଥି ସହ ସେମାନଙ୍କ ବିକାଶର ମାର୍ଗକୁ ଆହୁରି ପ୍ରଶସ୍ତ କରାଯାଇଛି।

ଦେଓଗଡ଼ ଜିଲ୍ଲା ବରକୋଟ ବ୍ଲକ୍ ବିଜାଡିହି ଗ୍ରାମର କୁମାଉ ସାହୁଙ୍କ ଭଳି ଅନେକ ବନବାସୀ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଆଡୁ କୃତଜ୍ଞତା ଜ୍ଞାପନ କରିଛନ୍ତି। କାରଣ ଉଚିତ ସମୟରେ ଉପଯୁକ୍ତ ପଦକ୍ଷେପ ଭଳି ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ସେମାନଙ୍କ ଲାଗି ଆଶ୍ୱସ୍ତଦାୟକ ହୋଇଛି। ଆମେ ଜଙ୍ଗଲରୁ ଝୁଣା ସଂଗ୍ରହ କରୁ। କିନ୍ତୁ ମହାମାରୀ ଲାଗି ଗତ କିଛି ମାସ ହେଲା ତାହାକୁ ବଜାରରେ ବିକ୍ରି କରିବାକୁ ଅକ୍ଷମ ହେଉଥିଲୁ। ଆମ ପାଇଁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତାରୁ ଆମ ଜୀବନଜୀବିକା ଅନେକ ମାତ୍ରାରେ ସହଜ ହୋଇପାରିଛି। ଏଥିପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକୃତରେ ଋଣୀ ରହିବୁ ବୋଲି କହିଛନ୍ତି ସେ। ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକ୍ ଅନ୍ଦ୍ରହାଲ ଗ୍ରାମର ବୁଡାଇ ସୀସା କହିଛନ୍ତି ଯେ ସରକାର ଆମର ପ୍ରତି ପରିବାରକୁ କୋଭିଡ୍ ସହାୟତା ପାଇଁ ୫ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି। ମୋ ପିଲାଙ୍କ ଟ୍ୟୁସନ୍ ଦେୟ ମଧ୍ୟ ସରକାର ପଇଠ କରୁଛନ୍ତି। ଧନ୍ୟବାଦ, ନବୀନ ପଟ୍ଟନାୟକ।

ମହାମାରୀର ଅଭୂତପୂର୍ବ ବିଷମ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦିମ ଅଧିବାସୀ ତଥା ଜନଜାତିଙ୍କ ଜୀବନ ଜୀବିକା ପ୍ରତି ଯତ୍ନ ଓ ସହାୟତା ଫଳରେ ସେମାନଙ୍କ ହୃଦୟରେ ତାଙ୍କ ପ୍ରତି ସୃଷ୍ଟି ହୋଇଛି ଅଜସ୍ର ସ୍ନେହ ଓ ସଦିଚ୍ଛା। ସେମାନେ ବିଶ୍ବାସ କରୁଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଓ ଯୋଜନା ଫଳରେ ସେମାନଙ୍କ ଦୁର୍ଦ୍ଦିନ ଦୂରେଇ ଯିବାରେ ଲାଗିଛି। ଜୀବନର ସବୁ ସୁଖ ସ୍ବାଚ୍ଛନ୍ଦ୍ୟ ସେମାନଙ୍କ ପାଖକୁ ନିଶ୍ଚିତ ପହଞ୍ଚିବ। ସେମାନେ ସ୍ନେହ, ସମ୍ପର୍କର ଦୈନିକ ପର୍ବକୁ ହସ ଖୁସିର ସହ ଲେଉଟି ପାରିବେ ବୋଲି ନିଶ୍ଚିନ୍ତ ହେବାରେ ଲାଗିଛନ୍ତି।

Comments are closed.