ଚଳିଲା ନାହିଁ ବାହାନା ଓ ସରକାର ବିରୋଧୀ ବୟାନବାଜି, ହାଇକୋର୍ଟରୁ ନିରାଶ ହେଲା ପରେ ସରୁଅ ଜମି କେଳେଙ୍କାରୀରେ ପଣ୍ଡା ଦଂପତିଙ୍କ ଗିରଫଦାରୀ ପାଇଁ ପଥ ପରିଷ୍କାର

ଭୁବନେଶ୍ୱର- ଷଡଯନ୍ତ୍ର କରି ଅସତ ଉପାୟରେ ଦଳିତଙ୍କ ଜମି ହଡପ ମାମଲାରେ କ୍ରାଇମବ୍ରାଂଚର ଅର୍ଥନୌତିକ ଅପରାଧ ଶାଖା କରିଥିବା ଏତଲା ରଦ୍ଦ ପାଇଁ ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖାନ କରିଦେଲା ପରେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ-ଓଆଇଟିପିଏଲର ପ୍ରମୁଖ ଅଂଶୀଦାର ଜଗି ମଙ୍ଗତ ପଣ୍ଡା ଓ ସ୍ୱାମୀ ବୈଜୟନ୍ତ ପଣ୍ଡା ଏହି ମାମଲାରେ ଗିରଫ ହେବାର ପଥ ପରିଷ୍କାର ହୋଇଯାଇଛି । ଗିରଫଦାରୀ ଉପରେ ପଣ୍ଡା ଦଂପତିଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ହାଇକୋର୍ଟ ହଟାଇ ଦେଇଛନ୍ତି । ଫଳରେ ତଦନ୍ତକାରୀ ସଂସ୍ଥା ସେମାନଙ୍କୁ ଗିରଫ କରିପାରିବେ । ତଦନ୍ତକାରୀ ସଂସ୍ଥା ପାଇଁ ଏ ଦିଗରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଆଇନର ଜାଲରୁ ମୁକୁଳିବା ପାଇଁ ପଣ୍ଡା ଦଂପତିଙ୍କ ବାହାନା ଆଉ କାମ କରିନାହିଁ ।

ଜମି ହଡପ ମାମଲାରେ ତଦନ୍ତ ଚାଲୁଥିବାରୁ ଏଥିରେ ହସ୍ତକ୍ଷେପ ପାଇଁ ଚାହାନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ଏହି ମାମଲାରେ ଜଗି ମଙ୍ଗତ ପଣ୍ଡା ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ ମଧ୍ୟ ହାଇକୋର୍ଟରେ କୌଣସି ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହୋଇଥିଲେ । ସରକାର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗ କରି ମାମଲା ଖାରଜ ପାଇଁ ଅପିଲ୍ କରିଥିଲେ । ଏପରିକି ଏହି ମାମଲାରେ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ତଦନ୍ତ କରିପାରିବେ ନାହିଁ ବୋଲି ସେ ଯୁକ୍ତି ବାଢିଥିଲେ । କିନ୍ତୁ କୋର୍ଟ ଏଥିରେ ସହମତ ହୋଇନାହାନ୍ତି । ଏସଟିଏଫ ଗଠନ ସମୟର ସରକାରୀ ବିଜ୍ଞପ୍ତି ଅନୁସାରେ ଏଭଳି ଦୁର୍ନୀତିର ତଦନ୍ତ ପାଇଁ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖାର ଅଧିକାର ରହିଛି ବୋଲି କହିଥିଲେ ହାଇକୋର୍ଟ ।

ସରୁଅ ଜମି ଦୁର୍ନୀତିର ମୂଳ ମାମଲା ରଦ୍ଦ ପାଇଁ ଆବେଦନ କରିଥିଲେ ଜଗି ମଙ୍ଗତ ପଣ୍ଡା । କିନ୍ତୁ ଏହା ଖାରଜ କରିଦେଇଛନ୍ତି ହାଇକୋର୍ଟ । ଚଂଚକତା କରି ଏସସିଙ୍କ ଜମି ହଡପ ଭଳି ଅତି ସଂଗୀନ୍ ମାମଲା ରୁଜୁ ହୋଇଛି ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ କଂପାନି ବିରୋଧରେ । କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ କରୁଛି । ପୂର୍ବରୁ ଏହି ମାମଲାରେ ଓଆଇଟିପିଏଲର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କୁ ଜେରା କରାଯାଇ କେତେକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି କଂପାନିରୁ ଇସ୍ତଫା ଦେଇସାରିଲେଣି । ତଦନ୍ତ ଜାରି ରହିଥିବାରୁ ଏଥିରେ ହସ୍ତକ୍ଷେପ କରି ମାମଲା ରଦ୍ଦ କିମ୍ବା ଆଗୁଆ ଜାମିନ ଦେବା ଉଚିତ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ଗିରଫଦାରୀ ଏଡାଇବା ପାଇଁ ପଣ୍ଡା ଦଂପତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇପାରନ୍ତି ।

ତେବେ, ଏଭଳି ଏକ ସଂଗୀନ ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ଆଗୁଆ ଜାମିନ ଆବେଦନ ଗ୍ରହଣ କରିବା ସମ୍ଭାବନା କମ୍ ବୋଲି କିଛି ବରିଷ୍ଠ ଆଇନଜୀବୀ ମତ ରଖିଛନ୍ତି । ଜାଲିଆତି କରି ଦଳିତଙ୍କ ଜମି ହଡପ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହେବ । କିଛି ଆଇନଜୀବୀଙ୍କ ମତରେ ୭ ବର୍ଷରୁ ଅଧିକ ଦଣ୍ଡବିଧାନ ଥିବା କୌଣସି ମାମଲାରେ ସୁପ୍ରିମକୋର୍ଟ ଜାମିନ ଦେବା କଷ୍ଟ ହେବ ।
ତଫସିଲଭୁକ୍ତ ଜାତି ବ୍ୟକ୍ତିଙ୍କ ଜମି ବେଆଇନ୍ ଭାବେ ହାତେଇବା ପାଇଁ ବୈଜୟନ୍ତ ପଣ୍ଡା ଓରଟେଲ ପୂର୍ବତନ ଡ୍ରାଇଭର ରବି ସେଠୀଙ୍କୁ ବ୍ୟବହାର କରିଥିଲେ । ତଫସିଲଭୁକ୍ତ ଜାତିର ହୋଇଥିବା ରବି ସେଠୀଙ୍କ ନାଁରେ ସରୁଅରେ ଜମି କିଣିଥିଲେ ବୈଜୟନ୍ତ । ପରେ ଏହା ଓଆଇଟିପିଏଲ ନାଁରେ ପଂଜୀକୃତ କରାଯାଇଥିଲା । ଏହା ଏକ ଗୁରୁତର ଅପରାଧ । କାରଣ ଓଡିଶା ଭୂସଂସ୍କାର ଆକ୍ଟ ଅନୁସାରେ ଏସସି ସଂପ୍ରଦାୟଙ୍କ ଜମି ଜଣେ ଅଣ ଏସସି ବ୍ୟକ୍ତି କିଣିପାରିବ ନାହିଁ ।

ସରୁ୍‌ଅ ଜମି କେଳେଙ୍କାରୀରେ ପଣ୍ଡା ଦଂପତିଙ୍କ ମୁଖା ଖୋଲିଯାଇଛି । ସେମାନଙ୍କ ବାହାନା ଓ ରାଜ୍ୟ ସରକାରଙ୍କ ବିରୋଧରେ ବୟାନବାଜି ଔଷଧ ବିକଳରେ ତାଟିଆ କାମୁଡିବା ଭଳି ହୋଇଛି ।

Comments are closed.