ଜୋ ବିଡେନଙ୍କ ପତ୍ନୀଙ୍କ ନୀତି ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଭାରତୀୟ ବଂଶୋଦ୍ଭବ ମାଲା ଆଡିଗା

ୱାଶିଂଟନ୍ – ଆମେରିକା ରାଜନୀତିରେ ଭାରତୀୟ ବଂଶୋଦ୍ଭବଙ୍କ ଆଧିପତ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ମାଲା ଆଡିଗା । ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ତାଙ୍କ ପତ୍ନୀ ଜିଲ ବିଡେନଙ୍କ ନୀତି ନିର୍ଦ୍ଦେଶକ ଭାବେ ମାଲାଙ୍କୁ ନିଯୁକ୍ତ କରିଛନ୍ତି।

ଆମେରିକାର ପରବର୍ତ୍ତୀ ପ୍ରଥମ ମହିଳା ହେବାକୁ ଯାଉଥିବା ଜିଲଙ୍କ ପ୍ରାଥମିକତା ମୁଖ୍ୟତଃ ଶିକ୍ଷା ରହିଛି। ତେଣୁ ଶିକ୍ଷା ସହ ଜଡିତ ନୀତି ସଂପର୍କରେ ଭେଟେରାନ ମାଲା ଆଡିଗାଙ୍କୁ ଏହି ପଦବୀ ପାଇଁ ଚୟନ କରାଯାଇଛି। ଆଡିଗା ବିଡେନଙ୍କ ୨୦୨୦ ପ୍ରଚାର ଅଭିଯାନ ପାଇଁ ବରିଷ୍ଠ ନୀତି ପରାମର୍ଶଦାତା ଏବଂ ଜିଲଙ୍କ ବରିଷ୍ଠ ପରାମର୍ଶଦାତା ଥିଲେ। ମାଲା ଆଡିଗା ପୂର୍ବରୁ ବିଡେନ ଫାଉଣ୍ଡେସନ ପାଇଁ ଉଚ୍ଚଶିକ୍ଷା ଏବଂ ସାମରିକ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି।

ମାଲା ଓବାମା ପ୍ରଶାସନର ‘ଶିକ୍ଷା ଏବଂ ସାଂସ୍କୃତିକ ବ୍ୟାପାର ବ୍ୟୁରୋ’ରେ ସହକାରୀ ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ।
ସଦ୍ୟ ଶେଷ ହୋଇଥିବା ଆମେରିକା ନିର୍ବାଚନରେ କମଲା ହାରିସଙ୍କ ଦବଦବା ଦେଖିବାକୁ ମିଳିଥିଲା। ଏହି ନିର୍ବାଚନରେ କମଲା ହାରିସ୍ ଉପରାଷ୍ଟ୍ରପତି ଭାବେ ବିଜୟୀ ହୋଇଛନ୍ତି। କମଲା ହାରିସ୍ ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ।

Comments are closed.