ଭୋଟରଙ୍କୁ ଲାଞ୍ଚ ଦେବା ମାମଲା: ଟିଆରଏସ୍ ସାଂସଦ କବିତାଙ୍କୁ ୬ ମାସ ଜେଲ୍‌ | News Room Odisha

ଭୋଟରଙ୍କୁ ଲାଞ୍ଚ ଦେବା ମାମଲା: ଟିଆରଏସ୍ ସାଂସଦ କବିତାଙ୍କୁ ୬ ମାସ ଜେଲ୍‌

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ବେଳେ ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଟିଆରଏସ୍ ସାଂସଦ ମାଲୋତ କବିତା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ଏହି ମାମଲାରେ ସ୍ଥାନୀୟ ଏକ କୋର୍ଟ ୬ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ବେଳେ ତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ସେ ମତଦାତାଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଥିଲା । ଦେଶରେ ପ୍ରଥମ ଥର ଜଣେ ପଦାସୀନ ସାଂସଦ ଏଭଳି ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଛନ୍ତି । ସାଂସଦ ଓ ବିଧାୟକଙ୍କ ସହ ଜଡିତ ମାମଲାର ଶୁଣାଣି କରୁଥିବା ନାମପଲ୍ଲୀ କୋର୍ଟ କବିତାଙ୍କ ଉପରେ ୧୦ ହଜାର ଜରିମାନା ବି ଲଗାଇଛନ୍ତି ।
କବିତାଙ୍କ ସହ ଏହି ମାମଲାରେ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ମଧ୍ୟ ଦଣ୍ଡାଦେଶ ହୋଇଛି । ତେବେ ଏହି ଦଣ୍ଡାଦେଶ ବିରୋଧରେ ଅପିଲ କରିବା ପାଇଁ କବିତା ଓ ଅନ୍ୟ ଦୁଇ ଦୋଷୀଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । କବିତା ମହବୁବାବାଦ ନିର୍ବାଚନମଣ୍ଡଳୀରୁ ସାଂସଦ ଅଛନ୍ତି ।

ତୃତୀୟ ଥର ନାମପଲ୍ଲୀ ସେସନ୍ସ କୋର୍ଟ ଜଣେ ଜନ ପ୍ରତିନିଧିଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ପ୍ରଥମ ଥର ପାଇଁ ଜଣେ ପଦାସୀନ ସାଂସଦ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓ ତାହା ପୁଣି ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ।

୨୦୧୯ ଲୋକସଭା ନିର୍ବାଚନ ବେଳେ ବର୍ଗାମପାହାଡ ଅଞ୍ଚଳରେ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ବେଳେ କବିତାଙ୍କ ସହଯୋଗୀ ସୌକତ ଅଲ୍ଲୀଙ୍କୁ ଫ୍ଲାଇଂ ସ୍କ୍ୱାଡ୍ ଗିରଫ କରିଥିଲା । କବିତାଙ୍କ କହିବା ଅନୁଯାୟୀ ସେ ଏହା କରୁଥିଲେ ବୋଲି ଅଲ୍ଲୀ ଜେରା ବେଳେ ସ୍ୱୀକାର କରିଥିଲେ ।