ଖାଦ୍ୟ ସୁରକ୍ଷା ସବୁଠୁ ବଡ଼ କଲ୍ୟାଣ କାର୍ଯ୍ୟକ୍ରମ: ନବୀନ

ରାଜ୍ୟର କେହି ବି ଜଣେ ଯେମିତି ଭୋକରେ କଷ୍ଟ ପାଇବେ ନାହିଁ। ପେଟର ଜ୍ବାଳା ଭୋଗୁଥିବା କେହି ରାଜ୍ୟରେ ରହିବେନି। ସେଥିପାଇଁ ତ ବିଶାଳ ଓଡ଼ିଆ ପରିବାରର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ଉପରେ ସବୁବେଳେ ଗୁରୁତ୍ବାରୋପ କରି ଆସିଛନ୍ତି। ଖୋଦ୍ ତାଙ୍କରି ଭାଷାରେ ”ମୁଁ ସବୁବେଳେ କହିଆସିଛି ଜଣେ ବି ଗରିବ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଏ, ତାହା ଆମର ଲକ୍ଷ୍ୟ” । ଆଉ ସେଇ ଲକ୍ଷ୍ୟ ହାସଲ ପାଇଁ ସେ ଜୁଲାଇ ୨୯ ତାରିଖରେ ଦୁଇଟି ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ଗୋଟିଏ ଦେଶ ଗୋଟିଏ ରେସନ୍ (ଓଏନ୍‌ଓଆର୍) କାର୍ଯ୍ୟକ୍ରମ ଓଡ଼ିଶାରେ ଆରମ୍ଭ ହୋଇଛି। ପୁଣି ଆଦିବାସୀବହୁଳ, ବଣ ଓ ଜଙ୍ଗଲ ଘେରା ଦୁର୍ଗମ ତଥା ସୀମାବର୍ତ୍ତୀ ମାଲକାନଗିରି ଜିଲ୍ଲାବାସୀଙ୍କ ସ୍ବାସ୍ଥ୍ୟର ବିକାଶ ଦୃଷ୍ଟିରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପୁଷ୍ଟିକର ଚାଉଳ ଯୋଗାଣ ଯୋଜନାକୁ କାର୍ଯ୍ୟକାରୀ କରାଇଛନ୍ତି ମୁଖ୍ୟମନ୍ତ୍ରୀ।

ସେ ଓଡ଼ିଶାରେ ରହୁଥିବା ଓଡ଼ିଆ ହେଉ କି ଅଣଓଡ଼ିଆ ବ୍ୟକ୍ତିବିଶେଷ ଅଥବା ଅନ୍ୟ ରାଜ୍ୟରେ ରହୁଥିବା ଓଡ଼ିଆ ପରିବାର, ଯଦି ତାହାର ପଡି କାର୍ଡ ଅଛି, ଏଣିକି ସେ ନିଜ ଘର ନିକଟରେ ତଥା ନିଜ ପସନ୍ଦର ସୁଲଭ ମୂଲ୍ୟ ଦୋକାନରୁ ସହଜ ଓ ସୁବିଧାରେ ରାସନ୍ ସାମଗ୍ରୀ ପାଇପାରିବ। ଏଥିପାଇଁ ତାକୁ ଆଉ ନିଜ ମୂଳ ରହଣୀସ୍ଥାନକୁ ଯିବାକୁ ହେବନି କିମ୍ବା ବହୁ ଦୂର ଅତିକ୍ରମ କରିବାକୁ ପଡ଼ିବନି। ଓଏନ୍‌ଓଆର୍ ଯୋଜନାରେ ସେ ନିଜ ଘର ନିକଟ ସୁଲଭ ମୂଲ୍ୟ ଦୋକାନରୁ ପ୍ରତି ମାସରେ ବିନା ସମସ୍ୟାରେ ଖାଉଟି ସାମଗ୍ରୀ ଆଣିପାରିବ। ରାଜ୍ୟର ୧୦,୫୭୮ଟି ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ। ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ୯୩ ଲକ୍ଷ ପରିବାର ଓ ସାଢ଼େ ୩ କୋଟି ଲୋକ ଉପକୃତ ହେବେ। ପୂର୍ବରୁ କେବଳ ଭୁବନେଶ୍ୱରର ୧୧୭ଟି ସୁଲଭ ମୂଲ୍ୟ ଦୋକାନରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରୁ ସାରା ରାଜ୍ୟର ଲୋକ ଲାଭ ପାଇପାରିବେ।

ସେହିପରି ମାଲକାନଗିରି ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୃଷ୍ଟି ହୋଇଛି ନୂଆ ଏକ ଅଧ୍ୟାୟ। ହୁଏତ ପ୍ରଥମ କରି ଦେଶର କୌଣସି ରାଜ୍ୟରେ ଜନସାଧାରଣଙ୍କ ସ୍ବାସ୍ଥ୍ୟର ବିକାଶ ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି। ଜିଲ୍ଲାବାସୀଙ୍କ ରକ୍ତହୀନତା ଓ ପୁଷ୍ଟିହୀନତା ରୋଗ ଦୂର କରି ସେମାନଙ୍କ ସ୍ବାସ୍ଥ୍ୟକୁ ଅଧିକ ମଜବୁତ କରିବାକୁ ଆରମ୍ଭ ହୋଇଛି ଭିଟାମିନଯୁକ୍ତ ଚାଉଳ ପ୍ରଦାନ ବ୍ୟବସ୍ଥା। ଏହି ଚାଉଳରେ ରହିଛି ଭିଟାମିନ୍ ବି-୧୨, ଫଲିକ୍ ଏସିଡ୍ ଓ ଆଇରନ୍। ଫଳରେ ମାଲକାନଗିରି ଜିଲ୍ଲାର ଆଦିବାସୀମାନେ ଏବେ ଦୈନନ୍ଦିନ ଖାଦ୍ୟ ଭାତରୁ ପାଇପାରିବେ ଆବଶ୍ୟକ ପୁଷ୍ଟିକର ଉପାଦାନ। ଜିଲ୍ଲାର ୧୧୫ଟି ସୁଲଭ ମୂଲ୍ୟ ଦୋକାନ ଜରିଆରେ ୧ ଲକ୍ଷ ୫୭ ହଜାର ପରିବାରର ୫ ଲକ୍ଷ ୪୦ ହଜାର ସଦସ୍ୟ ସଦସ୍ୟା ଲାଭାନ୍ବିତ ହୋଇପାରିବେ। ସେମାନଙ୍କୁ ମାସିକ ଯୋଗାଇ ଦିଆଯିବ ୩୨୦୦ ମେଟ୍ରିକ୍ ଟନ୍ ପୁଷ୍ଟିକର ଚାଉଳ। ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହେବା ପରେ ଆଗାମୀ ଦିନରେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପିଲାମାନଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ଯୋଜନାରେ ମଧ୍ୟ ଏହି ଚାଉଳ ଦିଆଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଥିଲେ ଯେ- ସ୍ୱାଭିମାନର ସହି ବଞ୍ଚିବା ସମସ୍ତଙ୍କର ଅଧିକାର। ଗରିବ ଲୋକଙ୍କୁ ଏହି ଅଧିକାରରୁ କେହି ବଞ୍ଚିତ କରିପାରିବ ନାହିଁ। ଆମର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏହି ଅଧିକାରକୁ ଆମେ ସବୁବେଳେ ସମ୍ମାନ ଜଣାଇ ଆସିଛୁ। ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମର ଉଦ୍ୟମ ଜାରି ରହିବ। ଖାଦ୍ୟ ସୁରକ୍ଷା ରାଜ୍ୟ ସରକାରଙ୍କ ସବୁଠାରୁ ବଡ଼ କଲ୍ୟାଣ କାର୍ଯ୍ୟକ୍ରମ। ୨୦୦୮ରେ ଆପଣଙ୍କ ରାଜ୍ୟ ସରକାର କେଜି ୨ ଟଙ୍କାରେ ଓ ୨୦୧୩ରୁ କେଜି ୧ ଟଙ୍କାରେ ଚାଉଳ ଯୋଗାଇ ଆସୁଛି। ଟଙ୍କିକିଆ ଚାଉଳ ଏବଂ ବିଭିନ୍ନ କଲ୍ୟାଣ ଯୋଜନା ଗରିବଙ୍କ ସାମାଜିକ ସ୍ଥିତିରେ ଉନ୍ନତି ଆଣିପାରିଛି। କେଜି ୧ ଟଙ୍କାରେ ଚାଉଳ ମିଳିବା ଦ୍ଵାରା ଗରିବଙ୍କ ଖାଦ୍ୟ ନିରାପତ୍ତା ମଜବୁତ ହୋଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ- ଭିଟାମିନଯୁକ୍ତ ଚାଉଳରେ ଭିଟାମିନ ବି-୧୨ ଓ ଫଲିକ୍ ଏସିଡ୍ ଥିବାରୁ ଏହା ଗରିବ ଲୋକଙ୍କ ସହିତ ବିଶେଷକରି ମହିଳା ଓ ବାଳିକାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦିଗରେ ବହୁତ ସହାୟକ ହେବ। ଖାଦ୍ୟ ନିରାପତ୍ତା ସହିତ ରାଜ୍ୟ ସରକାର ମାଗଣାରେ ପିଲାଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କରିଛନ୍ତି। ଯୋତା ଠାରୁ ପୋଷାକ, ବହି, ସାଇକେଲ ଆଦି ଯୋଗାଇ ଦେଉଛନ୍ତି ସରକାର। ସ୍ଵାସ୍ଥ୍ୟ ସୁବିଧା ପାଇଁ ସବୁ ସରକାରୀ ଡାକ୍ତରଖାନାରେ ସମସ୍ତଙ୍କ ପାଇଁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି। ଗରିବଙ୍କ ପାଇଁ ବିଭିନ୍ନ ରୋଜଗାର ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ମିଶନ୍ ଶକ୍ତି କାର୍ଯ୍ୟକ୍ରମ ମଧ୍ୟ ଗରିବ ପରିବାରର ମାଆମାନଙ୍କୁ ରୋଜଗାର ଦେଇଛି। ଚାଷୀଙ୍କ ପାଇଁ କାଳିଆ ଯୋଜନା ସାରା ଦେଶରେ ଆଦର ଲାଭ କରିଛି। କୋଭିଡ୍ ମହାମାରୀ ବହୁ ଲୋକ ବିଶେଷ କରି ଗରିବଙ୍କ ରୋଜଗାର ଉପରେ ଗଭୀର ପ୍ରଭାବ ପକାଇଛି। ତେଣୁ ଗରିବଙ୍କ ରୋଜଗାର ପାଇଁ, ଚାଷୀ- ମହିଳା- ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ୨୦୦୦ କୋଟି ଟଙ୍କାର ସହାୟତା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମାଲକାନଗିରି ଠାରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ତଥା ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବ୍ରହ୍ମପୁରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭୁବନେଶ୍ବରରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ଭୁବନେଶ୍ଵର କେନ୍ଦ୍ର ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ସଚିବ ଭି.ଭି.ଯାଦବ ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବିଭାଗର ଅତିରିକ୍ତ ସଚିବ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ସ୍ଵାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍.କେ.ଶର୍ମା ପ୍ରମୁଖ ମଧ୍ୟ ସାମିଲ୍ ହୋଇଥିଲେ।

ବ୍ରହ୍ମପୁରରେ ୩ ଜଣ ହିତାଧିକାରୀଙ୍କୁ ନୂଆ କାର୍ଯ୍ୟକ୍ରମ ଅନ୍ତର୍ଗତ ୨୦ କିଲୋର ଚାଉଳ ପ୍ୟାକେଟ୍ ଦିଆଯାଇଥିଲା। ବ୍ରହ୍ମପୁରରେ କିଛି ବର୍ଷ ହେବ କାମ କରି ରହି ଆସୁଥିବା ପଡୋଶୀ ଆନ୍ଧ୍ରପ୍ରଦେଶର ଏସ୍.ଶଙ୍କର କୁହନ୍ତୁ କିମ୍ବା ବି.ଅଚ୍ୟୁତ ଅଥବା କୁକୁଡାଖଣ୍ଡିର କୃଷ୍ଣଚନ୍ଦ୍ର ସାହୁ ସେମାନେ ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଆରା ନେତୃତ୍ବକୁ ଉଚ୍ଚପ୍ରଶଂସା କରିଛନ୍ତି। ପ୍ରତି ମାସରେ ଆମକୁ ରାସନ୍ ସାମଗ୍ରୀ ଆଣିବା ପାଇଁ ଇଚ୍ଛାପୁରକୁ ଯିବାକୁ ହେଉଥିଲା। ଏବେ ଘର ନିକଟରେ ରାସନ୍ ପାଇଲେ ଆମ ଭଳି ପ୍ରବାସୀ ଓ ମୂଲିଆ ଶ୍ରେଣୀର ଲୋକ ବେଶ୍ ଉପକୃତ ହୋଇପାରିବୁ ବୋଲି ଉଭୟ କହିଛନ୍ତି। ମାଲକାନଗିରିରେ ପ୍ରଥମ କରି ପୃଷ୍ଟିକର ଚାଉଳ ପାଇଥିବା ଅଞ୍ଜନା ସଚ୍ଚି, ରତନ ଦିଆଲ ଓ ଜୟରାମ ବାଗ ମଧ୍ୟ ଜିଲ୍ଲାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦାରତା ସକାଶେ କୃତଜ୍ଞତା ଜଣାଇଛନ୍ତି। ଏହା ଜିଲ୍ଲାବାସୀଙ୍କ ପୃଷ୍ଟିକର ସମସ୍ୟାକୁ ଦୂର କରିବ, ଆମ ପାଇଁ ଏହା ବରଦାନ ବୋଲି କହିଛନ୍ତି ସେଠାକାର ହିତାଧିକାରୀ ଓ ଜନପ୍ରତିନିଧିଗଣ। ସେହିପରି ଭୁବନେଶ୍ବରରେ ଚାଉଳ ଗ୍ରହଣ କରି ବିହାରର ଅନୁପମ ନାଗା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଆରମ୍ଭ ହୋଇଥିବା ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ସୁଫଳ ଜରିଆରେ କେବଳ ଓଡ଼ିଶାରେ ରହୁଥିବା ଓଡ଼ିଆ କିମ୍ବା ଆମ ରାଜ୍ୟରେ ରହୁଥିବା ଅନ୍ୟ ରାଜ୍ୟର ପ୍ରବାସୀ, ଶ୍ରମିକ, ଗରିବ ଲୋକଙ୍କ ସାଙ୍ଗକୁ ଅନ୍ୟ ରାଜ୍ୟରେ ରହୁଥିବା ଓଡ଼ିଆ ପରିବାର ମଧ୍ୟ ବେଶ୍ ଉପକୃତ ହୋଇପାରିବେ। ବାସ୍ତବରେ ଏକ ଜନକଲ୍ୟାଣକାରୀ ଶାସନର ପ୍ରମୁଖ ହିସାବରେ ସମସ୍ତ ଗରିବ, ଆର୍ଥିକ ଦୁର୍ବଳ ଶ୍ରେଣୀ, ଦିନ ମଜୁରିଆ, ଆଦିବାସୀଙ୍କ ହୃଦୟର ଭାଷା ସେ ବୁଝିପାରିଛନ୍ତି। ସେଥିପାଇଁ ତ ଏଭଳି ଯୁଗପଯୋଗୀ ଓ ଯୁଗାନ୍ତକାରୀ ପଦକ୍ଷେପ ନେଇ ସମସ୍ତଙ୍କ ପେଟକୁ ଦାନାର ଯୋଗାଡ଼ କରାଇ ପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କରି ଦୃଢ଼ ନେତୃତ୍ବର ଫଳ ଏୟା ଯେ ଏକଦା ଅନ୍ୟ ରାଜ୍ୟରୁ ଖାଦ୍ୟ ଶସ୍ୟ ଆଣୁଥିବା ଓଡ଼ିଶା ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟଶସ୍ୟ ଯୋଗାଇ ଏକ ବଳକା ରାଜ୍ୟ ଭାବେ ଖାଦ୍ୟ ସୁରକ୍ଷାରେ ଦେଶର ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି। ସେଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଜି ଯାହା କରୁଛନ୍ତି, ସାରା ଦେଶ ତାକୁ ଗ୍ରହଣ କରୁଛି।

Comments are closed.