ଫୁଟବଲ କିମ୍ବଦନ୍ତୀ ମାରାଡୋନାଙ୍କ ପରଲୋକ

ଆର୍ଜେଣ୍ଟିନା : ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା ଆଉ ନାହାନ୍ତି । ଆର୍ଜେଣ୍ଟିନାର ଏହି ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକଙ୍କ ବୁଧବାର ହୃଦଘାତରେ ପରଲୋକ ହୋଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ନିକଟରେ ମାରାଡୋନା ଅସୁସ୍ଥ ହୋଇପଡିଥିଲେ । ତାଙ୍କର ବ୍ରେନ୍ ସର୍ଜରୀ ହୋଇଥିଲା ।

ବିଶ୍ୱର ଅନ୍ୟତମ ସର୍ବକାଳୀନ ମହାନ ଖେଳାଳି ମାରାଡୋନାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ୧୯୮୬ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା । ଉକ୍ତ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲରେ ମାରାଡୋନାଙ୍କ ବହୁ ଚର୍ଚ୍ଚିତ “ହ୍ୟାଣ୍ଡ୍ ଅଫ୍ ଗଡ୍’ ଗୋଲ୍ ଏବେ ବି ଫୁଟବଲ ଜଗତରେ ସ୍ମରଣୀୟ ହୋଇରହିଛି । ଆର୍ଜେଣ୍ଟିନା ତରଫରୁ ମାରାଡୋନା ୯୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୪ଟି ଗୋଲ୍ ଦେଇଥିଲେ । ସେ ବାର୍ସିଲୋନା ଓଢ଼ ନାପୋଲି ଭଳି ପ୍ରସିଦ୍ଧ କ୍ଲବ୍ ତରଫରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ ।

ମାରାଡୋନାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ୧୯୯୦ ବିଶ୍ୱକପ୍ ଫାଇନାଲରେ ବି ଖେଳିଥିଲା । ତେବେ ଫାଇନାଲରେ ୱେଷ୍ଟ ଜର୍ମାନୀ ଠାରୁ ହାରି ଆର୍ଜେଣ୍ଟିନା ରନର୍ସ ଅପ୍ ଭାବେ ଅଭିଯାନ ଶେଷ କରିଥିଲା । ଡ୍ରଗ୍ସ ସେବନ ପାଇଁ ସର୍ବଦା ବିବାଦରେ ରହିଥିବା ମାରାଡୋନା ଆମେରିକାରେ ଅନୁଷ୍ଠିତ ୧୯୯୪ ବିଶ୍ୱକପରେ ମଧ୍ୟ ଆର୍ଜେଣ୍ଟିନାର ନେତୃତ୍ୱ ନେଇଥିଲେ । ହେଲେ ଡ୍ରଗ୍ସ କଳଙ୍କ ପାଇଁ ତାଙ୍କୁ ସେହି ବିଶ୍ୱକପ୍ ଅଧାରୁ ସ୍ୱଦେଶ ଫେରିବାକୁ ପଡିଥିଲା । ଏହି କିମ୍ବଦନ୍ତୀ ଖେଳାଳି ୧୯୯୭ରେ ଫୁଟବଲରୁ ଅବସର ନେଇଥିଲେ । ଅବସର ପରେ ସେ ମେକ୍ସିକୋ, ୟୁଏଇ ଦଳର କୋଚ୍ ଭାବେ ଦାୟିତ୍ୱ ତୁଲାଇଥିଲେ ।

Comments are closed.