ମନ୍ଥର ବୋଲିଂ ପାଇଁ ଟିମ୍ ଇଣ୍ଡିଆକୁ ଜରିମାନା | News Room Odisha

ମନ୍ଥର ବୋଲିଂ ପାଇଁ ଟିମ୍ ଇଣ୍ଡିଆକୁ ଜରିମାନା

ଦୁବାଇ – ପ୍ରଥମ ଦିନିକିଆରେ ପରାଜୟ ପରେ ଟିମ୍ ଇଣ୍ଡିଅ ଏବେ ଆର୍ଥିକ ଦଣ୍ଡର ସମ୍ମୁଖୀନ ହୋଇଛି । ମନ୍ଥର ଓଭର ରେଟ୍ ଯୋଗୁଁ ଭାରତୀୟ ଦଳକୁ ମ୍ୟାଚ୍ ଫି’ର ୨୦% ଜରିମାନା ସ୍ୱରୂପ ଦେବାକୁ କୁହାଯାଇଛି । ଭାରତ ତାର ୫୦ ଓଭର କୋଟା ବୋଲିଂ କରିବାକୁ ୪ ଘଣ୍ଟା ୬ ମିନିଟ୍ ନେଇଥିଲା, ଯାହା ଧାର୍ଯ୍ୟ ସମୟ ଠାରୁ ପ୍ରାୟ ଏକ ଘଣ୍ଟା ଅଧିକ ।

ଆଇସିସି ଆଚାର ସଂହିତା ଧାରା ୨.୨୨ ଅନୁସାରେ ମ୍ୟାଚ୍ ରେଫରୀ ଡେଭିଡ୍ ବୁନ୍ ଭାରତୀୟ ଦଳକୁ ଏଥିପାଇଁ ଦଣ୍ଡିତ କରିଛନ୍ତି । ନିରାଶାଜନକ ବୋଲିଂ ଓ ଫିଲ୍ଡିଂ ଯୋଗୁଁ ଭାରତ ପ୍ରଥମ ଦିନିକିଆରେ ୬୬ ରନରେ ପରାସ୍ତ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଯଦି ଗୋଟିଏ ଓଭର କମ୍ ପକାଯାଏ, ତେବେ ସମ୍ପୃକ୍ତ ଦଳର ସବୁ ଖେଳାଳିଙ୍କ ମ୍ୟାଚ୍ ଫି’ର ୨୦% କଟାଯିବ । ଟିମ୍ ଇଣ୍ଡିଆ ଅଧିନାୟକ ନିଜ ଦଳର ଦୋଷ ସ୍ୱୀକାର କରିଛନ୍ତି ଏବଂ ଦଣ୍ଡାଦେଶକୁ ମଧ୍ୟ ଗ୍ରହଣ କରିଛନ୍ତି । ତେଣୁ ଏହି ପ୍ରସଙ୍ଗରେ ଆଉ ଶୁଣାଣିର କୌଣସି ଆବଶ୍ୟକତା ନାହିଁ ବୋଲି ଆଇସିସି ତରଫରୁ କୁହାଯାଇଛି । ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆ ରବିବାର ଖେଳାଯିବ ।