ଫିଟନେସ୍ ବିବାଦ ନେଇ ମୁହଁ ଖୋଲିଲେ ରୋହିତ

ନୂଆଦିଲ୍ଲୀ –  ଟିମ୍ ଇଣ୍ଡିଆ ଓପନର ରୋହିତ ଶର୍ମା ନିଜ ହାମଷ୍ଟ୍ରିଙ୍ଗ୍ ସମସ୍ୟା ନେଇ ଶେଷରେ ମୁହଁ ଖୋଲିଛନ୍ତି । ରୋହିତଙ୍କୁ ପ୍ରଥମେ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ଦିଆଯିବା ପରେ ତାଙ୍କ ଫିଟନେସକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ପରେ ତାଙ୍କୁ କେବଳ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା । ତେବେ ସେ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଗସ୍ତରେ ଯିବା ପରିବର୍ତ୍ତେ ୟୁଏଇରୁ ସିଧା ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକଡେମୀ (ଏନସିଏ) ଆସିଥିଲେ । ସମ୍ପ୍ରତି ଏନସିଏରେ ଫିଟନେସ୍ ଟ୍ରେନିଂରେ ବ୍ୟସ୍ତ ଥିବା ରୋହିତ ତାଙ୍କ ହାମଷ୍ଟ୍ରିଙ୍ଗ୍ ସମସ୍ୟା ସୁଧୁରିଥିବା କହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ବେଳକୁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇଯାଇଥିବେ ବୋଲି ରୋହିତ ଆଶାବ୍ୟକ୍ତ କରିଛନ୍ତି ।

ରୋହିତ ତାଙ୍କ ଫିଟନେସ ବିବାଦ ନେଇ କହିଛନ୍ତି, ମୁଁ ଜାଣିନି ଏବେ ସବୁ କ’ଣ ହଉଛି। ଲୋକମାନେ କ’ଣ ସବୁ ଆକଳନ କରି କହୁଛନ୍ତି, ସେବିଷୟରେ ବି ମୁଁ ଜାଣନି। କିନ୍ତୁ ଗୋଟିଏ ମୁଁ କଥା କହିବାକୁ ଚାହେଁ ଯେ ମୁଁ ନିୟମିତ ଭାବେ ବିସିସିଆଇ ଓ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗାଯୋଗରେ ରହିଥିଲି। ଏବେ ହାମଷ୍ଟ୍ରିଙ୍ଗ ପୂରା ଠିକ ହୋଇଯାଇଛି। ସବୁ କିଛି ପୁଣି ଠିକ୍ କରିବାକୁ ପ୍ରୟାସ ଆରମ୍ଭ କରିଛି। ଟେଷ୍ଟ ଭଳି ଲଙ୍ଗ ଫର୍ମାଟ ଖେଳିବା ପୂର୍ବରୁ ମୁଁ ଶତପ୍ରତିଶତ ଫିଟ୍ ରହିବା ଦରକାର।

Comments are closed.