ଦଳୀୟ କନ୍ଦଳ ଚାପିବାକୁ ବିଜେପିର ମନଗଢା ଅଭିଯୋଗ : ବିଜେଡ଼ି

ଭୁବନେଶ୍ୱର: ପଶ୍ଚିମ ଓଡିଶାର ସ୍ଵାସ୍ଥ୍ୟ ସେବାକୁ ଗୁରୁତ୍ବ ଦିଆଯାଉଥିବାବେଳେ ରାଜନୀତି ପାଇଁ ସ୍ବାସ୍ଥ୍ୟସେବାକୁ ଆଳ କରି ସରକାରଙ୍କୁ ସମାଲୋଚନା କରିବା ଉଚିତ୍ ନୁହେଁ । ଦଳରେ ନିଜର ହଜିଯାଉଥିବା ସ୍ଥିତିକୁ ପ୍ରାସଙ୍ଗିକ କରିବା ସହିତ ଦଳୀୟ କନ୍ଦଳକୁ ଚାପିବା ପାଇଁ ବିଜେପିର ପୂର୍ବତନ ବିଧାୟକ ଏଭଳି ମନଗଢା ଆରୋପ ଲଗାଉଥିବା କହିଛନ୍ତି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ।

ବିଜେପିର ପୂର୍ବତନ ବିଧାୟକ ରବି ନାୟକଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି ଯେ ରାଜ୍ୟ ସରକାର ପଶ୍ଚିମ ଓଡିଶାର ସ୍ବାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ବ ଦେଇ ଆସୁଛନ୍ତି । କୋଭିଡ୍ ସମୟରେ ଅକ୍ସିଜେନ୍ ଶଯ୍ୟ , ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟର ଶଯ୍ୟ ବୃଦ୍ଧି ଫଳରେ ସ୍ଥାନୀୟ ଅଞ୍ଚଳ ସହିତ ଛତିଶଗଡ ଓ ଝାଡଖଣ୍ଡର ଲୋକେ ବି ଆସି ଏଠାରେ ଚିକିତ୍ସିତ ହେଉଥିଲେ । ଓଡିଶାର ସ୍ବାସ୍ଥ୍ୟସେବାକୁ ପଡୋଶୀ ରାଜ୍ୟର ଲୋକେ ପ୍ରଶଂସା କରୁଥିବାବେଳେ କେବଳ ରାଜନୀତି ପାଇଁ ବିଜେପି ଏଭଳି ଆରୋପ ଲଗାଉଥିବା ସଞ୍ଜୟ ବାବୁ କହିଛନ୍ତି ।

ବିଜେଡି ମୁଖପାତ୍ର କହିଛନ୍ତି ଯେ ନିଜ ଦଳ ଭିତରେ ଚାଲିଥିବା କନ୍ଦଳକୁ ଲୁଚାଇବା ପାଇଁ ଓଡିଶା ବିଜେପି ଏବେ ରାଜ୍ୟ ସରକାରଙ୍କୁ ବଦନାମ କରିବା ନୀତି ଆପଣେଇଛି । ଭୀମସାରକୁ ସୁପର ସ୍ପେଶିଆଲିଟି ବ୍ୟବସ୍ଥା ସହିତ ଅଭିଜ୍ଞ ଡାକ୍ତର ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଉଛି ଓ ଏ କ୍ଷେତ୍ରରେ ସରକାର ଯତ୍ନବାନ ଅଛନ୍ତି । ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତି ଏବଂ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ କୋଭିଡର ଦ୍ବିତୀୟ ଲହରକୁ ରାଜ୍ୟରେ ସଫଳତାର ସହ ମୁକାବିଲା କରାଯାଇ ପାରିଛି । ରାଜ୍ୟର ଚାହିଦା ମେଣ୍ଟାଇବା ସହିତ ସମଗ୍ର ଦେଶକୁ ଅକ୍ସିଜେନ୍ ଯୋଗାଇ ଓଡିଶା ସରକାର ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଓଡ଼ିଶାର ଏହି କାର୍ଯ୍ୟକୁ ଜାତୀୟ ଓ ଆନ୍ତଃଜାତୀୟ ସ୍ତରରେ ପ୍ରଶଂସା କରାଯାଉଥିବାବେଳେ ବିଜେପି ନେତାମାନେ ଏଥିରେ ଅସହିଷ୍ଣୁ ହୋଇ ଯେଉଁଭଳି ମନଗଢା ଆରୋପ ଲଗାଉଛନ୍ତି ତାହାକୁ ଓଡିଶାବାସୀ ଆଦୌ ଗ୍ରହଣ କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

Comments are closed.