ଆଜି ଇଂଲଣ୍ଡ ଯିବେ ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ବୀ ଶ’

କଲମ୍ବୋ: ଅଗଷ୍ଟ ୪ ତାରିଖରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ସହ ଯୋଗ ଦେବାକୁ ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ଶ’ ଆଜି ଇଂଲଣ୍ଡ ଯିବେ। ଶ୍ରୀଲଙ୍କା ଗସ୍ତରେ ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ୍ ହେବା ପରେ ଶ’ ଏବଂ ଯାଦବ ଆଇସୋଲେସନରେ ରହିଥିଲେ। ତେବେ ସଦ୍ୟତମ ସୂଚନା ଅନୁଯାୟୀ ଏହି ଦୁଇ ଖେଳାଳି ଆଜି ଇଂଲଣ୍ଡ ଯାଇପାରନ୍ତି।

ଭାରତର ତିନି ଖେଳାଳି ଶୁଭମାନ ଗିଲ୍, ଅବେଶ ଖାନ ଏବଂ ୱାଶିଂଟନ ସୁନ୍ଦରଙ୍କ ଆଘାତ ସମସ୍ୟା ଯୋଗୁଁ ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜ ପାଇଁ ସୂର୍ଯ୍ୟକୁମାର ଏବଂ ଶ’ଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଏହି ଉଭୟ ଖେଳାଳି ବର୍ତ୍ତମାନ ଶ୍ରୀଲଙ୍କାରେ ଅଛନ୍ତି । ସଦ୍ୟ ସମାପ୍ତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଉଭୟ ଖେଳାଳି ଭାରତୀୟ ଦଳର ଅଂଶ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ଦ୍ୱିତୀୟ ଟି-୨୦ ପୂର୍ବରୁ କୃନାଲ ପାଣ୍ଡ୍ୟାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଟିମ୍ ଇଣ୍ଡିଆର ୮ ଜଣ ସଦସ୍ୟଙ୍କ ମଧ୍ୟରେ ଯାଦବ ଏବଂ ଶ’ ଥିଲେ ଯେଉଁମାନେ କୃନାଲଙ୍କ ସହ ସଂସ୍ପର୍ଶରେ ଆସିଥିଲେ। ସେବେଠାରୁ ସମସ୍ତଙ୍କୁ ଅଲଗା ରଖାଯାଇଥିଲା ।

ବ୍ରିଟେନର ଭ୍ରମଣ ଗାଇଡଲାଇନ ଅନୁଯାୟୀ ଶ୍ରୀଲଙ୍କାକୁ ରେଡ୍ ଲିଷ୍ଟରେ ସ୍ଥାନିତ କରାଯାଇଛି। ତେଣୁ ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ଶ’ ଇଂଲଣ୍ଡ ଯାଇପାରିବେ ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ପ୍ରକାଶ ଥାଉକି, ବ୍ରିଟେନରେ ‘ଏଲିଟ୍ ସ୍ପୋର୍ଟସପର୍ସନ୍’ଙ୍କ ପାଇଁ ନିୟମ କୋହଳ କରାଯାଇଛି, ଯାହା ଫଳରେ ଯାଦବ ଓ ଶ’ଙ୍କ ଇଂଲଣ୍ଡ ଯିବା ପଥ ପରିଷ୍କାର ହୋଇଯାଇଛି।

ବ୍ରିଟେନର ବର୍ତ୍ତମାନର ଭ୍ରମଣ ଗାଇଡଲାଇନ ଅନୁଯାୟୀ, ବର୍ତ୍ତମାନ କେବଳ ଗ୍ରୀନ୍ ଲିଷ୍ଟ ଦେଶର ନାଗରିକମାନେ ଏହି ଦେଶକୁ ଯାତ୍ରା କରିପାରିବେ | ତେବେ କ୍ରିକେଟ୍, ଫୁଟବଲ୍ ଏବଂ ଟେନିସ୍ ଖେଳାଳୀଙ୍କୁ ‘ଏଲିଟ୍ ସ୍ପୋର୍ଟସପର୍ସନ୍’ ବର୍ଗରେ ରଖାଯାଇଛି ଏବଂ ସେମାନଙ୍କୁ ଏଠାକୁ ଆସିବାକୁ ଅନୁମତି ଦିଆଯାଇଛି।

Comments are closed.