ବୟସ୍କ ବ୍ୟକ୍ତିଙ୍କଠାରେ ଅକ୍ସଫୋର୍ଡ କୋଭିଡ୍ ଟିକା ଫଳପ୍ରଦ

ଲଣ୍ଡନ – ଆଷ୍ଟ୍ରାଜେନେକା ପିଏଲସି  ସହଭାଗିତାରେ କରୋନା ଟିକା ବିକଶିତ କରୁଥିବା ଅକ୍ସଫୋର୍ଡ ୟୁନିଭରସିଟି ଏକ ବଡ଼ ସଫଳତା ପାଇଛି । ଅକ୍ସଫୋର୍ଡ ୟୁନିଭରସିଟି ଦାବି କରିଛି ଯେ ପରୀକ୍ଷାରେ ବୟସ୍କ ବ୍ୟକ୍ତିଙ୍କ ଚିକିତ୍ସାରେ ଏହାର ଟିକା ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହି ଟିକା ୫୬-୬୯ ବର୍ଷର ସୁସ୍ଥ ବୟସ୍କ ଏବଂ ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କଠାରେ ଏକ ମଜବୁତ୍ ପ୍ରତିରୋଧ ପ୍ରତିକ୍ରିୟା ସୃଷ୍ଟି କରୁଛି ବୋଲି ଅକ୍ସଫୋର୍ଡ କହିଛି ।

ବିଶ୍ୱର ଅନ୍ୟତମ ଅଗ୍ରଣୀ  ଫାର୍ମା କମ୍ପାନୀ  ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ହେଉଥିବା ଅକ୍ସଫୋର୍ଡ ଟିକାର ବ୍ରିଟେନ ପୂର୍ବରୁ ୧୦୦ ମିଲିୟନ୍ ଡୋଜ୍ ଅର୍ଡର କରିସାରିଛି। ଭାରତରେ ଏହି ଟିକା ଯୋଗାଣ ପାଇଁ ଆଷ୍ଟ୍ରାଜେନେକା ସହ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଚୁକ୍ତି କରିଛି  ।

ଅକ୍ସଫୋର୍ଡ ୟୁନିଭରସିଟି ୫୬୦ ସୁସ୍ଥ ସ୍ବେଚ୍ଛାସେବୀଙ୍କ ଉପରେ ଏହି ଟିକା ପରୀକ୍ଷା କରିଥିଲା । ପରୀକ୍ଷା ସମୟରେ ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି ଏବଂ ଟିକା
ପ୍ରୟୋଗ କରାଯିବା ପରେ ସ୍ବେଛାସେବୀମାନେ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଅନୁଭବ କରିନଥିଲେ । ସବୁଠାରୁ ଭଲ କଥା ହେଉଛି ଅଧିକ ବୟସ ବର୍ଗର ଲୋକଙ୍କ କ୍ଷେତ୍ରରେ ଏହା ସମାନ ଭାବେ ପ୍ରଭାବୀ ସାବ୍ୟସ୍ତ ହୋଇଛି । ସୂଚନାଯୋଗ୍ୟ ଯେ, ବୟସ୍କ ଲୋକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ଅଧିକ ବିପଦ ରହିଥାଏ । ମୋଟ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କ ସଂଖ୍ୟା ୫୫ ବର୍ଷରୁ ଅଧିକ । ଏଭଳି ସ୍ଥଳେ କରୋନା ଚିକିତ୍ସାରେ ଏହା ଏକ ବଡ଼ ସଫଳତା ବୋଲି କୁହାଯାଇଛି ।

ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ୟୁନିଭରସିଟିର ତୃତୀୟ ପର୍ଯ୍ୟାୟ  ପରୀକ୍ଷା ଫଳାଫଳ ମଧ୍ୟ ଶୀଘ୍ର ସାର୍ବଜନୀନ ହେବ ।

Comments are closed.