୨୦୨୦-୨୧ ବର୍ଷ ପାଇଁ ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ, ୧୧ ହଜାର ୨ ଶହ କୋଟି ଟଙ୍କାର ବ୍ୟୟବରାଦ, ମହାମାରୀକୁ ଆଖି ଆଗରେ ରଖି ‘ଆବଂଟନର ପୁନଃ ପ୍ରାଥମିକତା’ ଉପରେ ଜୋର୍

ଭୁବନେଶ୍ୱର- ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ୨୦୨୦-୨୧ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହି ଅତିରିକ୍ତ ବଜେଟରେ ୧୧ ହଜାର ୨ ଶହ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । କୋରୋନା ମହାମାରୀକୁ ଆଖି ଆଗରେ ରଖି ଚଳିତବର୍ଷ ଅତିରିକ୍ତ ବଜେଟରେ ‘ଆବଂଟନର ପୁନଃ ପ୍ରାଥମିକତା’ ଉପରେ ଜୋର୍ ଦିଆଯାଇଛି । ପରିବେଶ ଅନୁକୂଳ ପଦକ୍ଷେପ ସ୍ୱରୂପ ‘ଇଲେକଟ୍ରିକ୍ ଫର୍ମ’ରେ ବଜେଟ୍ ଉପସ୍ଥାପନ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ।

ମୋଟ ୧୧ ହଜାର ୨ ଶହ କୋଟି ଟଙ୍କା ବ୍ୟୟ ବରାଦର ଅତିରିକ୍ତ ବଜେଟରେ ପ୍ରଶାସନିକ ବ୍ୟୟ ବାବଦକୁ ୨ ହଜାର ୨ ଶହ ୭୩ କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭ ହଜାର ୪ ଶହ ୩୮ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୧ ହଜାର ୪ ଶହ ୮୪ କୋଟି ଟଙ୍କା ଓ ରାଜ୍ୟ ବଜେଟରୁ ସ୍ଥାନୀୟ ସଂସ୍ଥାକୁ ହସ୍ତାନ୍ତର ବାବଦକୁ ୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

କୋଭିଡ ପରିଚାଳନା ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ବିଭିନ୍ନ ପ୍ୟାକେଜ ଘୋଷଣା କରିଛନ୍ତି । ଏହା ବ୍ୟତୀତ କିଛି ବୃହତ ପ୍ରକଳ୍ପଗୁଡିକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଚିହ୍ନଟ କରାଯାଇଛି । ସମସ୍ତ ପ୍ରତିବଦ୍ଧତା ଓ ଚାଲୁ ରହିଥିବା ପ୍ରକଳ୍ପ /ଯୋଜନା ନିମନ୍ତେ ସଂପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଥିବା ଅର୍ଥ ମନ୍ତ୍ରୀ ବଜେଟ୍ ଭାଷଣରେ ଉଲ୍ଲେଖ କରିଛନ୍ତି ।

କୋଭିଡ ମହାମାରୀ ରାଜ୍ୟର ଅର୍ଥବ୍ୟବସ୍ଥାକୁ ଗଭୀର ଭାବେ ପ୍ରଭାବିତ କରିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ଏହା ଦ୍ୱାରା ରାଜ୍ୟ ସରକାରଙ୍କ ରାଜସ୍ୱ ଆଦାୟ ଓ ଲକଡାଉନ ଯୋଗୁଁ ଖର୍ଚ୍ଚର ଧାରା ମଧ୍ୟ ପ୍ରଭାବିତ ହୋଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ଶେଷ ସୁଦ୍ଧା ମୁଖ୍ୟତଃ କେନ୍ଦ୍ରୀୟ ହସ୍ତାନ୍ତର କମି ଯାଇଥିବାରୁ ମୋଟ ରାଜସ୍ୱ ପ୍ରାପ୍ତି ପ୍ରାୟ ୬ ଦଶମିକ ୫ ପ୍ରତିଶତ ହ୍ରାସ ପାଇଛି । ଏହି ଅବଧି ମଧ୍ୟରେ ମହାମାରୀର ପ୍ରଭାବ ସତ୍ୱେ ରାଜ୍ୟର ନିଜସ୍ୱ ରାଜସ୍ୱ ୧ ଦଶମିକ ୭ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦ ସେପଟେମ୍ବର ସୁଦ୍ଧା ରାଜ୍ୟର ରାଜସ୍ୱ ବଳକା ୬ ହଜାର ୭୯୦ କୋଟି ଟଙ୍କା ଓ ସମୁଦାୟ ଋଣ ଭାର ୯୭ ହଜାର ୮ ଶହ ୨୩ କୋଟି ଟଙ୍କା ଯାହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି )ର ୧୬ ଦଶମିକ ୪ ପ୍ରତିଶତ ।

ନୂଆ କୋଭିଡ ମାମଲା ହ୍ରାସ ଓ ଧୀରେ ଧୀରେ ଅର୍ଥବ୍ୟବସ୍ଥା ଖୋଲିବା ଦ୍ୱାରା ଗତ କିଛି ମାସ ମଧ୍ୟରେ ରାଜସ୍ୱ ପ୍ରାପ୍ତିରେ ଅଭିବୃଦ୍ଧି ପରିଲକ୍ଷିତ ହେଉଥିବା ବଜେଟରେ ଉଲ୍ଲେଖ କରାଯାଇଛି । ଅଧିକ ରାଜସ୍ୱ ଆଦାୟ ଏବଂ ଋଣ ଉପରେ ନିର୍ଭରଶୀଳତା କମାଇବା ପାଇଁ ବକେୟା ରାଜସ୍ୱ ଆଦାୟ ଏବଂ ସମ୍ବଳ ପ୍ରତ୍ୟାବର୍ତନ ଉପରେ ଗୁରୁତ୍ୱ ଦିଆଯାଉଥିବା ଅତିରିକ୍ତ ବଜେଟରେ ଉଲ୍ଲେଖ ରହିଛି । ଏଥିସହ ଅର୍ଥ ବ୍ୟବସ୍ଥାର ପୁନଃରୁଦ୍ଧାର ପାଇଁ ପ୍ରାଥମିକତା କ୍ଷେତ୍ରଗୁଡିକରେ ଅଧିକ ଖର୍ଚ୍ଚ ପାଇଁ ପ୍ରୟାସ ଜାରି ରହିଥିବା ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି ।

Comments are closed.