ସାରୁଅ ଜମି ଦୁର୍ନୀତି ମାମଲାରେ ଓଆଇପିଏଲକୁ ଶକ୍ତ ଧକକା , ମାମଲା ରଦ୍ଦ ଆବେଦନ ହାଇକୋର୍ଟରେ ଖାରଜ, ଅନ୍ତରୀଣ ସୁରକ୍ଷା ହଟିଲା ପରେ ପଣ୍ଡା ଦମ୍ପତିଙ୍କ ପାଇଁ ଅଡୁଆ ବୃଦ୍ଧି

ଭୁବନେଶ୍ୱର- ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲାରେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ –ଓଆଇପିଏଲକୁ ଶକ୍ତ ଧକକା ଲାଗିଛି । କ୍ରାଇମବ୍ରାଂଚ ଅର୍ଥନୈତିକ ଶାଖା-ଇଓଡବ୍ଲୁ ଥାନା ପକ୍ଷରୁ ହୋଇଥିବା ମାମଲାକୁ ଚାଲେଞ୍ଜ କରି ଓଡିଶା ଇନଫ୍ରାଟେକ୍ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଫଳରେ କଂପାନିର ପ୍ରମୁଖ ସେୟାର ହୋଲଡର ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କୁ ଝଟକା ଲାଗିଛି । ସେମାନଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ସେମାନେ ଗିରଫ ବି ହୋଇପାରନ୍ତି । ଏହି ମାମଲାରେ ଜଗି ମଙ୍ଗତ ଓ ବୈଜୟନ୍ତ ପଣ୍ଡାଙ୍କ ଅନ୍ତରୀଣ ସୁରକ୍ଷା ହଟାଇ ଦେଇଛନ୍ତି ହାଇକୋର୍ଟ । ଏଥିସହ ମାମଲା ରଦ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଏହି ମାମଲାରେ ଜଷ୍ଟିସ ବି.ପି ରାଉତରାୟଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଗତ ୧୩ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ଆଜି ରାୟ ଶୁଣାଇଛନ୍ତି କୋର୍ଟ । ମାମଲାର ତଦନ୍ତ ଚାଲିଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ । ଏଥିସହିତ ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ଉଠାଇ ଦିଆଯାଇଛି ବୋଲି ରାୟରେ ଉଲ୍ଲେଖ କରାଯାଇଛି । ହାଇକୋର୍ଟଙ୍କ ଏହି ରାୟ ପଣ୍ଡା ଦଂପତିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

କଂପାନିର ପ୍ରମୁଖ ଅଂଶୀଦାର ତଥା ପ୍ରମୋଟର ଜଗି ମଙ୍ଗତ ପଣ୍ଡା ଓ ତାଙ୍କ ସ୍ୱାମୀ ବୈଜୟନ୍ତ ପଣ୍ଡାଙ୍କ ଗିରଫଦାରୀ ଉପରେ ଗତ ୫ ତାରିଖରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଗତ ୧୩ ତାରିଖ ଦିନ ମାମଲାର ରାୟ ପ୍ରକାଶ ପର୍ଯ୍ୟନ୍ତ ଏହି ଅନ୍ତରୀଣ ସୁରକ୍ଷା ବଜାୟ ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ୧୩ ତାରିଖରେ ଶୁଣାଣି ବେଳେ ଦ୍ୱିତୀୟ ଆବେଦନକାରୀ ଥିବା ମନୋରଂଜନ ଷଡଙ୍ଗୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ସେ ଓଡିଶା ଇନଫ୍ରାଟେକ୍ ସଂସ୍ଥାର ସିଇଓ ଏବଂ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇସାରିଛନ୍ତି । ତେଣୁ ମାମଲାରେ ଆବେଦନକାରୀ ଭାବେ ସେ ଆଗକୁ ଯିବାକୁ ଚାହୁଁନାହାନ୍ତି ବୋଲି ଷଡଙ୍ଗୀ ଦର୍ଶାଇଥିଲେ । ଏହାପରେ ଖଣ୍ଡପୀଠ ଏହି ମାମଲାରୁ ମନୋରଂଜନ ଷଡଙ୍ଗୀଙ୍କୁ ବାଦ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଇଓଡବ୍ଲୁ ମାମଲାକୁ ଚ୍ୟାଲେଞ୍ଜ କରି ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍‌, ମନୋରଂଜନ ଷଡଙ୍ଗୀ ଓ ଶିବପ୍ରସାଦ ହରିଚନ୍ଦନଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ପ୍ରଥମରୁ ଜଗି ଓ ବୈଜୟନ୍ତ ମାମଲା ବିରୋଧରେ ଆବେଦନ କରି ନ ଥିଲେ । ପରେ ସେମାନେ ମାମଲା ବିରୋଧରେ ଆବେଦନ କରିଥିଲେ ।

ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କୁ ମୋହରା କରି ଜମି ତଫସିଲଭୁକ୍ତ ଜାତିଙ୍କ ଜମି ହଡପ କରାଯାଇଥିବା ଓଆଇପିଏଲ ବିରୋଧରେ ଅଭିଯୋଗ ହୋଇଛି ।

Comments are closed.