କର୍ଣ୍ଣାଟକ: ସିଦ୍ଧରମୈୟାଙ୍କ ଟିମରେ ଆଉ ୨୪ ମନ୍ତ୍ରୀ ସାମିଲ

ବାଙ୍ଗାଲୋର: ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନେତୃତ୍ୱରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନର ଏକ ସପ୍ତାହ ପରେ ଆଜି ୨୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ୍ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ। କର୍ଣ୍ଣାଟକ ସରକାରରେ ସର୍ବାଧିକ ୩୪ ଜଣ ମନ୍ତ୍ରୀ ରହିପାରିବେ। ମେ ୨୦ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ସମେତ ଦଶଜଣ ମନ୍ତ୍ରୀ ଶପଥ ନେଇଥିଲେ।

ଶପଥ ଗ୍ରହଣ ଉତ୍ସବ ଦିନ ୧୧.୪୫ରେ ରାଜ ଭବନରେ ଆରମ୍ଭ ହୋଇଥିଲା। ଶପଥ ଗ୍ରହଣ ସମାରୋହକୁ ଦୃଷ୍ଟିରେ ରଖି ରାଜ ଭବନ ଏବଂ ଆଖପାଖରେ ସୁରକ୍ଷା ବୃଦ୍ଧି କରାଯାଇଥିଲା। ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବିଧାୟକଙ୍କ ମଧ୍ୟରେ ବରିଷ୍ଠ ବିଧାୟକ ଏଚ୍ କେ ପାଟିଲ, କୃଷ୍ଣ ବାଇରେଗୌଡା, ଏନ ଚେଲୁଭାରାୟସ୍ୱାମୀ, କେ ଭେଙ୍କଟେଶ, ଡକ୍ଟର ଏଚ୍ ମହାଦେବପ୍ପା, ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଇଶ୍ୱର ଖଣ୍ଡ୍ରେ ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଦୀନେଶ ଗୁଣ୍ଡୁ ରାଓ ପ୍ରମୁଖ ଅଛନ୍ତି। ସିଦ୍ଧରମୈୟାଙ୍କ ଟିମରେ କେବଳ ଜଣେ ମହିଳା ମନ୍ତ୍ରୀ ଅଛନ୍ତି ।

ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ୬ ଲିଙ୍ଗାୟତ ଏବଂ ଚାରି ଜଣ ଭୋକାଲିଗା ବିଧାୟକ ଅଛନ୍ତି। ଏହାଛଡ଼ା ତିନି ଏସସି, ଦୁଇଜଣ ଏସଟି ଏବଂ ଅନ୍ୟ ପଛୁଆ ବର୍ଗର ପାଞ୍ଚ ଜଣ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଛି। ଦୀନେଶ ଗୁଣ୍ଡୁ ରାଓଙ୍କ ରୂପରେ ବ୍ରାହ୍ମଣ ବିଧାୟକ ମଧ୍ୟ କର୍ଣ୍ଣାଟକ କ୍ୟାବିନେଟରେ ସାମିଲ ହୋଇଛନ୍ତି। ପୁରୁଣା ମହୀଶୂର ଏବଂ କଲ୍ୟାଣ କର୍ଣ୍ଣାଟକ ଅଞ୍ଚଳର ୭ ଜଣ ବିଧାୟକ, କିଟୁର କର୍ଣ୍ଣାଟକ ଅଞ୍ଚଳର ୬ ଜଣ ଏବଂ କେନ୍ଦ୍ରୀୟ କର୍ଣ୍ଣାଟକର ଦୁଇଜଣ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

୨୪ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଗଣମାଧ୍ୟମକୁ କହିଥିଲେ ଯେ ଆଞ୍ଚଳିକ, ଜାତି ଏବଂ ସାମାଜିକ ନ୍ୟାୟ ଦୃଷ୍ଟିରୁ ମନ୍ତ୍ରିମଣ୍ଡଳର ରୂପରେଖ ସ୍ଥିର କରାଯାଇଛି । ହାଇକମାଣ୍ଡଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ଆମେ ମନ୍ତ୍ରିମଣ୍ଡଳ ଉପରେ ନିଷ୍ପତ୍ତି ନେଇଛୁ। ପରବର୍ତ୍ତୀ କ୍ୟାବିନେଟ ବୈଠକରେ ଆମେ ଦେଇଥିବା ପ୍ରତିଶ୍ରୁତି ଉପରେ ନିଷ୍ପତ୍ତି ନେବୁ। ପରବର୍ତ୍ତୀ କ୍ୟାବିନେଟ ବୈଠକ ଜୁନରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।

କର୍ଣ୍ଣାଟକର ମନ୍ତ୍ରୀମାନଙ୍କୁ ଏପର୍ଯ୍ୟନ୍ତ ବିଭାଗ ବଣ୍ଟନ କରାଯାଇ ନାହିଁ। ମନ୍ତ୍ରୀ କେ.ଏଚ୍ ମୁନିୟାପ୍ପା କହିଛନ୍ତି ଯେ ଶନିବାର ସନ୍ଧ୍ୟା ସୁଦ୍ଧା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ହେବ।

Comments are closed.