ମିଳିଲା ଅନୁମତି – ଏଣିକି ଆୟୁର୍ବେଦ ଡାକ୍ତର କରିପାରିବେ ଅସ୍ତ୍ରୋପଚାର

ନୂଆଦିଲ୍ଲୀ – ଏଣିକି ଆୟୁର୍ବେଦ ଡାକ୍ତରମାନେ ମଧ୍ୟ ଅସ୍ତ୍ରୋପଚାର କରିପାରିବେ। କେନ୍ଦ୍ର ସରକାରଙ୍କ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଆୟୁର୍ବେଦର ପିଜି ଛାତ୍ରମାନଙ୍କୁ ଅସ୍ତ୍ରୋପଚାର କରିବାକୁ ଅନୁମତି ଦିଆଯାଇଛି ।

ଏହି ବିଜ୍ଞପ୍ତି ଅନୁଯାୟୀ ଆୟୁର୍ବେଦର ଡାକ୍ତରମାନେ ଅସ୍ଥିଶଲ୍ୟ, ଚକ୍ଷୁ ଚିକିତ୍ସା, ନାସା-କର୍ଣ୍ଣ-ଗଳା (ଇଏନଟି) ଏବଂ ଦନ୍ତ ସହ ଜଡିତ ଅସ୍ତ୍ରୋପଚାର କରିପାରିବେ। ଅନ୍ୟପକ୍ଷରେ, କେନ୍ଦ୍ରୀୟ ଚିକିତ୍ସା ପରିଷଦର ସଭାପତି କହିଛନ୍ତି ଯେ ଗତ ୨୫ ବର୍ଷ ଧରି ଆୟୁର୍ବେଦ ପ୍ରତିଷ୍ଠାନରେ ଏଭଳି ଅସ୍ତ୍ରୋପଚାର କରାଯାଉଛି। ସରକାରୀ ବିଜ୍ଞପ୍ତି କେବଳ ଏଭଳି ଅସ୍ତ୍ରୋପଚାରର ବୈଧତାକୁ ସ୍ବୀକୃତି ଦେଇଛି ।
ସରକାରୀ ବିଜ୍ଞପ୍ତି ଅନୁଯାୟୀ ଏବେ ଆୟୁର୍ବେଦର ପିଜି ପାଠ୍ୟକ୍ରମରେ ଅସ୍ତ୍ରୋପଚାର ସାମିଲ କରାଯିବ। ଏଥିପାଇଁ ଭାରତୀୟ ଚିକିତ୍ସା କେନ୍ଦ୍ରୀୟ ପରିଷଦ (ସ୍ନାତକୋତ୍ତର ଆୟୁର୍ବେଦ ଶିକ୍ଷା) ଆଇନରେ ସଂଶୋଧନ କରାଯାଇଛି ।

ଏଲୋପାଥି ଭଳି ଅଧିକାର ଦେବା ପାଇଁ ଆୟୁର୍ବେଦ ଡାକ୍ତରମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ । ନୂତନ ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଆୟୁର୍ବେଦର ଛାତ୍ରମାନଙ୍କୁ ଅସ୍ତ୍ରୋପଚାର ତାଲିମ ଦିଆଯିବ। ଛାତ୍ରମାନଙ୍କୁ ଶଲ୍ୟ ତଥା ଶାଳକ୍ୟ ତନ୍ତ୍ର (ଆଖି, କାନ, ନାକ, ଗଳା, ମୁଣ୍ଡ ଏବଂ ମୁଣ୍ଡ-ଦାନ୍ତ ରୋଗ) ଭଳି ଚିକିତ୍ସାରେ ଡିଗ୍ରୀ ମଧ୍ୟ ଦିଆଯିବ ।

Comments are closed.