ଗୃହମନ୍ତ୍ରୀ କହିଲେ – ଆଲୋଚନା ପାଇଁ ସରକାର ପ୍ରସ୍ତୁତ, ଚାଷୀଙ୍କୁ ପ୍ରଥମେ ନିର୍ଦ୍ଧାରିତ ସ୍ଥାନକୁ ଆସିବାକୁ ପଡିବ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଗତ ତିନିଦିନ ଧରି ଆନ୍ଦୋଳନ ଚଳାଇଥିବା ବିଭିନ୍ନ ରାଜ୍ୟର ଚାଷୀମାନଙ୍କ ସହ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଶାହ ଟ୍ୱିଟ କରି କହିଛନ୍ତି ଯେ, ଚାଷୀଙ୍କ ସବୁ ସମସ୍ୟା ଓ ଦାବି ଉପରେ ଆଲୋଚନା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । କୃଷୀମନ୍ତ୍ରୀ ଡିସେମ୍ବର ୩ରେ ଆଲୋଚନା ପାଇଁ ଚାଷୀଙ୍କୁ ଆମନ୍ତ୍ରଣ କରିଛନ୍ତି । ଯଦି ଚାଷୀମାନେ ଡିସେମ୍ବର ୩ ପୂର୍ବରୁ ଆଲୋଚନା ଚାହାନ୍ତି, ତେବେ ସେମାନେ ଆନ୍ଦୋଳନ ପାଇଁ ନିର୍ଦ୍ଧାରିତ ସ୍ଥାନ (ବୁରାଡ଼ି ଗ୍ରାଉଣ୍ଡ)କୁ ଆସନ୍ତୁ । ମୁଁ ପ୍ରତିଶ୍ରୁତି ଦେଉଛି ତା’ ପରଦିନ ହିଁ ସରକାର ଚାଷୀଙ୍କ ସବୁ ସମସ୍ୟାର ସମାଧାନ ଲାଗି ଆଲୋଚନା ଆରମ୍ଭ କରିବେ । ଆନ୍ଦୋଳନରତ ଚାଷୀମାନଙ୍କ ମଧ୍ୟରୁ ଅଧା ଦିଲ୍ଲୀ ସ୍ଥିତ ବୁରାଡି ଗ୍ରାଉଣ୍ଡକୁ ଆସିଥିବା ବେଳେ ପଞ୍ଜାବ ଓ ହରିୟାଣାର ଚାଷୀମାନେ ଦିଲ୍ଲୀ ସୀମାରେ ପ୍ରଦର୍ଶନ ଜାରି ରଖିଛନ୍ତି ।

ସେପଟେ ଚାଷୀ ଆନ୍ଦୋଳନକୁ ନେଇ ପଞ୍ଜାବ ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ହରିୟାଣା ମୁଖ୍ୟମନ୍ତ୍ରୀ ମନହୋରଲାଲ ଖଟ୍ଟର କହିଥିଲେ ଯେ, ସେ ଚାଷୀ ଆନ୍ଦୋଳନ ନେଇ ଅମରିନ୍ଦର ସିଂଙ୍କ ସହ କଥା ହେବାକୁ ଚାହୁଁଥିଲେ । କିନ୍ତୁ ଅମରିନ୍ଦର ତାଙ୍କ ଫୋନ୍ ରିସିଭ୍ କରିନଥିଲେ । ଖଟ୍ଟର ମିଛ କହୁଛନ୍ତି ବୋଲି ଅମରିନ୍ଦର କହିଛନ୍ତି । ଏବେ ଖଟ୍ଟର ୧୦ ଥର ଫୋନ୍ କଲେ ବି ସେ ତାଙ୍କ ସହ କଥା ହେବେ ନାହିଁ ବୋଲି ଅମରିନ୍ଦର କହିଛନ୍ତି ।

Comments are closed.