ଓଡିଶା ନିର୍ମାଣ ନିଗମ ଲିଃ. ରେ ପ୍ରକଳ୍ପ ପରିଚାଳନା ସୂଚନା ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ବର: ଓଡିଶା ନିର୍ମାଣ ନିଗମ ଲି ( ଓ.ସି.ସି.ଏଲ )ତରଫରୁ କରାଯାଉଥୁବା ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଭଲ ଭାବରେ ତଦାରଖ କରି ପ୍ରକଳ୍ପ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଉଚ୍ଚମାନର କମ୍ପ୍ୟୁଟର ବ୍ୟବସ୍ଥାକୃତ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ର ଶୁଭାରମ୍ଭ ଗତକାଲି ଅନୁଷ୍ଠିତ ହୋଇଯାଇଛି ।

ଓସିସିଏଲର ଅଧ୍ୟକ୍ଷା ତଥା ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , ନିଗମର ୨୭୫ ତମ ବୋର୍ଡ ଅଫ୍ ଡିରେକ୍ଟରର୍ସ ( ନିର୍ଦ୍ଦେଶକ ମଣ୍ଡଳୀ ) ବୈଠକରେ ଯୋଗଦାନ ଅବସରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ନିଗମର ପରିଚାଳନାରେ ଥିବା ଉଚ୍ଚ କର୍ତ୍ତୃପକ୍ଷମାନଙ୍କୁ ଏହି ସଫ୍ଟୱେର ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସଫଳତାର ସହିତ ଶେଷ କରିବା ପାଇଁ ଅଧିକ ଅନୁଧାନର ସହ ତଦାରଖ କରିବାରେ ସହାୟକ ହେବ । ଏଣୁ ସହିତ ଏହି ସଫ୍ଟୱେର ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ କାର୍ଯ୍ୟ ଦକ୍ଷତା , ଆର୍ଥିକ କାରବାର ଏବଂ ପ୍ରକଳ୍ପ ସ୍ତରରେ କରାଯାଉଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆଦି ସଂପର୍କରେ ସୂଚନା ପ୍ରଦାନ କରିବ । http://pmis-occ.in ୱେବ୍ ସାଇଟ୍ ବ୍ୟବହାର କରି ଏହି ପ୍ରକଳ୍ପ ପରିଚାଳନା ସୂଚନା ବ୍ୟବସ୍ଥା ଉପଯୋଗ କରାଯାଇପାରିବ ।

ଓଡିଶା ସରକାରଙ୍କ ଏକ ଔଦ୍ୟୋଗିକ ସଂସ୍ଥା ଇଡ୍‌କଲ ସଫ୍ଟୱେର ଲି . ( ଆଇ.ଏସ୍.ଏଲ୍ ) ଦ୍ଵାରା ୬୬ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବିକଶିତ କରାଯାଇଛି । ଏହି ବ୍ୟବସ୍ଥାରେ ରଖାଯାଇଥିବା ତଥ୍ୟକୁ ଓସିସିଏଲ୍ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ଵାରା ଯାଂଚ କରାଯାଇଥିବା ବେଳେ ଆଗାମୀ ଅଗଷ୍ଟ ମାସରୁ ପ୍ରସ୍ତରରୁ ଏବଂ ମୁଖ୍ୟ କାର୍ଯ୍ୟାଳୟର ବ୍ୟବହାରକାରୀଙ୍କୁ ଏହି ସଫ୍ଟୱେର ବ୍ୟବହାର ସଂପର୍କରେ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଦିଆଯିବ ।

ଏହି ୱେବ ସାଇଟ୍‌ରେ ଥିବା ଡ୍ୟାସ୍‌ବୋର୍ଡ ବ୍ୟବହାର କରି ପ୍ରକଳ୍ପସ୍ତରରୁ ମାସିକ ପ୍ରଗତି ବିବରଣୀ , କାର୍ଯ୍ୟ ବାବଦକୁ ବିଲ ପ୍ରଦାନ ଓ କାର୍ଯ୍ୟସ୍ଥିତି ସଂପର୍କରେ ତଥ୍ୟ ଉତ୍ପନ୍ନ କରାଯାଇ ଅନ୍ – ଲାଇନ୍ ଜରିଆରେ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ସ୍ତରରେ ବ୍ୟବସ୍ଥିତ ହୋଇପାରିବ । ଓସିସିଏଲର ଅଧ୍ୟକ୍ଷା , ନିର୍ଦ୍ଦେଶକ ଏବଂ ଅନ୍ୟ ଅଧିକାରୀମାନେ ଡ୍ୟାସବୋର୍ଡ ବ୍ୟବହାର କରି ପ୍ରକଳ୍ପୱାରୀ , ଜିଲ୍ଲା ୱାରୀ , ପ୍ରକଳ୍ପର ପ୍ରକାର ଭେଦ ଏବଂ ପ୍ରକଳ୍ପରୁ ଉପକୃତ ହେଉଥିବା ସେବାର୍ଥୀଙ୍କ ସଂପର୍କରେ ସ୍ଥିତି ଅନୁଧାନ ସହିତ ଧାର୍ଯ୍ୟ ଲକ୍ଷ୍ୟ – ଖର୍ଚ୍ଚ ପରିମାଣ ଗ୍ରାଫରୁ କେତେ କାର୍ଯ୍ୟ ହୋଇଛି , ସେ ସଂପର୍କରେ ଜାଣିପାରିବେ ।

ଏହି କାର୍ଯ୍ୟକ୍ରମରେ ବୋର୍ଡର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍ କୁମାର ସାମଲ , ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ଵତନ୍ତ୍ର ଶାସନ ସଚିବ , ଭିଜିଲାନ୍ସ ତଥା ଓସିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଇଂ. ଅସୀମ କୁମାର ମହାପାତ୍ର , ଓସିସିର ପରିଚାଳନା ନିର୍ଦ୍ଦେଶକ ଚିନ୍ମୟ ରାଉତ , ବୋର୍ଡ ଅଫ୍ ଡିରେକ୍ଟର୍ସର ଅନ୍ୟତମ ସଦସ୍ୟ ଦେବରାଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.