ଟିକାକରଣରେ ପଛରେ ପଡ଼ିଛନ୍ତି ଘରୋଇ ହସ୍ପିଟାଲ୍, ଏପର୍ଯ୍ୟନ୍ତ ହୋଇଛି ମାତ୍ର ୭% ଟିକାକରଣ

ନୂଆଦିଲ୍ଲୀ: ସାରା ଦେଶରେ ଟୀକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରାୟ ଅଢେଇ ମାସ ପୂର୍ବରୁ ଘରୋଇ ହସ୍ପିଟାଲ ଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରିଥିଲେ। ଘରୋଇ ହସ୍ପିଟାଲ ମାନଙ୍କ ପାଇଁ ଦେଶରେ ଉତ୍ପାଦିତ ଟିକା ମଧ୍ୟରୁ ୨୫ ପ୍ରତିଶତ ସଂରକ୍ଷଣ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଖୋଦ୍ ସରକାରୀ ତଥ୍ୟ ଅନୁଯାୟୀ ଘରୋଇ ହସ୍ପିଟାଲ ଗୁଡ଼ିକ ଏପର୍ଯ୍ୟନ୍ତ ଏହି କୋଟାର ମାତ୍ର ୭ ପ୍ରତିଶତ ଟୀକାକରଣ କରିବାରେ ସକ୍ଷମ ହୋଇଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ଜୁଲାଇ ୨୦ରେ ମୌସୁମୀ ଅଧିବେଶନରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖର୍ଗେ ରାଜ୍ୟସଭାରେ ଏ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ। ଏହାର ଜବାବରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଘରୋଇ କେନ୍ଦ୍ରରେ ମଇ ୧ ରୁ ଜୁଲାଇ ୧୫, ୨୦୨୧ ପର୍ଯ୍ୟନ୍ତ ପ୍ରାୟ ୭ ପ୍ରତିଶତ ଟିକାକରଣ ହୋଇଛି | ସେବେଠାରୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଘରୋଇ ହସ୍ପିଟାଲ ମାନଙ୍କୁ ୨୫% କୋଟା ଟିକା ଦେବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଉଛନ୍ତି। ଅନେକ ରାଜ୍ୟ ସରକାର ମଧ୍ୟ ଏହି କୋଟା ସଂପୂର୍ଣ୍ଣ ହ୍ରାସ କିମ୍ବା ହଟାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

ପିପୁଲ୍ସ ହେଲଥ ମୁଭମେଣ୍ଟର ଡକ୍ଟର ଟି.ସୁନ୍ଦରରମଣଙ୍କ କହିଛନ୍ତି ଯେ, “ବେସରକାରୀ କେନ୍ଦ୍ରରେ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କୁ କହିଛନ୍ତି। ଏତେ ଚେଷ୍ଟା ପରେ ମଧ୍ୟ ଘରୋଇ ଡାକ୍ତରଖାନାଗୁଡ଼ିକରେ ଟୀକାକରଣ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ଏହାର କାରଣ ହେଉଛି ଘରୋଇ ହସ୍ପିଟାଲର ଢାଞ୍ଚା ସହ ଟିକାକରଣ ଭଳି କାର୍ଯ୍ୟର କୌଣସି ଭାବେ ସମନ୍ୱୟ ରହୁନାହିଁ, ସେଥିପାଇଁ ଘରୋଇ ହସ୍ପିଟାଲ ଗୁଡ଼ିକ ଏଥିରେ ଆଗ୍ରହ ଦେଖାଉ ନାହାଁନ୍ତି।

Comments are closed.