ଆଇସିଏମ୍ଆର୍ ଅଧ୍ୟୟନରେ ଦାବି: ଡେଲଟା ପ୍ଲସ୍ ଭାରିଆଣ୍ଟ ଉପରେ କୋଭାକ୍ସିନ୍ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଦେଶରେ କରୋନା ବିରୋଧରେ ଚାଲିଥିବା ଲଢ଼ଇ ମଧ୍ୟରେ ଏକ ବଡ଼ ତଥା ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ଉପରେ କୋଭାକ୍ସିନ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି।

ଭାରତରେ ସମ୍ପ୍ରତି ଚିହ୍ନଟ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ଅତ୍ୟନ୍ତ ବିପଜ୍ଜନକ ଏବଂ ସଂକ୍ରାମକ ଅଟେ। କିନ୍ତୁ ସରକାରୀ ପ୍ୟାନେଲ୍ ‘ଇନସାକୋଗ’ ସ୍ପଷ୍ଟ କରିଛି ଯେ ଡେଲ୍ଟାରୁ ସୃଷ୍ଟି ହୋଇଥିବା ଡେଲଟା ପ୍ଲସ୍ ଭାରିଆଣ୍ଟ, ଡେଲଟା ଅପେକ୍ଷା କମ୍ ସଂକ୍ରାମକ ହୋଇପାରେ। ଇନସାକୋଗ କହିଛି ଯେ ଏଓ୍ବାଇ.୩କୁ ଡେଲ୍ଟାର ଏକ ନୂତନ ଉପଜାତି ଭାବରେ ଚିହ୍ନଟ କରାଯାଇଛି | ଏହି ମ୍ୟୁଟାଣ୍ଟ ବିଷୟରେ ଏପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ନାହିଁ, କିନ୍ତୁ ଏହାକୁ ନିରନ୍ତର ତଦାରଖ କରାଯାଉଛି | ଏଯାବତ୍ ୮୬ ଟି ଦେଶରେ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି |

କୋଭିଡର ତୃତୀୟ ଲହରୀର ଭୟ ମଧ୍ୟରେ ଡେଲ୍ଟା ଭାରିଆଣ୍ଟରୁ ସଂକ୍ରମଣ ମାମଲା ବଢିପାରେ ବୋଲି ବିଶେଷଜ୍ଞମାନେ ବର୍ତ୍ତମାନ ଚେତାବନୀ ଦେଇଛନ୍ତି ।

ଏହା ଚିକେନ୍ପକ୍ସ ପରି ସହଜରେ ବ୍ୟାପିଥାଏ | ଇଣ୍ଡିଆନ୍ ସାରସ୍-କୋଭି-୨ ଜେନୋମିକ୍ କନ୍ସୋର୍ଟିୟମ୍ (ଇନସାକୋଗ) ର ତଥ୍ୟ ଅନୁଯାୟୀ, ମେ, ଜୁନ୍ ଏବଂ ଜୁଲାଇରେ ପ୍ରତି ୧୦ଟି କୋଭିଡ୍ ମାମଲାରୁ ପ୍ରାୟ ୮ଟି ମାମଲା ଅତ୍ୟଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟ ଥିଲା।

ଭାରତରେ କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଟିକା କୋଭିଶିଲ୍ଡର ମିଶ୍ରଣରେ ଏକ ନୂତନ ଡୋଜ୍ ପ୍ରସ୍ତୁତ କରିବାକୁ ଭାରତରେ ମଧ୍ୟ ପ୍ରୟାସ କରାଯାଉଛି। ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସକୋ) ର ବିଷୟ ବିଶେଷଜ୍ଞ କମିଟି (ଏସ୍ଇସି) କୋଭାକ୍ସିନ୍ ଏବଂ କୋଭିଶିଲ୍ଡର ଡୋଜର ମିଶ୍ରଣ ଅଧ୍ୟୟନର ଅନୁମୋଦନ ପାଇଁ ସୁପାରିଶ କରିଛି | ସୂତ୍ରରୁ ପ୍ରକାଶ ଯେ ଏହି ଅଧ୍ୟୟନ ଖ୍ରୀଷ୍ଟିଆନ ମେଡିକାଲ କଲେଜ (ସିଏମସି ଭେଲୋର) ରେ କରାଯିବ।

Comments are closed.