ନବୀନଙ୍କ ‘ଆଶୀର୍ବାଦ’: କରୋନା କାଳରେ ଅନାଥଙ୍କ ପାଇଁ ଆଦର ପୁଟୁଳୀ

ବଞ୍ଚିବା ପାଇଁ, ବଢିବା ପାଇଁ ଅବଲମ୍ବନ ଲୋଡୁଥିବା ଶିଶୁ ସମାଜ ଦେଶ, କାଳ ନିର୍ବିଶେଷରେ ଯେକୌଣସି ସାମୂହିକ ପ୍ରତିକୂଳତାର ପ୍ରଥମ ପୀଡିତ ହୋଇଥା’ନ୍ତି। ଅକାଳ ବା ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ ବା ଯୁଦ୍ଧ – ପରିବ୍ୟାପ୍ତ ଦୁର୍ଯୋଗ କାଳରେ ସବୁଠୁ ଅସୁରକ୍ଷିତ ଏବଂ ପ୍ରଭାବିତ ହୁଅନ୍ତି ଶିଶୁ। ଅନ୍ତହୀନ ମନେ ହେଉଥିବା ସାମ୍ପ୍ରତିକ ସମୟର କରୋନା ସମ୍ଭବତଃ ଇତିହାସର ସବୁଠାରୁ ଘାତକ ମହାମାରୀ ଏବଂ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି କରୋନା କାଳରେ ନିଜ ପିତାମାତାଙ୍କୁ ହରାଇଥିବା ଅପ୍ରାପ୍ତବୟସ୍କ ଶିଶୁ। ପିତୃମାତୃହରା ହୋଇ ସେମାନଙ୍କ ପାଇଁ ଦିନ ଓ ଜୀବନ ପୂର୍ବବତ୍ ହୋଇ ରହିନାହିଁ। ଭବିଷ୍ୟତ ସଭିଙ୍କ ପାଇଁ ଅନିଶ୍ଚିତ। କିନ୍ତୁ ଅନିଶ୍ଚିତତା ସହ ଏଇ ଅନାଥମାନଙ୍କ ଭବିତବ୍ୟରେ ଯୋଡି ହୋଇଛି ସଂଗ୍ରାମ ଓ କଷଣର ଅନିବାର୍ଯ୍ୟତା।

ଇତିହାସର ଏହି ସମ୍ବେଦନଶୀଳ ଓ ସଙ୍କଟପୂର୍ଣ୍ଣ କ୍ଷଣରେ ଏକ ଜନାଭିମୁଖୀ ସରକାର ଠାରୁ ଅନାଥ ପ୍ରତିପାଳନ ପାଇଁ ପଦକ୍ଷେପର ଅପେକ୍ଷା ରହିବ। ଆଶା ରହିବ ଅନାଥ ପିଲାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ, ପ୍ରତିକୂଳତାର ପ୍ରଭାବକୁ ଉପଶମ କରି ସେମାନଙ୍କ ସ୍ଥିର ଭବିଷ୍ୟତ ସକାଶେ ନିମଗ୍ନ ନୀତି ଓ ଯୋଜନା ପ୍ରଣୟନ କରାଯିବ। ଶିଶୁ ଯତ୍ନରେ କାଳକ୍ଷେପଣ କୌଣସି ସୁସ୍ଥ ସମାଜ ପାଇଁ ସ୍ପୃହଣୀୟ ନୁହେଁ – ତେଣୁ ସରକାରଙ୍କ ଠାରୁ ଆଶୁ ପଦକ୍ଷେପର ଆଶା ରହିବ। ଆଉ ଯେତେବେଳେ ଆଲୋଚନାର ପ୍ରସଙ୍ଗ କୋଭିଡ୍- ୧୯ ଏବଂ ଏଥି ଯୋଗୁଁ ଅନାଥ ପାଲଟିଥିବା ଶିଶୁ, ପ୍ରତ୍ୟାଶା ରହିବ ଯତ୍ନ ଯୋଜନା ବିଳମ୍ବବିହୀନ ଭାବେ ଲାଗୁ ହେଉ।

ଉପରୋକ୍ତ ସବୁ ସ୍ବାଭାବିକ ଅପେକ୍ଷାର ଉତ୍ତର ଓଡିଶା ରାଜ୍ୟ ସରକାରଙ୍କ ପ୍ରଣୀତ ‘ଆଶୀର୍ବାଦ’ ଯୋଜନା। କରୋନା ସମୟରେ ଦରଦୀ ସହାୟତା ରାଜ୍ୟର ସବୁ ପୀଡିତ ଗୋଷ୍ଠୀ, ସବୁ ବିପନ୍ନ ନାଗରିକଙ୍କ ପାଖରେ ପହଞ୍ଚେଇବା ପ୍ରଚେଷ୍ଟାରେ କୌଣସି ତ୍ରୁଟିର ସୁଯୋଗ ସୃଷ୍ଟି କରି ନାହାନ୍ତି ସରକାର। କହିବା ବାହୁଲ୍ୟ, ଶିଶୁ ଗୋଷ୍ଠୀ, ଅନାଥ ଶିଶୁ ଗୋଷ୍ଠୀ ମଧ୍ୟ ସରକାରୀ ପ୍ରଣିଧାନରୁ ବାଦ୍ ଯାଇ ନାହିଁ। ସାରା ଦେଶରେ ସବୁଠାରୁ କମ୍ କରୋନାଜନିତ ବୟସ୍କ ମୃତ୍ୟୁ ସଂଖ୍ୟାର ରାଜ୍ୟ ହେଉଛି ଓଡିଶା। ତଥାପି ଆମ ରାଜ୍ୟ ତତ୍ପର ଓ ପ୍ରଣାଳୀବଦ୍ଧ ପଦକ୍ଷେପ ଗ୍ରହଣ କରିଛି ଯାହାଦ୍ବାରା ମହାମାରୀରେ ଅନାଥ ଓ ଅସହାୟ ପାଲଟି ଯାଇଥିବା ପିଲା ସୁରକ୍ଷିତ ହୋଇ ସମୟକ୍ରମେ ସକ୍ଷମ ନାଗରିକ ହୋଇପାରିବେ। ‘ଆଶୀର୍ବାଦ’ ଯୋଜନାରେ ସେ ସବୁ ଉପାଦାନ ରହିଛି ଯାହାଦ୍ୱାରା ଅଭିଭାବକଙ୍କ ସ୍ନେହ ଯତ୍ନରୁ ବଞ୍ଚିତ, ଅନାଥ ଓ ଦୁର୍ଦ୍ଦିନର ଶିକାର ଛୁଆ ଭବିଷ୍ୟତ ପାଇଁ ନିଜକୁ ଯଥୋଚିତ ଭାବେ ପ୍ରସ୍ତୁତ କରିପାରିବେ। ପ୍ରଥମତଃ କେବଳ ଉଭୟ ବାପ-ମା’ ନୁହନ୍ତି, ବାପା ବା ମା’ ଜଣକୁ ହରାଇ ଥିବା ପିଲାଙ୍କୁ ଯୋଜନା ସୁବିଧାରେ ସାମିଲ୍ କରି ଓ ଦ୍ବିତୀୟତଃ ଛେଉଣ୍ଡ ହେବାର ହେତୁ ଭିତରେ କରୋନା-ଭିନ୍ନ ଅନ୍ୟ କାରଣକୁ ଅନ୍ତର୍ଭୁକ୍ତ କରି ‘ଆଶୀର୍ବାଦ’ ଯୋଜନା ଏହାର ପରିଧିରେ ବ୍ୟାପକ ଏବଂ ପ୍ରଶସ୍ତ ରହିଛି।

ପୁଲକ ଓ ପରିତୃପ୍ତିର କଥା ହେଉଛି ‘ଆଶୀର୍ବାଦ’ ଆଭିମୁଖ୍ୟ ଅନୁଯାୟୀ ଏକ ଶ୍ରଦ୍ଧାଶୀଳ ଯୋଜନା ଏବଂ ପ୍ରଣୟନ ହିସାବରେ ସମୟୋପଯୋଗୀ ଏବଂ ଅନ୍ୟ ରାଜ୍ୟମାନଙ୍କଠୁ ଆଗୁଆ। କରୋନା କାଳରେ ଅନାଥ ପିଲାଙ୍କ ଥଇଥାନ ପାଇଁ ଗତ ଜୁଲାଇ ୨୭ ତାରିଖରେ ଭାରତୀୟ ସୁପ୍ରିମକୋର୍ଟ ଦ୍ବାରା ରାଜ୍ୟମାନଙ୍କୁ ଜାରି କରା ଯାଇଥିବା ନିର୍ଦ୍ଦେଶାବଳୀର ବହୁ ପୂର୍ବରୁ ଓଡିଶାରେ ଏହାର ପରିକଳ୍ପନା ଓ ପ୍ରଣୟନ କରାଯାଇ ସାରିଥିଲା।

ଅସମୟରେ ଦୁର୍ବିପାକ ବା ବିପର୍ଯ୍ୟୟ ହେତୁ ବାପା ମାଆ ଛେଉଣ୍ଡ ହେଉ ଥିବା ଶିଶୁଙ୍କ ରକ୍ଷଣାବେକ୍ଷଣ କରିବା ପ୍ରତ୍ୟେକ ନାଗରିକ-ନିଷ୍ଠ ସରକାରର କର୍ତ୍ତବ୍ୟ। ଶିଶୁ ମନସ୍ତତ୍ତ୍ବର ପରାମର୍ଶ ଅନୁଯାୟୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ପିଲାଙ୍କୁ ଏ ଭଳି ଅନୁଭୂତିଶୀଳ ଭାବେ ଯତ୍ନ ନେବା ଉଚିତ୍ ଯେପରିକି ସେମାନଙ୍କର କୌଣସି ନ୍ୟୁନବୋଧ ରହିବ ନାହିଁ, ସେମାନେ ସାଥୀମେଳରେ ନିଜକୁ ପଛୁଆ ମଣିବେ ନାହିଁ। ଛେଉଣ୍ଡ ଛୁଆଟିଏ ପାଦରେ ଠିଆ ହୋଇ ଭଲ ନାଗରିକରେ ପରିଣତ ହେଲେ ପରିବେଶ, ସମାଜ ଓ ସରକାରଙ୍କ ଆଶୀର୍ବାଦ ପ୍ରୟାସ ଫଳବତୀ ହୁଏ। ସେମାନେ ଅନ୍ୟ ଭାଗ୍ୟବାନ ସମବୟସ୍କଙ୍କ ଭଳି ଗଢି ଉଠନ୍ତି, ଦେଶ ଓ ସମାଜର ବିକାଶରେ ଅଂଶଦାନ କରନ୍ତି। କିନ୍ତୁ ଯଦି ସେମାନଙ୍କୁ ବିପତ୍ତି ପରବର୍ତ୍ତୀ ସମୟରେ ନିଜ ଦଶାରେ ଛାଡ଼ି ଦିଆ ଯାଏ, ସେମାନେ ସମାଜସ୍ରୋତରୁ ବିଚ୍ଛିନ୍ନ ହୋଇ ଅସାମାଜିକ ତତ୍ତ୍ୱଙ୍କ ଶିକାର ହେବାର ଆଶଙ୍କା ରହେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଘୋଷିତ ‘ଆଶୀର୍ବାଦ’ ଯୋଜନା ସେହି ସମସ୍ତ ଶିଶୁଙ୍କ ପାଇଁ ନିଶ୍ଚିତ ଭାବେ ଏକ ଆଶୀର୍ବାଦ ଯେଉଁମାନେ ମହାମାରୀ ସମୟରେ ନିଜ ପିତା ମାତା କିମ୍ବା ଉଭୟ ଅଭିଭାବକଙ୍କୁ ହରାଇଛନ୍ତି। ଏଭଳି ଅନାଥ ପିଲାଙ୍କ ଲାଳନପାଳନରେ ଜଡିତ ସବୁ ପରିବାର ଉପରେ ମଧ୍ୟ ଏହାର ହିତକାରୀ ଏବଂ ମହନୀୟ ପ୍ରଭାବ ପଡିବ। ଏହି ଯୋଜନା ଏକ ପକ୍ଷରେ କରୋନା-ଅନାଥଙ୍କ ଜୀବନଧାରଣ ଓ ଶିକ୍ଷା ସମୃଦ୍ଧିର ରାହା ଦେଖାଇବ। ଅନ୍ୟ ପକ୍ଷରେ ଏହା ନିରୀହ ବିପନ୍ନମାନଙ୍କୁ ଅନିଶ୍ଚିତ ଭବିଷ୍ୟତ ଓ ସନ୍ଦିଗ୍ଧ ସରୁ ଗଳିମାନଙ୍କରେ ହଜି ଯିବାରୁ ରୋକିବ।

ୟୁନିସେଫ୍ ଇଣ୍ଡିଆ ମୁଖ୍ୟ ୟାସ୍ମିନ୍ ହକ୍‌ଙ୍କ କହିବା ପ୍ରକାରେ “ଏହି ଛୁଆମାନେ କେବଳ ଯେ ଏକ ଯନ୍ତ୍ରଣାଦାୟକ ଭାବନା ଦେଇ ଗତି କରୁଛନ୍ତି ତା ନୁହେଁ, ଆହୁରି ମଧ୍ୟ ସେମାନେ ଅବହେଳିତ, ପୀଡିତ ଓ ଶୋଷିତ ହେବାର ସର୍ବାଧିକ ସଙ୍କଟ ଦେଇ ମଧ୍ୟ ଗତି କରୁଛନ୍ତି।” ସମାଜତତ୍ତ୍ବ ଓ ସାମାଜିକ ତଥ୍ୟ ଅନୁଧ୍ୟାନ ସୂଚାଏ ଯେ ଯଥାର୍ଥ ଯତ୍ନ ଅଭାବରେ ଅନାଥ ଶିଶୁ ନିଜର ନିହିତ ମୂଲ୍ୟ ଓ ସାମାଜିକ ପରିଚୟ ହରେଇ ବସନ୍ତି। ସ୍ଥଳ ବିଶେଷରେ ଅବହେଳା, ଶୋଷଣ, ପାରିବାରିକ ହିଂସା, ଅମାନୁଷିକ ଗୋଷ୍ଠୀଙ୍କ ପୀଡନ ତଥା ଯୌନ ବ୍ୟଭିଚାରର ଶରବ୍ୟ ହୁଅନ୍ତି। ଦିଗହରା ହୋଇ ଦୁଷ୍କୃତିର ରାସ୍ତା ଆପଣାନ୍ତି । ଓଡ଼ିଶା ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ‘ଆଶୀର୍ବାଦ’ ଯୋଜନା ସେହି ପିଲାମାନଙ୍କୁ ସେମାନେ ବୟସ୍କ ହେବା ପର୍ଯ୍ୟନ୍ତ ତଥା ଜୀବନର ଆହ୍ବାନର ସମ୍ମୁଖୀନ ହେବାକୁ ଯୋଗ୍ୟ ହେବା ପର୍ଯ୍ୟନ୍ତ ସହାୟତା କରିବ। ଏହି ସ୍କିମ୍ କଠିନ ସମୟରେ ଛୁଆ ଓ ସେମାନଙ୍କ ତତ୍ତ୍ବାବଧାରକଙ୍କ ସକାଶେ ବିଭିନ୍ନ ଭତ୍ତାର ଏକ ଉପଯୁକ୍ତ ମିଶ୍ରଣ। ଶିଶୁ ମନସ୍ତତ୍ତ୍ବର ପ୍ରତିଷ୍ଠିତ ରୀତି ଅନୁଯାୟୀ କୋଭିଡ୍-୧୯ କାରଣରୁ ଅନାଥ ପିଲାଙ୍କ ଯତ୍ନ ଓ ଥଇଥାନ ପାଇଁ ସେମାନଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରାଥମିକତା ଦିଆଯିବାର ବ୍ୟବସ୍ଥା ମଧ୍ୟ ସ୍କିମ୍ ଅନ୍ତର୍ଭୁକ୍ତ।

‘ଆଶୀର୍ବାଦ’ ଯୋଜନାରେ ରହିଛି ବିଶେଷତାରେ ଭରା ସହାୟକ ବ୍ୟବସ୍ଥା ଓ ତ୍ବରିତ ହସ୍ତକ୍ଷେପ ପ୍ରକ୍ରିୟା। ରହିଛି ଏଭଳି ପିଲାଙ୍କ ମାନସିକ ସୁସ୍ଥତା ଓ ସମ୍ବେଦନଶୀଳତା ଉପରେ ଗୁରୁତ୍ବ। ଏଭଳି ଛୁଆଙ୍କୁ ଯଥାଶୀଘ୍ର ଓ ତୁରନ୍ତ ଚିହ୍ନଟ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପକୁ ତାଳ ଦେଇ ବିଭିନ୍ନ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପରତାର ସହ ପଦକ୍ଷେପ ଗ୍ରହଣ କରିଛନ୍ତି। ଯେଉଁମାନଙ୍କ ରହିବା ପାଇଁ କୌଣସି ଜାଗା ନାହିଁ, ସେମାନଙ୍କ ପାଇଁ ଖୋଲିଛି ସ୍ୱତନ୍ତ୍ର ଆଶ୍ରୟ ଗୃହ। ଅନ୍ୟମାନଙ୍କୁ ଚିହ୍ନଟ ସହ ସେମାନଙ୍କ ସମସ୍ତ ଖୋଜଖବର ରଖାଯାଇଛି। ଏଭଳି ସହାୟତା ଆବଶ୍ୟକ କରୁଥିବା ଛୁଆଙ୍କୁ ଚିହ୍ନଟ କରିବା ପାଇଁ ଶିଶୁ ସୁରକ୍ଷା ୟୁନିଟ୍ ବିଭିନ୍ନ ଗାଁରୁ ଗାଁକୁ ବୁଲୁଥିବା ଦେଖିବାକୁ ମିଳିପାରିବ। କେବଳ ଏକ ମାସ ମଧ୍ୟରେ ଏଭଳି ୫ ହଜାରରୁ ଊର୍ଦ୍ଧ୍ବ ପିଲାମାନଙ୍କୁ ଚିହ୍ନଟ କରାଯାଇ ସାରିଲାଣି ଯେଉଁମାନେ ଆଶୀର୍ବାଦ କ୍ଷତିପୂରଣ ପାଇବାକୁ ଯୋଗ୍ୟ।

ଆଶୀର୍ବାଦ ଯୋଜନାରେ ନିଜ ପିତା କିମ୍ବା ମାତା କିମ୍ବା ଉଭୟଙ୍କୁ ହରାଇଥିବା ଛୁଆମାନଙ୍କୁ ଆର୍ଥିକ ହିତାଧିକାରୀର ମାନ୍ୟତା ଦିଆଯିବ। କୋଭିଡ୍- ୧୯ କାରଣରୁ ନିଜର ଯେକୌଣସି ଜଣେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ମଧ୍ୟ ଏହି ସ୍କିମରୁ ସହାୟତା ମିଳିବ। ନିଜର ଉଭୟ ଅଭିଭାବକଙ୍କୁ ହରାଇଥିବା ଛୁଆମାନେ ୧୮ ବର୍ଷର ସାବାଳକ ବା ସାବାଳିକା ହେବା ପର୍ଯ୍ୟନ୍ତ ମାସିକ ୨୫୦୦ ଟଙ୍କାର ଆର୍ଥିକ ସହାୟତା ପାଇବେ। କୋଭିଡ୍ ହେତୁ ନିଜର କୌଣସି ଜଣେ ଅଭିଭାବକଙ୍କୁ ହରାଇଥିବା ଛୁଆଙ୍କ କ୍ଷେତ୍ରରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେବ। ନିଜର ପିତା କିମ୍ବା ମାତା ଯେ କି ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ, ତାଙ୍କୁ ହରାଇଥିବା ଛୁଆଙ୍କୁ ମିଳିବ ମାସିକ ୧୫୦୦ ଟଙ୍କା। ନିଜ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ- ରାଜ୍ୟ ସରକାର ଏକ ପ୍ରତିଶ୍ରୁତିବଦ୍ଧ ଓ ସୁରକ୍ଷିତ ବାତାବରଣ ଯୋଗାଇ ଦେବାକୁ କାର୍ଯ୍ୟ କରୁଛି ଯେଉଁଥିରେ କଠିନ ସମୟରେ ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାଙ୍କ ସର୍ବାଙ୍ଗୀନ ବିକାଶ ସମ୍ଭବପର ହୋଇପାରିବ। ନୂଆ ଯୋଜନା ଦ୍ବାରା ଯେଉଁ ଛୁଆମାନେ ଉପକୃତ ହେବେ ସେମାନେ ନିଜ ପରିବାର ଲୋକ କିମ୍ବା ସମ୍ପର୍କୀୟଙ୍କ ଯତ୍ନରେ ରହିବେ ଓ ସେହି ତତ୍ତ୍ବାବଧାରକଙ୍କୁ ଅନାଥ ପିଲାଙ୍କ ଉପଯୁକ୍ତ ଲାଳନପାଳନ ପାଇଁ ପ୍ରୋତ୍ସାହିତ କରାଯିବ। ପିଲାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ, ତତ୍ତ୍ବାବଧାରକଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ସ୍ଥାନାନ୍ତରଣ କରାଯିବ। ଯଦି କୌଣସି ଛୁଆକୁ ପୋଷ୍ୟ ଭାବେ ଗ୍ରହଣ କରି ନିଆଯାଏ, ତେବେ ଏହି ସୁବିଧା ଆଉ ମିଳିବ ନାହିଁ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ପିଲାମାନେ ନିଃଶୁଳ୍କ ସ୍ବାସ୍ଥ୍ୟ ବୀମା ସୁବିଧା ପାଇବେ। ଏଥି ସହିତ ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ। ପୂର୍ବରୁ ସେମାନେ ଯେଉଁ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ, ସେହି ସ୍କୁଲରେ ହିଁ ପିଲାଏ ପାଠପଢ଼ା ଜାରି ରଖିବେ। ଯଦି ନୂଆ ଅଭିଭାବକ ବା ତତ୍ତ୍ବାବଧାରକ ଅନ୍ୟତ୍ର କେଉଁଠି ରହୁଥାଆନ୍ତି, ତେବେ ସେଠି ପିଲାଙ୍କ ଥଇଥାନ ନିମନ୍ତେ ଯଥାସମ୍ଭବ ପ୍ରୟାସ କରାଯିବ। ଯଦି ସମ୍ଭବ, ଏଭଳି ପିଲାଏ ଯେପରି ଆଦର୍ଶ ବିଦ୍ୟାଳୟ କିମ୍ବା କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ପଢ଼ିପାରିବେ, ସେଥିପାଇଁ ସବୁ ପ୍ରୟାସ କରାଯିବ। ଅନାଥ ଛୁଆଙ୍କ ଉଚ୍ଚଶିକ୍ଷା ସକାଶେ, ସରକାରଙ୍କ ଗ୍ରୀନ୍ ପ୍ୟାସେଜ୍ ସ୍କିମ୍ କାର୍ଯ୍ୟକାରୀ କରାଯିବ।

ଅନାଥ ଛୁଆଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଯୋଗ୍ୟତା ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଯୋଜନାରେ ଗୃହ ଯୋଗାଇଦେବାକୁ ସୁବିଧା ଆଣିଦେବ ‘ଆଶୀର୍ବାଦ’ ସ୍କିମ୍। ଯଦି ସମ୍ପର୍କୀୟ ବା ଅଭିଭାବକ ଅନ୍ୟ କୌଣସି ସରକାରୀ ସାମାଜିକ ଯୋଜନାରେ ଲାଭ ପାଇବାକୁ ଯୋଗ୍ୟ, ତେବେ ସେମାନଙ୍କୁ ହିତାଧିକାରୀ ଭାବେ ବିବେଚିତ କରାଯିବ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଭିଭାବକ ବା ସମ୍ପର୍କୀୟଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରିବ ଓ ପିଲାଙ୍କ ଆବଶ୍ୟକତା ନେଇ ତଦାରଖ କରିବ। ଯଦି ଆବଶ୍ୟକ, ତେବେ ଛୁଆକୁ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଓ ଜୁଭେନାଇଲ ଜଷ୍ଟିସ୍ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଯଦି ଅନାଥ ଛୁଆ କୌଣସି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଛି, ତେବେ ୧୮ ବର୍ଷ ହେବା ପର୍ଯ୍ୟନ୍ତ ତାର ବ୍ୟାଙ୍କ୍ ଆକାଉଣ୍ଟରେ ମାସିକ ୧୦୦୦ ଟଙ୍କା ପୁନଃପୌନିକ ଜମା ଭାବେ ଜମା କରାଯିବ। ଉକ୍ତ ଅନୁଷ୍ଠାନ ଛୁଆର ସମସ୍ତ ଯତ୍ନ ନେବ। କୌଣସି ଜଣେ ଅଭିଭାବକ ଯେ କି ଘରର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ତାଙ୍କୁ ହରାଇଥିବା ଛୁଆ କ୍ଷେତ୍ରରେ ମାସିକ ୧୫୦୦ ଟଙ୍କା ଜୀବିତ ପିତା ବା ମାତା କିମ୍ବା ପିଲାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଜମା କରାଯିବ, ପିଲାର ବୟସ ୧୮ ବର୍ଷ ହେବା ପର୍ଯ୍ୟନ୍ତ। ଯଦି ପିଲାର ମାଆ ମଧୁବାବୁ ପେନସନ୍ ଯୋଜନା ପାଇଁ ଯୋଗ୍ୟ, ତେବେ ବିଧବା ଭତ୍ତା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଲାଭ ପାଇଁ ମଧ୍ୟ ତାଙ୍କୁ ଯୋଗ୍ୟ ବିବେଚନା କରାଯିବ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ଲାଇନ୍ ଓ ପଞ୍ଚାୟତସ୍ତରୀୟ କମିଟି ଆଗଧାଡିର କର୍ମୀ ଓ ସିଭିଲ୍ ସୋସାଇଟି ସଦସ୍ୟଙ୍କ ସହ ମିଶି ଏଭଳି ପିଲାଙ୍କ ତାଲିକା ପ୍ରସ୍ତୁତ କରିବେ। ଯେପରି ପ୍ରତ୍ୟେକଟି ଅସହାୟ ପିଲା ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ, ତାହାକୁ ଦୃଷ୍ଟିରେ ରଖି ବିସ୍ତୃତ ଭାବେ ଓ ପୂର୍ଣ୍ଣାଙ୍ଗ ରୂପେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି।

କିଛି ନଜିର ବିଷୟରେ ଚର୍ଚ୍ଚା କରାଯାଉ। ତିନି ମାସର ଛୁଆ ମମତା – ବ୍ରହ୍ମପୁରର କୋଭିଡ୍- ୧୯ ଯୋଦ୍ଧା ଦେବୀଦତ୍ତଙ୍କ ଏକମାତ୍ର ସନ୍ତାନ। ଦେବୀଦତ୍ତଙ୍କ କରୋନାରେ ମୃତ୍ୟୁ ଘଟିଛି। ତାଙ୍କ ଶିଶୁ ପାଇଁ ଆଶୀର୍ବାଦ ଯୋଜନା ବହୁତ କିଛି ଗୁରୁତ୍ବ ରଖେ। ଦେବୀଦତ୍ତ ବିଭିନ୍ନ ଅନୁଷ୍ଠାନରେ ଅନାଥ ପିଲାଙ୍କ ନିଃସ୍ୱାର୍ଥପର ସେବା ଯତ୍ନ କରି ଆସୁଥିଲେ। ଆଉ ଏବେ ସରକାର ତାଙ୍କ ବଳିଦାନ ପରେ ତାଙ୍କ ଛୁଆର ସମସ୍ତ ଯତ୍ନ ନେବାକୁ ଆଗେଇ ଆସିଛି। ତାର ମାଆ ଆଶୀର୍ବାଦ ଯୋଜନା ଉପରେ ଭରସା କରିଛନ୍ତି ଯେ ସେଥିରୁ ଛୁଆକୁ ଅନେକ କିଛି ସହାୟତା ମିଳିପାରିବ। ବ୍ରହ୍ମପୁରର ଦେବୀଦତ୍ତଙ୍କ ଅନାଥ କନ୍ୟା ‘ଆଶୀର୍ବାଦ’ ଅନ୍ତର୍ଗତ ଏକମାତ୍ର କାହାଣୀ ନୁହେଁ ନିଶ୍ଚୟ। ବାଲେଶ୍ୱର ସହରର ଋତୁକ୍ରିଷ୍ଣା ସିଂହ ଓ ଆଦିତ୍ୟ ସିଂହ ଯେଉଁମାନେ ଯଥାକ୍ରମେ ୧୩ ଓ ୭ ବର୍ଷର ଅଟନ୍ତି, ସେମାନଙ୍କ ଅବସ୍ଥା ମଧ୍ୟ ପ୍ରାୟ ସମାନ। ସେମାନଙ୍କ ଉଭୟ ପିତାମାତା କୋଭିଡ୍-୧୯ରେ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ସେମାନଙ୍କ ଯତ୍ନ ସେମାନଙ୍କ ଜେଜେବାପା ଜେଜେ ମାଆ ନେଉଛନ୍ତି ଯେଉଁମାନେ ଅଧିକ କିଛି କରିବାକୁ ସକ୍ଷମ ନୁହଁନ୍ତି। ଜିଲ୍ଲା ପ୍ରଶାସନ ସେହି ପରିବାର ନିକଟରେ ପହଞ୍ଚିଲା। ସେମାନଙ୍କ ପାଇଁ ଆଶୀର୍ବାଦ ଯୋଜନାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କଲା। ସେମାନେ ୧୮ ବର୍ଷ ହେବା ପର୍ଯ୍ୟନ୍ତ ନିୟମ ମୁତାବକ ଆର୍ଥିକ ସହାୟତା ପାଇ ଚାଲିବେ।

କଲ୍ୟାଣ ଆଭିମୁଖ୍ୟ ପ୍ରଶାସନ ପାଇଁ, ସରକାର ପାଇଁ ସ୍ଥାୟୀ ଓ ଅପରିବର୍ତ୍ତନୀୟ ଆଦେଶପତ୍ର। କିନ୍ତୁ ହିତ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ, ଯୋଜନା ଜନତାଙ୍କୁ ଛୁଇଁବା ପାଇଁ, ଆଶାୟୀ ଅଧିବାସୀ ସହାୟତା ଅନୁଭବ କରିବା ପାଇଁ – ସରକାରଙ୍କୁ ଉଚ୍ଚାରଣ ବା ଘୋଷଣାରୁ ଆଗକୁ ଯିବାକୁ ପଡେ। ସଂଗଠନ ଓ ସମର୍ପଣ ସହ ନିୟୋଜିତ ଭାବେ ଆଭିମୁଖ୍ୟର ରୂପାୟନ କରିବାକୁ ପଡେ। କରୋନା ଭଳି ସଙ୍କଟ ସମୟରେ ଏବଂ ଅନାଥ ଶିଶୁଙ୍କ ଭଳି ନିରୀହ, ପ୍ରାୟ ସ୍ବରହୀନ, ବିପନ୍ନ ସଂପ୍ରଦାୟକୁ ସହାୟତା କଲା ବେଳେ ପ୍ରଶାସନର ନିର୍ଜୀବତା ଭିତରେ ଲୋଡା ହୃଦୟ-ମିଶା ଅଙ୍ଗୀକାରବଦ୍ଧତା, ପୂର୍ଣ୍ଣପ୍ରାଣତା। ନବୀନଙ୍କ ‘ଆଶୀର୍ବାଦ’ରେ ସେଇ ପୂର୍ଣ୍ଣପ୍ରାଣ ଅଛି, ଭରା ହୃଦୟ ଅଛି। ଅଙ୍ଗୀକାର ଅଛି – କରୋନାରେ ଛେଉଣ୍ଡ ଛୁଆ ବାପା କାନ୍ଧର ସାହାରା ଓ ମା’ ପଣତର ଛାଇ ବିନା ଆଗକୁ ବଢିବେ, ଜୀବନ ଜୀଇଁବେ।

Comments are closed.