ପାକ୍ ହାଇକମିଶନ ଅଧିକାରୀଙ୍କୁ ପୁଣି ଭାରତର ସମନ, ଆତଙ୍କୀ ଆକ୍ରମଣ ଯୋଜନା ନେଇ ଦୃଢ଼ ପ୍ରତିବାଦ ଜଣାଇଲା | News Room Odisha

ପାକ୍ ହାଇକମିଶନ ଅଧିକାରୀଙ୍କୁ ପୁଣି ଭାରତର ସମନ, ଆତଙ୍କୀ ଆକ୍ରମଣ ଯୋଜନା ନେଇ ଦୃଢ଼ ପ୍ରତିବାଦ ଜଣାଇଲା

ନୂଆଦିଲ୍ଲୀ – ଭାରତରେ ଆତଙ୍କୀ ଆକ୍ରମଣ ଯୋଜନାର ପର୍ଦ୍ଦାଫାସ୍ ହେବା ପରେ ଭାରତ ଶନିବାର ପୁଣି ପାକିସ୍ତାନ ହାଇକମିଶନ ଅଧିକାରୀଙ୍କୁ ସମନ କରିଛି । ଦେଶରେ ପାକ୍ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣ ଷଡ଼ଯନ୍ତ୍ର ନେଇ ଭାରତ ଦୃଢ଼ ପ୍ରତିବାଦ ଜଣାଇଛି । ଗୁରୁବାର ଜାମ୍ମୁକାଶ୍ମୀରର ନାଗ୍ରୋଟାରେ ହୋଇଥିବା ଏନକାଉଣ୍ଟରେ ଚାରି ଜୈସ ଆତଙ୍କବାଦୀ ନିହତ ହୋଇଥିଲେ ।

ସେମାନଙ୍କ ଠାରୁ ଏକେ-୪୭, ଗ୍ରେଡେନ ସହ ଔଷଧ ଓ କିଛି ଇଲେକ୍ଟ୍ରୋନିକ ସାମଗ୍ରୀ ଜବତ କରାଯାଇଥିଲା । ନିହତ ଆତଙ୍କବାଦୀ ୨୬/୧୧ ମୁମ୍ବାଇ ଆକ୍ରମଣ ବାର୍ଷିକୀରେ ଭାରତରେ ବଡ଼ ଆକ୍ରମଣ ଯୋଜନା କରିଥିଲେ ବୋଲି ଗୁଇନ୍ଦା ସୂଚନା ମିଳିଥିଲା ।

ନାଗ୍ରୋଟା ଏନକାଉଣ୍ଟ ପରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଓ ଅନ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ । ପାକ୍ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ପଣ୍ଡ କରିଥିବାରୁ ପ୍ରଧାନମନ୍ତ୍ରୀ ସୁରକ୍ଷାକର୍ମୀଙ୍କୁ ପ୍ରଶଂସା କରିଥିଲେ ।