‘କୋଭିସିଲ୍ଡ’ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିବ ସିରମ୍ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ – ସିରମ୍ ଇନଷ୍ଟିଚ୍ୟୁଟ୍ ତରଫରୁ ତିଆରି ହେଉଥିବା କୋଭିଡ୍ ଟିକା ‘କୋଭିସିଲ୍ଡ’ର ଜରୁରୀ ବ୍ୟବହାର ପାଇଁ ଆବେଦନ କରାଯିବ । ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାଓାଲା ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ସରକାର ଆସନ୍ତା ଜୁଲାଇ ସୁଦ୍ଧା ‘କୋଭିସିଲ୍ଡ’ର ୩୦୦ରୁ ୪୦୦ ଡୋଜ୍ କିଣିପାରନ୍ତି ।

ଭାରତରେ ସମ୍ପ୍ରତି ପାଞ୍ଚଟି କୋଭିଡ୍ ଟିକା ଟ୍ରାଏଲ୍ ପର୍ଯ୍ୟାୟରେ ରହିଛି । ଏଥିମଧ୍ୟରୁ ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ‘କୋଭିସିଲ୍ଡ’ ଅନ୍ୟତମ । ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଔଷଧ କମ୍ପାନୀ ଆଷ୍ଟ୍ରାଜେନେକା ସହଭାଗିତାରେ ସିରମ ଇନଷ୍ଟିଚ୍ୟୁଟ୍ ‘କୋଭିସିଲ୍ଡ’ ଟିକା ତିଆରି କରୁଛି । ଭାରତରେ ଏହି ଟିକାର ଏବେ ଶେଷ ପର୍ଯ୍ୟାୟ ଟ୍ରାଏଲ ଚାଲିଛି । ପୁନାୱାଲା କହିଛନ୍ତି, ଶେଷ ପର୍ଯ୍ୟାୟ ଟ୍ରାଏଲରେ ‘କୋଭିସିଲ୍ଡ’ ୯୦ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଭାରତ ଓ ଆଫ୍ରିକୀୟ ଦେଶ ଗୁଡିକରେ ପ୍ରଥମେ ଏହି ଟିକା ବିତରଣ କରିବାକୁ କମ୍ପାନୀର ପ୍ରାଥମିକତା ବୋଲି ପୁନାୱାଲା କହିଛନ୍ତି । ଇଂଲଣ୍ଡ ସମେତ ଅନ୍ୟ ୟୁରୋପୀୟ ଦେଶଗୁଡିକରେ ଏହି ଟିକା ବିତରଣ ଦାୟିତ୍ୱ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଉପରେ ରହିବ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ପ୍ରସ୍ତୁତିର ସମୀକ୍ଷା ପାଇଁ ତିନୋଟି ସହର ଗସ୍ତ କରିଥିଲେ । ସେ ପ୍ରଥମେ ଅହମ୍ମଦାବାଦ ସ୍ଥିତ ଜାଏଡସ୍ ବାୟୋଟେକ୍ ପାର୍କ ଯାଇ ସେଠାରେ ଟିକା ଅଗ୍ରଗତି ସମ୍ପର୍କରେ ବୈଜ୍ଞାନିକଙ୍କ ସହ ଆଲୋଚନା କରିଥିଲେ । ଏହାପରେ ମୋଦି ଦେଶୀ ଟିକା ‘କୋଭାକ୍ସିନ’ ତିଆରି କରୁଥିବା ଭାରତ ବାୟୋଟେକର ହାଇଦ୍ରାବାଦ ସ୍ଥିତ ଲ୍ୟାବ୍ ଯାଇଥିଲେ । ପରେ ସେ ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଗସ୍ତ କରି ‘କୋଭିସିଲ୍ଡ’ ଟିକାର ଟ୍ରାଏଲ ଓ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ ।

Comments are closed.