ରବିବାର ଦ୍ୱିତୀୟ ଦିନିକିଆ: ଭାରତ ପାଇଁ କର ବା ମର

ସିଡନୀ – ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ରବିବାର ଖେଳାଯିବ । ପ୍ରଥମ ଦିନିକିଆରେ ବୋଲରଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୧ରେ ପଛୁଆ ରହିଥିବା ଭାରତ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି । ସିରିଜ୍ ବଞ୍ଚାଇବାକୁ ହେଲେ ଭାରତକୁ ଦ୍ୱିତୀୟ ଦିନିକିଆ ଜିତିବାକୁ ପଡିବ । ନଚେତ୍‌୍ ହାତରୁ ସିରିଜ୍ ଖସିଯିବ ।

ପ୍ରଥମ ଦିନିକିଆରେ ଭାରତ ୬୬ ରନରେ ପରାସ୍ତ ହୋଇଥିଲା । ଏଥିସହ ଭାରତର ଅନେକ ଦୁର୍ବଳତା ମଧ୍ୟ ପଦାରେ ପଡିଯାଇଥିଲା । ବିଶେଷକରି ଭାରତୀୟ ଏକାଦଶରେ ଜଣେ ବୋଲିଂ ଅଲରାଉଣ୍ଡରଙ୍କ ଅଭାବ ସ୍ପଷ୍ଟ ଅନୁଭୂତ ହୋଇଥିଲା । ଏହି ଅଭାବକୁ କିଭଳି ପୂରଣ କରିହେବ ସେନେଇ ରବି ଶାସ୍ତ୍ରୀ ଓ କୋହଲିଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍ । ଅଷ୍ଟ୍ରେଲିଆ ପ୍ରଦତ୍ତ ୩୭୫ ରନର ବିଶାଳ ବିଜୟଲକ୍ଷ୍ୟର ଜବାବରେ ଭାରତର ବ୍ୟାଟିଂ ବି ଫେଲ୍ ମାରିଥିଲା । ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଭଳି ହାର୍ଦ୍ଦିକ ପାଣ୍ଡ୍ୟା ୯୦ରନର ଏକ ବିସ୍ଫୋରକ ଇନିଂସ୍ ଖେଳିଥିଲେ ମଧ୍ୟ ଏହା ଦଳକୁ ବିଜୟ ଦେବାରେ ଯଥେଷ୍ଟ ହୋଇନଥିଲା । ମ୍ୟାଚ୍ ପରେ ପାଣ୍ଡ୍ୟା ସ୍ପଷ୍ଟ କରିଥିଲେ ଯେ, ସେ ଏବେ ବୋଲିଂ କରିବାକୁ ସମର୍ଥ ନୁହନ୍ତି । ଏହା ହିଁ ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ଅଣ୍ଟା ସମସ୍ୟା ଯୋଗୁଁ ପାଣ୍ଡ୍ୟା ଆଇପିଏଲରେ ମଧ୍ୟ ବୋଲିଂ କରିନଥିଲେ । ପାଣ୍ଡ୍ୟା ବୋଲିଂ କରୁନଥିବା ବେଳେ ଭାରତକୁ ବିକଳ୍ପ ବ୍ୟବସ୍ଥା କରିବା ସହ ନିଜ ରଣନୀତିକୁ ସଠିକ୍ କାର୍ଯ୍ୟକାରୀ କରିବାକୁ ପଡିବ ।

Comments are closed.