ପର୍ନ ଫିଲ୍ମ ମାମଲାରେ କୁନ୍ଦ୍ରାଙ୍କୁ ଆଉ ଏକ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ

ମୁମ୍ବାଇ: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହୋଇଥିବା ରାଜ୍ କୁନ୍ଦ୍ରାଙ୍କୁ ଆଉ ଏକ ଝଟକା ଲାଗିଛି । ବୁଧବାର ମୁମ୍ବାଇର ଏକ କୋର୍ଟ ରାଜ କୁନ୍ଦ୍ରା ଏବଂ ରିଆନ୍ ଥର୍ପେଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ମଙ୍ଗଳବାର ଦିନ ମାଜିଷ୍ଟ୍ରେଟ କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ।

ଜୁଲାଇ ୧୯ରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ରାଜ୍ କୁନ୍ଦ୍ରାଙ୍କୁ ଅଶ୍ଳୀଳତା ମାମଲାରେ ଗିରଫ କରିଥିଲା। ଏହି ଘଟଣାରେ ସେ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଜଣାପଡିଛି। ତାଙ୍କ ବ୍ୟତୀତ ଅନ୍ୟ ୧୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ରାଜ କୁନ୍ଦ୍ରାଙ୍କ ପୋଲିସ ହେପାଜତ ଜୁଲାଇ ୨୩ରେ ଶେଷ ହୋଇଥିଲା ଯାହା ପରେ ଜୁଲାଇ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ମୁମ୍ବାଇ ପୋଲିସ ଚଳିତ ବର୍ଷ ଫେବୃଆରୀ ୪ରେ ଏକ ମାମଲା ରୁଜୁ କରିଥିଲା, ଯାହା ପରେ ଏନେଇ ତନାଘନା ଜୋର ଧରିଥିଲା। ଯେତେବେଳେ ପୋଲିସ ମାଲାଡ ୱେଷ୍ଟ ଅଞ୍ଚଳରେ ଅବସ୍ଥିତ ଏକ ବଙ୍ଗଳା ଉପରେ ଚଢାଉ କରିଥିଲା, ସେଠାରେ ଏକ ପର୍ଣ୍ଣ ଫିଲ୍ମର ସୁଟିଂ ଚାଲିଥିଲା। ଏହା ପରେ ପୋଲିସ ରାଜ କୁନ୍ଦ୍ରା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିଲା କିନ୍ତୁ ଗିରଫ ପୂର୍ବରୁ ପୋଲିସ ବଳିଷ୍ଠ ପ୍ରମାଣ ସଂଗ୍ରହ କରିବାକୁ ଚାହୁଁଥିଲା।

Comments are closed.