ଶ୍ରୀକ୍ଷେତ୍ରରେ ହନୁମାନ ଉପାସନା ଅତି ପ୍ରାଚୀନ୍ନ। ପୁରୀ ସଂସ୍କୃତିର ସ୍ୱତନ୍ତ୍ର ପରିଚୟ ପ୍ରତ୍ୟେକ ଯାଗା ଆଖଡାରେ ବଜରଙ୍ଗବଲି ହନୁମାନଙ୍କ ମନ୍ଦିର ଏହାର ପ୍ରତ୍ୟକ୍ଷ ପ୍ରମାଣ। କେବଳ ଯାଗା ଆଖଡା କାହିଁକି ଏହି କ୍ଷେତ୍ରର ପ୍ରତ୍ୟେକ ଗଳି କନ୍ଦିରେ କିଛି ନହେଲେ ଗୋଟିଏ ହନୁମାନ ମନ୍ଦିର ବିଦ୍ୟମାନ ଥିବା ଦେଖିବାକୁ ମିଳେ। ତେବେ ଏ ହନୁମାନ ଉପାସନାର ଧାର କେବେ ଠାରୁ ପ୍ରଚଳିତ ତାହା ଗବେଷଣା ସାଧ୍ୟ ବିଷୟ। ବୀର ବଜରଙ୍ଗବଲି ହନୁମାନ ହେଉଛନ୍ତି ଶ୍ରୀରାମଙ୍କ ପରମ ଭକ୍ତ। ଅବଶ୍ୟ ଗୋସ୍ୱାମୀ ତୁଳସୀ ଦାସଙ୍କ ମତରେ ‘ଜୋଇ ରାମ ସୋଇ ଜଗଦିଶା’। ଅର୍ଥାତ ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ୱୟଂ ଶ୍ରୀରାମ। ଶ୍ରୀରାମଙ୍କ ଦରବାରରେ ଅତୁଳିତ ବଳଧାମ ହନୁମାନ ରହିବା ନିତ୍ୟାନ୍ତ ଅପରିହାର୍ଯ୍ୟ। ହନୁମାନ ଶୌର୍ଯ୍ୟ ଓ ବୀର୍ଯ୍ୟ ର ଜ୍ୱଳନ୍ତ ପ୍ରତିକ ହୋଇଥିବାରୁ କୁସ୍ତି କସରତ ପ୍ରିୟ ପୁରୀବାସ ଙ୍କ ହନୁମାନ ଆରାଧ୍ୟ ହେବା ଏକ ସୁନିଶ୍ଚିତ କାର୍ଯ୍ୟ।
ଶ୍ରୀକ୍ଷେତ୍ର ପୁରୀରେ ଅନେକ ହନୁମାନ ମନ୍ଦିର ଅବସ୍ଥିତ। ପୂର୍ବେ ପୁରୀରେ ପ୍ରଵେଶ କରିବାକୁ ହେଲେ ସମୁଦାୟ ୧୪ ଟି ସମୁଦ୍ର ଓ ନଦୀ ଘାଟ ଦେଇ ପ୍ରବେଶ କରିବାକୁ ପଡୁଥିଲା। ପ୍ରତ୍ୟେକ ଘାଟରେ ଘାଟ ରକ୍ଷକ ଭାବରେ ଏହିସବୁ ହନୁମାନ ପ୍ରତିଷ୍ଠିତ ହୋଇଥିଲେ। ଐତିହାସିକ ପୃଷ୍ଠ ଭୁମୀକୁ ପର୍ଯ୍ୟାଲୋଚନ କଲେ ଜଣାଯାଏ ଆଗେ ଏହି ପାବନ କ୍ଷେତ୍ର ଉପରେ ବାରମ୍ବାର ହିନ୍ଦୁ ବିଦ୍ୱେଶି ଆକ୍ରମଣ ହେଉଥିଲା। ଏହି ଆକ୍ରମଣ କୁ ପ୍ରତିହତ କରିବାକୁ ଶ୍ରୀ ରାମାନନ୍ଦୀ ସମ୍ପ୍ରଦାୟ ଦ୍ୱାରା ପଞ୍ଚରାମାନନ୍ଦୀ ଆଖଡା ପ୍ରତିଷ୍ଠା କରାଯାଇଥିଲା। ବିଶେଷ କରି ସେମାନେ ହନୁମାନ ଉପାସକ ଥିବାରୁ ପ୍ରତ୍ୟେକ ପ୍ରବେଶ ପଥରେ ହନୁମାନଙ୍କୁ ପ୍ରତିଷ୍ଠା କରି ଏହି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିଲେ।
କେବଳ ହିନ୍ଦୁବିଦ୍ୱେଶି କାହିଁକି ଏପରିକି ମହାରାଷ୍ଟ୍ରର ବର୍ଗୀମାନେ ମଧ୍ୟ ଅଶ୍ୱପୃଷ୍ଠ ରେ ଆସି ଶ୍ରୀକ୍ଷେତ୍ରେର ଏହାର ବିପଦର କାରଣ ମଧ୍ୟ ଥିଲେ। ଧର୍ମୀୟ ବ୍ୟବସ୍ଥା ବଳିରେ ସେମାନେ ହନୁମାନ ଉପାସକ ଥିଲେ। ଏହି କାରଣ ରୁ କ୍ଷେତ୍ରର ପ୍ରଵେଶ ପଥରେ ହନୁମାନଙ୍କୁ ପ୍ରତିଷ୍ଠା କରାଯାଇଥିଲା, ଯାହାଫଳରେ ସେମାନେ ହନୁମାନଙ୍କୁ ଅତିକ୍ରମ କରି ପୁରୀକୁ ପ୍ରବେଶ କରିପାରି ନଥିଲେ। ଫଳରେ ଏହି କ୍ଷେତ୍ରକୁ ବାହ୍ୟ ଆକ୍ରମଣରୁ ରକ୍ଷା କରାଯାଇ ପାରିଥିଲା।
ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ପୁରୁଷୋତ୍ତମ ଧାମକୁ ଅଷ୍ଟସମ୍ଭୁ ଓ ଅଷ୍ଟଶକ୍ତିଙ୍କ ସହିତ ଭକ୍ତଶ୍ରେଷ୍ଠ ଅଷ୍ଟମହାବିର ଚାରି ଦିଗରୁ ସୁରକ୍ଷା ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ଅଠରନଳା ଘାଟ ଆଲାମ ଚଣ୍ଡୀ ସମ୍ମୁଖ ଏକ କ୍ଷୁଦ୍ର ମନ୍ଦିରରେ ହନୁମାନ ଉପାସିତ। ଲୋକ ମୁଖରେ ସିଏ ମକରଧ୍ୱଜ ହନୁମାନ। ଏହି ସ୍ଥାନରେ ଭେଣ୍ଡିଆ ଯୁବକମାନେ ନିଜର ତଥା ସହରର ସୁରକ୍ଷା ପାଇଁ ଶରୀର ଚର୍ଚ୍ଚା କରିଥାନ୍ତି। କଥାବସ୍ତୁ ଆଧାର ରେ ଏକଦା କାମଦେବ ଶ୍ରୀକ୍ଷେତ୍ରରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହି କ୍ଷେତ୍ର ଏକ ଶାଶ୍ୱତ କ୍ଷେତ୍ର ହୋଇଥିବାରୁ ଘାଟ ରକ୍ଷକ ମକରଧ୍ୱଜ ହନୁମାନ ତାଙ୍କୁ ଶ୍ରୀକ୍ଷେତ୍ର ପ୍ରବେଶ କରିବାକୁ ବାରଣ କରିଥିଲେ। କିନ୍ତୁ କାମଦେବ କଥା ନ ମାନି ତାଙ୍କ ସହିତ ଯୁଦ୍ଧ କରି ପରାଜିତ ହୋଇ ଫେରି ଯାଇଥିଲେ। ମକରଧ୍ୱଜ ହନୁମାନ ଙ୍କ ବିଶେଷତ୍ୱ ହେଉଛି ଏହାଙ୍କ ଗୋଟିଏ ହାତରେ ଖଡ୍ଗ ଅନ୍ୟ ହାତରେ ବିଜୟ ଧ୍ବଜା ଧାରଣ କରିଛନ୍ତି। ଏହି ହନୁମାନ ଙ୍କୁ ଦର୍ଶନ କଲେ ହୃଦୟ ୟରୁ କାମ ଭାବ ଦୂର ହୋଇଥାଏ ବୋଲି ବିଶ୍ଵାସ ରହିଛି। ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ସମ୍ମିଳିତ ଥିବା ଏହି ହନୁମାନ ଆମ ଧର୍ମ, ପରମ୍ପରା ଓ ଐତିହ୍ୟର ମୁକ ସାକ୍ଷୀ।
Comments are closed.