ଟୋକିଓ ଅଲିମ୍ପିକ୍ସ: ନେଦରଲାଣ୍ଡ୍‌ସ ଠାରୁ ୫-୧ରେ ହାରିଲା ଭାରତୀୟ ମହିଳା ହକି ଦଳ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ଭାରତ ପ୍ରଥମ ଗ୍ରୁପ୍ ମ୍ୟାଚରେ ବିଶ୍ୱର ଶୀର୍ଷ ମାନ୍ୟତାପ୍ରାପ୍ତ ଟିମ୍ ନେଦରଲାଣ୍ଡ୍‌ସ ଠାରୁ ୫-୧ ଗୋଲ୍‌ରେ ପରାସ୍ତ ହୋଇଛି । ଭାରତ ପ୍ରଥମ ଦୁଇଟି କ୍ୱାର୍ଟରରେ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ଆଡକୁ ଦିଗହରା ହୋଇଯାଇଥିଲା । ନେଦରଲାଣ୍ଡ୍‌ସ ପକ୍ଷରୁ ଫେଲିସ୍ ଆଲବର୍ସ ଦୁଇଟି ଗୋଲ୍ ସ୍କୋର କରିଥିବା ବେଳେ ଫ୍ରେଡରିକ୍ ମାଟଲା ଓ କାଇଆ ଜାକେଲିନ୍ ଭାନ୍ ମାସାକରର ଏବଂ ମାର୍ଗୋଟ୍ ଭାନ୍ ଗିଫେନ୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଭାରତ ତରଫରୁ କ୍ୟାପଟେନ୍ ରାଣୀ ରାମପାଲ ଏକମାତ୍ର ଗୋଲ୍ ଦେଇଥିଲେ ।

ରିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ନେଦରଲାଣ୍ଡ୍‌ସ ଆରମ୍ଭରୁ ଭାରତୀୟ ଗୋଲ୍ ଉପରେ ଆକ୍ରମଣ କରିଥିଲା । ତେବେ ଭାରତୀୟ ରକ୍ଷଣ ଭାଗ ଓ ଗୋଲକିପର ସବିତା ପ୍ରଥମ ଦୁଇ କ୍ୱାର୍ଟରରେ ନେଦରଲାଣ୍ଡ୍‌ସ ଆକ୍ରମଣକୁ ଦୃଢତାର ସହ ପ୍ରତିହତ କରିଥିଲେ । ତଥାପି ଷଷ୍ଠ ମିନିଟ୍‌ରେ ନେଦରଲାଣ୍ଡ୍‌ସ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା । ଏହାର ଚାରି ମିନିଟ୍ ପରେ ଭାରତ ପକ୍ଷରୁ ରାଣୀ ରାମପାଲ ଉକ୍ତ ଗୋଲ୍ ପରିଶୋଧ ପୂର୍ବକ ସ୍କୋରକୁ ୧-୧ ସ୍ତରକୁ ଆଣିଥିଲେ ।

ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ନେଦରଲାଣ୍ଡ୍‌ସକୁ କଡ଼ା ଟକ୍କର ଦେଇଥିଲା ଭାରତ । ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ନେଦରଲାଣ୍ଡ୍‌ସ ସମ୍ପୂର୍ଣ୍ଣ ଆଧିପତ୍ୟ ଜାହିର କରି ଭାରତକୁ ଚାପରେ ରଖିଥିଲା । ଶେଷ ଦୁଇ କ୍ୱାର୍ଟରରେ ଆଉ ୪ଟି ଗୋଲ୍ ଦେଇଥିଲା ନେଦରଲାଣ୍ଡ୍‌ସ । ଭାରତ ତାର ପରବର୍ତ୍ତୀ ମ୍ୟାଚ୍ ଜୁଲାଇ ୨୬ରେ ଜର୍ମାନୀ ବିପକ୍ଷରେ ଖେଳିବ । ଭାରତୀୟ ମହିଳା ହକି ଦଳ କ୍ରମାଗତ ଦ୍ୱିତୀୟ ଥର ଅଲିମ୍ପିକ୍ସରେ ଭାଗ ନେଉଛି । ଦୀର୍ଘ ୩୨ ବର୍ଷ ପରେ ପ୍ରଥମ ଥର ଅଲିମ୍ପିକ୍ ଯୋଗ୍ୟତା ହାସଲ କରି ୨୦୧୬ ରିଓ ସଂସ୍କରଣରେ ବି ଅଂଶଗ୍ରହଣ କରିଥିଲା ଭାରତ ।

Comments are closed.